Times of India
ରିଆମାଳ : ରିଆମାଳ ଥାନା ନାଉଲିପଡା ପଞ୍ଚାୟତ ମାଦଳିଆ ନାଳ, ସତୀଘାଟ ଡ୍ୟାମ ନିକଟରୁ ଅଜଣା ଶବ ଜବତ ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିଛି। ସେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ସୁତୀ ଥାନା ଅନ୍ତର୍ଗତ ବାମହରିଚନ୍ଦିର ଗ୍ରାମର ଇସାକ ଶେଖଙ୍କ ପୁଅ ଦିଲଦାର ଶେଖ (୩୫)। ଏହି ଘଟଣାରେ ପୁଲିସ ଇସାକଙ୍କ ପତ୍ନୀ ଓ ତାଙ୍କ ଝିଅକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ହେଉଛନ୍ତି ରିଆମାଳ ଥାନା ନାଉଲିପଡା ପଞ୍ଚାୟତ ଛତବାର ଗ୍ରାମର ରାଜା ମହାପାତ୍ରଙ୍କ ଝିଅ ରୁବିତା ମହାପାତ୍ର (୨୨) ଓ ସ୍ତ୍ରୀ ରେବତୀ ମହାପାତ୍ର (୫୬)।
ପୁଲିସ ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ସୁନାରିପଡା ଗ୍ରାମର କ୍ଷୀରୋଦ ବିହାରୀ ରଣା ରିଆମାଳ ପୁଲିସକୁ ଜଣାଇଥିଲ ଯେ ସତୀଘାଟ ଡ୍ୟାମରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ପଡ଼ିଥିଲା। ଖବରପାଇ ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ମୃତକଙ୍କ ପରିଚୟ ମିଳି ପାରି ନଥିଲ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ଦେବଗଡ଼ ମେଡିକାଲ୍କୁ ପଠାଇଥିଲା। ତଦନ୍ତ ସମୟରେ ଦିଲଦାରଙ୍କ ସାନ ଭାଇ ଆକାଶ ଶେଖ (୨୨) ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ମୃତଦେହ ତାଙ୍କ ଭାଇଙ୍କର ବୋଲି ଚିହ୍ନଟ କରିଥିଲେ। ତାଙ୍କ କହିବା ଅନୁଯାୟୀ ଉଭୟ ଛତାବର ଅଞ୍ଚଳରେ ମିସ୍ତ୍ରି କାମ କରୁଥିଲେ। ସେଠାରେ ରହିବା ମଧ୍ୟରେ ଦିଲଦାରଙ୍କ ସହିତ ରୁବିତାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଉଭୟ ବିବାହ କରିଥିଲେ। ସେମାନଙ୍କର ଗୋଟି ପୁଅ ଅଛି। ପରେ ଦିଲଦାର ଓ ରୁବିତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ଲାଗୁଥିଲା। ଦିଲଦାର ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲା। ଶେଷରେ ରୁବିତା ଦିଲଦାରକୁ ଛାଡ଼ି ଅନ୍ୟତ୍ର ବିବାହ କରିଥିଲେ। ଏହା ପରେ ମଧ୍ୟ ସେ ରୁବିତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ତାଙ୍କ ସହତ ଶାରୀରକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲା। ଏଥିରେ ସେ ଅତିଷ୍ଠ ହୋଇ ଦିଲଦାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ରୁବିତା ଯୋଜନା କରିଥିଲେ।
୧୦ ତାରିଖ ଗୁରୁବାର ଦିନ ରୁବିତା ଦିଲଦାରକୁ ଗାଁ ନିକଟସ୍ଥ ସତୀଘାଟ ନକଟକୁ ଡାକିଥିଲେ। ଦିଲଦାର ନିକଟସ୍ଥ ନୂଆଗାଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ ନେଇ ଉକ୍ତ ଜଙ୍ଗଲ ମଧ୍ୟକୁ ଯାଇଥିଲା। ସେଠାରେ ରୁବିତା ଓ ଦିଲଦାର ମଦ୍ୟ ପାନ କରିଥିଲେ। ପରେ ସୁଯୋଗ ଦେଖି ସାଙ୍ଗରେ ନେଇ ଯାଇଥିବା ଏକ କୁରାଢ଼ୀରେ ଦିଲଦାରର ବେକରେ ଚୋଟ ମାରିଥିଲେ। ସେଠାରେ ଲୁଚି ରହିଥିବା ତାଙ୍କ ମା’ ରେବତୀ ମଧ୍ୟ ଏଥିରେ ସହାୟତା କରିଥିଲେ। ନିଶାସକ୍ତ ଦିଲଦାର କିଛି ବୁଝିବା ପୂର୍ବରୁ ସେଠାରେ ଟଳି ପଡ଼ିଥିଲା। ପରେ ଉଭୟ ଘରକୁ ଫେରି ଯାଇଥିଲେ। ଦିଲଦାରର ମୋବାଇଲ ଓ ପର୍ସକୁ ଗାଁ ପୋଖରୀରେ ଫିଙ୍ଗି ଦେଇଥିଲେ। ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ଘରକୁ ନେଇ ଆସିଥିଲେ। ଘଟଣାର ୬ ଦିନ ପର୍ଯ୍ୟନ୍ତ କେହି କିଛି ଖୋଜଖବର ପାରି ନଥିଲେ। ଏପଟେ ଆକାଶ ବଡ଼ଭାଇଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। ୧୬ ତାରିଖ ବୁଧବାର ଦିନ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମୃତଦେହ ଚିହ୍ନଟ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ଘଟଣାରେ ସଂପୃକ୍ତ ସନ୍ଦେହରେ ଉଭୟ ମା’ ଓ ଝିଅଙ୍କୁ ଡାକି ପଚରାଉଚରା କରିଥିଲେ। ସେମାନେ ସତକଥା ପୁଲିସ ଆଗରେ ସ୍ବୀକାର କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us