ମରିସସ୍‌ରେ ଓଡ଼ିଆ ଯୁବକ ୧୧ ମାସ ହେଲା ନିଖୋଜ

Advertisment

ଭାରତ ହାଇକମିସନ୍‌ଙ୍କୁ ବୈଜୟନ୍ତଙ୍କ ଚିଠି, ଆଶଙ୍କାରେ ପରିବାର

ଭାରତ ହାଇକମିସନ୍‌ଙ୍କୁ ବୈଜୟନ୍ତଙ୍କ ଚିଠି, ଆଶଙ୍କାରେ ପରିବାର

ମରିସସ୍‌ରେ ଓଡ଼ିଆ ଯୁବକ ୧୧ ମାସ ହେଲା ନିଖୋଜ

ବେଗୁନିଆପଡ଼ା : ରୋଜଗାର ପାଇଁ ଭେଣ୍ଡିଆ ପୁଅ ଘରୁ ପାଦ କାଢ଼ି ସୁଦୂର ମରିସସ୍ ଯାଇଥିଲା। ହେଲେ ୧୧ ମାସ ହେଲା ତା’ର ଆଉ ଖୋଜ୍‌ଖବର କି ପତ୍ତା ମିଳୁନି। ପୁଅ କେମିତି ଓ କେଉଁଠି ଅଛି, ଏହା ଭାବି ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି। ଆଶା ଆଶଙ୍କା ଭିତରେ ପରିବାରବର୍ଗ। ପୁଅକୁ ଖୋଜି ଆଣିବା ଲାଗି ଏହାମଧ୍ୟରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସମସ୍ତଙ୍କୁ ଚିଠି ଲେଖିସାରିଲେଣି। ତଥାପି କୌଣସି ସୁଫଳ ମିଳୁନି। ଶେଷରେ ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରିବାରବର୍ଗ ଫେରାଦ୍ ହୋଇଛନ୍ତି। ଆଉ ସଂପୃକ୍ତ ଓଡ଼ିଆ ଯୁବକଙ୍କୁ ଭାରତ ଆଣିବା ଲାଗି ଶ୍ରୀ ପଣ୍ଡା ହାଇକମିସନ୍‌ଙ୍କୁ ଏକ ଚିଠି ଲେଖିଛନ୍ତି।

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ଼ ନିକଟ ଫାରକାପଲ୍ଲୀ ଗ୍ରାମର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଟୁନା (୨୬) ୨୦୧୭ ମସିହା ମାର୍ଚ୍ଚ ମାସରେ ମରିସସ୍ ଯାଇଥିଲେ। ପୂର୍ବ ମୁମ୍ବାଇର ଗୋରେଗାଁଓ ସ୍ଥିତ ‘ଜାଭେରି ଆସୋସିଏଟ୍ ଗାଲା ନମ୍ବର-୩୯’ ସଂସ୍ଥାର ଜଣେ ଏଜେଣ୍ଟ୍‌ଙ୍କ ମାଧ୍ୟମରେ ସେ ମରିସସ୍‌ରେ ପହଞ୍ଚି ‘ଆକ୍ୟୁରେଲି କ୍ଲଥିଂ ଲିମିଟେଡ୍ ବାଉଣ୍ଡାରି’ ନାମକ ଏକ କମ୍ପାନିରେ ‌ଟେଇଲର୍ ଭାବେ ଚାକିରି କରୁଥିଲେ। ସବୁକିଛି ଠିକ୍‌ଠାକ୍ ଚାଲିଥିଲା।ଗତବର୍ଷ ମାର୍ଚ୍ଚ ୨ ତାରିଖରେ ଟୁନା ଘରକୁ ଟଙ୍କା ପଠାଇବା ଲାଗି ନିଜ କର୍ମସ୍ଥଳୀ ନିକଟରେ ଥିବା ଏକ ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ସାଙ୍ଗସାଥୀ ମାନେ ବ୍ୟସ୍ତବିବ୍ରତ ହୋଇ ଏନେଇ ତାଙ୍କ ପରିବାରକୁ ଅବଗତ କରାଇଥିଲେ। ଟୁନା ନିଖୋଜ ହୋଇଯାଇଥିବା ସଂକ୍ରାନ୍ତରେ ତାଙ୍କ ଭାଇ ପ୍ରଶାନ୍ତ ତୁରନ୍ତ ମୁମ୍ବାଇସ୍ଥିତ ଏଜେଣ୍ଟ୍‌ଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କମ୍ପାନି ସହ ବି ‌ଯୋଗାଯୋଗ କରିଥିଲେ। କିନ୍ତୁ ଟୁନାଙ୍କ ଖୋଜ୍‌ଖବର ମିଳି ନଥିଲା। ପରେ ପରିବାରବର୍ଗ ବେଗୁନିଆପଡା ଫାଣ୍ଡିରେ ଏତଲା ଦେବା ସହ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ.ପି., ଜିଲ୍ଲା ଶ୍ରମ ଅଧିକାରୀ, ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ ବିଭାଗ ସଚିବ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିଲେ। ଆଉ ଟୁନାଙ୍କୁ ଠାବ କରି ସୁରକ୍ଷିତ ଭାବେ ଆଣିବାକୁ ନିବେଦନ କରିଥିଲେ।

ହେଲେ ଏହା ଭିତରେ ୧୧ ମାସ ବିତିସାରିଲାଣି। କିନ୍ତୁ ଟୁନା କେଉଁଠି ଓ କିଭଳି ପରିସ୍ଥିତିରେ ଅଛନ୍ତି ଏହାକୁ ନେଇ ପରିବାରବର୍ଗ ଆଶାଆଶଙ୍କା ଭିତରେ ରହିଛନ୍ତି। ଟୁନାଙ୍କ ମୋବାଇଲ୍ ସହ ମଧ୍ୟ ଯୋଗାଯୋଗ ହୋଇପାରୁନି। ଶେଷରେ ଭାଇ ପ୍ରଶାନ୍ତ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଗୁହାରି କରିଥିଲେ। ଏହାକୁ ଆଧାର କରି ଶ୍ରୀ ପଣ୍ଡା ଗତ ୧୬ ତାରିଖରେ ଭାରତୀୟ ହାଇକମିସନର୍ କେ.ନନ୍ଦିନୀ ସିଂଘଳାଙ୍କୁ ଚିଠି ଲେଖିଛନ୍ତି। ଏଥି‌ରେ ହସ୍ତ‌କ୍ଷେପ କରି ଟୁନାଙ୍କୁ ସୁରକ୍ଷିତ ଭାବେ ଭାରତ ଆଣିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଣ୍ଡା ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଟୁନାଙ୍କୁ ଠାବ କରିବା ଲାଗି ଭାଇ ପ୍ରଶାନ୍ତ ଦିନରାତି ଏକ କରିଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ତୁରନ୍ତ କୌଣସି ପଦକ୍ଷେପ ନେବାକୁ କୋହଭରା କଣ୍ଠରେ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe