ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧନସରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ବୃଦ୍ଧ ତେନ୍ତୁଳି ଗଛରୁ ତଳେ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଧନସରା ଗ୍ରାମର ଭଗତ ଶବର ବୋଲି ଜଣାପଡିଛି।
ସୂଚନା ଅନୁଯାଇ ଧନସରା ଗ୍ରାମର ଭଗତ ଶବର ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ନିଜ ବାଡିରେ ଥିବା ତେନ୍ତୁଳି ଗଛରେ ତେନ୍ତୁଳି ତୋଳିବା ପାଇଁ ଚଢ଼ି ଥିଲେ । ତେବେ ଅସାବଧାନତା ଯୋଗୁ ଭଗତଙ୍କ ଗୋଡ ଖସି ଯିବାରୁ ଗଛ ଉପରୁ ସେ ତଳେ ପଡି ଯାଇଥିଲେ।
ଶବ୍ଦ ଶୁଣି ପରିବାର ଲୋକେ ଆସି ଦେଖିବା ବେଳକୁ ତେନ୍ତୁଳି ଗଛ ତଳେ ଭଗତ ଶବର ଅଚେତ୍ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ବୃଦ୍ଧ ଭଗତଙ୍କୁ ଏକ ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଅଢ଼େଇ କେଜି ଗଞ୍ଜେଇ ସହ ବହୁ ପରିମାଣର ଦେଶୀ ମଦ,ମହୁଲପୋଚ ଜବତ : ସ୍କୁଟି ସହ ଧରାପଡ଼ିଲେ ୫ ଅଭିଯୁକ୍ତ
କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତ ଭଗତଙ୍କ ପୁଅ ସୁବାଷ ଶବର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।
ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କେଶ ନ ୦୪/୨୫ ରେ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ଗୋପାଳ କୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି।
ଅଧିକ ପଢ଼ନ୍ତୁ: ବାଂଲାଦେଶ ସେନା ମୁଖ୍ୟଙ୍କୁ ଘାରିଛି ପିଲଖାନା ଭଳି ନରସଂହାର ଭୟ