ଅବକାରୀ ବିଭାଗରେ ହୁଲସ୍ତୁଲ: ‘ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ, କମିସନର୍‌ଙ୍କୁ ଇନସ୍‌ପେକ୍ଟର୍‌ଙ୍କ ଖୋଲା ଚିଠି

Advertisment
ଅବକାରୀ ବିଭାଗର ବାର୍ଷିକ ରେକର୍ଡ: ୨୦୨୨-୨୩ ବର୍ଷରେ ୮୯୬୭.୪୯ କୋଟି ରାଜସ୍ବ

କଟକ : ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଅବକାରୀ କମିସନର୍‌ଙ୍କୁ ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା। ଜୁନ୍‌ ୪ ତାରିଖରେ ଶ୍ରୀ ପଣ୍ଡା ଏଭଳି ଚିଠି ଲେଖିଛନ୍ତି। ଚିଠିଟି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କଲାଣି। କିନ୍ତୁ ଚିଠି ସମ୍ପର୍କରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି।

ପୁରୀ ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଇନସ୍‌ପେକ୍ଟର୍‌ ଇନ୍‌-ଚାର୍ଜ ଅଫିସ୍‌ରେ ଇନସ୍‌ପେକ୍ଟର୍‌ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍‌ ୪ ତାରିଖରେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି। ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଏସ୍‌ପି, ପୁରୀ ଅବକାରୀ ଏସ୍‌ପିଙ୍କୁ ମଧ୍ୟ ପଠାଇଛନ୍ତି। ଶ୍ରୀ ପଣ୍ଡା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି।

ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସ, ବିନା ମେଡାଲ୍‌ରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ, ପୁଲିସ କର୍ମଚାରୀଙ୍କ ଏ ପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ଶ୍ରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି। ତେବେ ବିଭାଗରେ ଦୁଇ ଦିନ ହେବ ଏଭଳି ଚିଠିକୁ ନେଇ ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ପୁରୀ ପୁଲିସ ଅଧିକାରୀଙ୍କ ବିରୋଧରେ ମାସିକିଆ ଟଙ୍କା ସଂଗ୍ରହ ଭଳି ସଂଗିନ ଅଭିଯୋଗ ଆସିଥିବା ଘଟଣା ଏବଂ ବିଭାଗରେ ଭିତ୍ତିଭୂମିର ଅଭାବ ଥିବା ଶ୍ରୀ ପଣ୍ଡା ଦର୍ଶାଇଥିବାରୁ ଏଭଳି ଚିଠିକୁ ନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି, ତାକୁ ଅପେକ୍ଷା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe