ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ତୈଳଚିତ୍ର

ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ତୈଳଚିତ୍ର

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦରରେ ଲାଗିବ ନାଟ୍ୟମହର୍ଷି ଗୁରୁ ସ୍ବର୍ଗତ ଭଗବାନ ସାହୁଙ୍କ ତୈଳଚିତ୍ର। ଗତ ୭ ତାରିଖରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏନେଇ କେନ୍ଦ୍ର ବେସାମରିକ ବିମାନ ଉଡ଼ାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦେଇଥିବା ପ୍ରସ୍ତାବ ମଞ୍ଜୁର ହୋଇଛି। ବୁଧବାର ମନ୍ତ୍ରୀ ଶ୍ରୀ ସିନ୍ଧିଆ ଚିଠି‌ ଲେଖି ସାଂସଦ ଶ୍ରୀ ପୂଜାରୀଙ୍କୁ ଅବଗତ କରିଛନ୍ତି। ଗୁରୁ ସ୍ବର୍ଗତ ସାହୁଙ୍କ ଏକ ତୈଳଚିତ୍ରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସିଆଇପି ଲଞ୍ଜ୍‌ରେ ଲଗାଇବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିବା ନେଇ ମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଗୁରୁ ସ୍ବର୍ଗତ ସାହୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓ ଏ ଅଞ୍ଚଳର ଅନେକ ମଞ୍ଚ କଳାକାରଙ୍କ ଗୁରୁ ଥିଲେ। ତେଣୁ ତାଙ୍କ ଫଟୋଚିତ୍ରକୁ ବିମାନବନ୍ଦର କାନ୍ଥରେ ସ୍ଥାନିତ କରିବାକୁ ଅନୁରୋଧ କରିଥିବା ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

ଗୁରୁ ସ୍ବର୍ଗତ ସାହୁ ୧୯୩୧ ମସିହାରେ ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ କୁମ୍ଭାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଚମତ୍କାର ମଞ୍ଚ କଳାକାର ଓ ଲେଖକ ଥିଲେ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବି ତାଙ୍କର ଅବଦାନ ଯଥେଷ୍ଟ ଅଧିକ ରହିଥିଲା। ସେ ନିଜେ ବ୍ରଜେଶ୍ବରୀ ନାଟ୍ୟକଳା ପରିଷଦର ସ୍ଥାପନା କରି ଅଞ୍ଚଳର କଳାକାରଙ୍କୁ ପ୍ରୋତ୍ସାହିତ କରିଥିଲେ। ଜୀବନକାଳରେ ସେ ସୀତାଚୋରି, ରାମରାଜ୍ୟ, ପ୍ରଣୟ ବଲ୍ଲରୀ, ସତ୍‌ କହେଲେ ଛାତି ଫାଟେ, ବୀର ସୁରେନ୍ଦ୍ର ସାଏ ଆଦି ବହୁ ନାଟକ ନିର୍ଦେଶନା ଦେଇଥିଲେ। ସ୍ବର୍ଗତ ସାହୁଙ୍କ ନିର୍ଦ୍ଦେଶିତ ‘ସୁନ୍ଦର ସାଏ’ ସମ୍ବଲପୁରୀ ନାଟକ ତାଙ୍କ ନାଟକ ଜୀବନର ଏକ ମାଇଲ୍‌ ଖୁଣ୍ଟ ସାଜିଥିଲା। ୨୦୦୦ ମସିହାରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe