ହତ୍ୟା ଅଭିଯୁକ୍ତକୁ ଥାନାରୁ ଛଡ଼ାଇ ନେବା ଉଦ୍ୟମ: ପୁଲିସ ସହ ଧସ୍ତାଧସ୍ତି ପରେ ସମର୍ଥକଙ୍କ ଛତ୍ରଭଙ୍ଗ, ଆଉ ଏକ ମାମଲା

Advertisment
ହତ୍ୟା ଅଭିଯୁକ୍ତକୁ ଥାନାରୁ ଛଡ଼ାଇ ନେବା ଉଦ୍ୟମ: ପୁଲିସ ସହ ଧସ୍ତାଧସ୍ତି ପରେ ସମର୍ଥକଙ୍କ ଛତ୍ରଭଙ୍ଗ, ଆଉ ଏକ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପରାଧୀ ଗୋଷ୍ଠୀ ପୁଲିସକୁ ବି ଖାତିର କରୁନାହାନ୍ତି। ଏକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କୋଦଳା ପୁଲିସ ଗିରଫ କରି ଥାନାକୁ ନେଇଥିଲା। ଏ ଖବର ପାଇ ଅଭିଯୁକ୍ତର କିଛି ସହଯୋଗୀ ଓ ସମର୍ଥକ ଦଳବଳ ହୋଇ ଥାନାରେ ପହଞ୍ଚିଥିଲେ। ଏପରିକି ପୁଲିସ ହେପାଜତରୁ ଅଭିଯୁକ୍ତକୁ ଛଡ଼ାଇ ନେବାକୁ ଅପଚେଷ୍ଟା କରିଥିଲେ। ଥାନା ଭିତରେ ପୁଲିସ କର୍ମଚାରୀଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ଅଭିଯୁକ୍ତ ବିକ୍ରମ ପରିଡ଼ା ଓରଫ୍‌ ବିକୁକୁ ଥାନା ଭିତରକୁ ନେଇ ହାଜତରେ ପୂରାଇ ଦେଇଥିଲା। ଏହାପରେ ତା’ର ସହଯୋଗୀମାନେ ପୁଲିସର ମୁକାବିଲ କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଛଚିନା ଗ୍ରାମର ଅଭିଯୁକ୍ତ ବିକ୍ରମକୁ ଆଜି କୋର୍ଟ ଚାଲାଣ କରିଛି। ସେପଟେ ତାକୁ ଛଡ଼ାଇ ନେବାକୁ ଆସିଥିବା ୭ଜଣ ସହଯୋଗୀଙ୍କ ନାମରେ ଆଉ ଏକ ମାମଲା ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଗତ ୨୦୨୩ ଅକ୍ଟୋବର ମାସରେ କୋଦଳା ଥାନା ଇଲାକାରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଦୀପୁ ପାତ୍ର ନାମକ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରା ଯାଇଥିଲା। ଏହି ଘଟଣାରେ ପୁଲିସ ପର୍ଯ୍ୟାୟ କ୍ରମେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ବିକ୍ରମ ସେହି ଦିନୁ ଫେରାର୍‌ ଥିଲା। ତେବେ ଗତ ୧୫ତାରିଖ ରାତିରେ କୋଦଳା ପୁଲିସ ଧନଞ୍ଜୟପୁର ଗ୍ରାମ ନିକଟରୁ ବିକ୍ରମକୁ ଧରିଥିଲା। ପୁଲିସ ତାକୁ ଥାନାକୁ ଆଣୁଥିବା ବେଳେ କିଛି ଲୋକ ବାଇକ୍‌ରେ ପିଛା କରିଥିଲେ। ପୁଲିସ ଗାଡ଼ି ଥାନା ପରିସରରେ ପହଞ୍ଚିବା ପରେ ଅଭିଯୁକ୍ତ ବିକ୍ରମକୁ ଗାଡ଼ିରୁ ଓହ୍ଲା ଯାଇଥିଲା। ଏହି ସମୟରେ ସେହି ଲୋକମାନେ ହଠାତ୍‌ ଥାନା ପରିସରକୁ ଧସେଇ ପଶି ବିକ୍ରମକୁ ପୁଲିସ କବ୍‌ଜାରୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୁଲିସ ଏହାର ପ୍ରତିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଏ ସମସ୍ତଙ୍କୁ ଚିହ୍ନଟ କରିଛି। ଥାନା ବାହାରେ ଥିବା ସେହି ଲୋକମାନଙ୍କ ୪ଟି ବାଇକ୍‌ ଜବତ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତମାନେ ଧରା ହେବେ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe