Catch News
ବାଣପୁର : ଗୁରୁବାର ସନ୍ଧ୍ୟାରେ ବାଣପୁର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଯାଇଛି। କଏଦୀ ଜଣକ ବୁଧବାର ଦିନ ଭୁବନେଶ୍ବର ଝାରପଡ଼ା କାରାଗାରରୁ ବାଣପୁର ଉପକାରାଗାରକୁ ସ୍ଥାନାନ୍ତର ହୋଇଥିଲେ। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିବାବେଳେ ଅସାବଧାନତାବଶତଃ ପ୍ରଥମ ମହଲାରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ ଅଧୀକ୍ଷକ କୋଶଳ ପଦ୍ମିନୀ ଦଳବେହେରାଙ୍କଠାରୁ ପ୍ରକାଶ।
ମୃତ କଏଦୀ ହେଉଛନ୍ତି ଆସାମର ଶିବୁନ୍ କୁସ୍କୁ (୪୦) । ସେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ଭୁବନେଶ୍ବର ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀଭାବେ ରହୁଥିଲେ। ତେବେ ବୁଧବାର ଝାରପଡ଼ା କାରାଗାରରୁ ଶିବୁନ୍ଙ୍କ ସମେତ ୧୯ ଜଣ କଏଦୀଙ୍କୁ ବାଣପୁର ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ଛଅଟାରେ ଅତି ଗୁରୁତର ଅବସ୍ଥାରେ ଶିବୁନ୍ଙ୍କୁ ଜେଲ କର୍ତ୍ତୃପକ୍ଷ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ଅପରାହ୍ନରେ ଖାଦ୍ୟ ଖାଇବା ପରେ ପ୍ରଥମ ମହଲାରେ ଥିବା କୋଠରୀକୁ ଶିବୁନ୍ ଚାଲି ଯାଇଥିଲେ। ତେବେ ସନ୍ଧ୍ୟା ବେଳେ ଶିବୁନ୍ କାରାଗାରର ପ୍ରଥମ ମହଲାରୁ ଅସାବଧାନତାବଶତଃ ଖସି ପଡ଼ିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜେଲ କତ୍ତୃର୍ପକ୍ଷ ସୂଚନା ଦେବା ସହ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି।
ଶିବୁନ୍ ଗତକାଲି ଭୁବନେଶ୍ବରରୁ ସ୍ଥାନାନ୍ତର ହୋଇ ବାଣପୁର ଆସିଥିବାରୁ ତାଙ୍କର ସବିଶେଷ ତଥ୍ୟ ବାଣପୁର କାରାଗାରରେ ନାହିଁ। ଫଳରେ, ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେବା ପାଇଁ ଭୁବନେଶ୍ବର ଝାରପଡ଼ା ଜେଲ୍ ସହ ଯୋଗାଯୋଗ କରାଯାଉଥିବା ଜେଲ ଅଧୀକ୍ଷକ ଶ୍ରୀମତୀ ଦଳବେହେରା ସୂଚନା ଦେଇଛନ୍ତି। ତେବେ, ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/06/dead-1.jpg)