ରାଉରକେଲା: ପାଗଳ ଓ ପାଗଳୀଙ୍କ ଭିନ୍ନ ଏକ ପୂଜାସ୍ଥଳ

ରାଉରକେଲା: ପାଗଳ ଓ ପାଗଳୀଙ୍କ ଭିନ୍ନ ଏକ ପୂଜାସ୍ଥଳ

ରାଉରକେଲା: ମା’ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତୀ ଓ ଫଟୋ ସୁସଜ୍ଜିତ ଅବସ୍ଥାରେ ଥିଲା। ପାଖରେ ଥିଲା ଏକ କଳସ। ତା’ ଉପରେ ଏକ ଛିଟ ଲାଲ କପଡ଼ାରେ ଗୁଡ଼ାଯାଇ ଏକ ନଡ଼ିଆ ରହିଥିଲା। ଝୁଣା ଧୂପ ଦେବା ଭଳି ସେ ସ୍ଥାନ ଥିଲା ଧୂଆଁମୟ। ପାଖ‌େର ଥିଲେ ଜଣେ ମହିଳା ଏବଂ ତାଙ୍କ ଠାରୁ କିଛି ଦୂରରେ ଥିଲେ ଜଣେ ମଧ୍ୟବୟସ୍କ ପୁରୁଷ। ସତେ ଯେପରି ସେଠାରେ ହିନ୍ଦୁ ଦେବାଦେବୀଙ୍କ ପୂଜା ଆରଧାନ ଚାଲିଥିଲା। ରାଉରକେଲା ପାନପୋଷ ରୋଡ଼ସ୍ଥିତ ତାରିଣୀ ମନ୍ଦିର ସମ୍ମୁଖ ଓଭରବ୍ରିଜ୍‌ ତଳର ଏହି ଦୃଶ୍ୟ ସମ୍ପ୍ରତି ଇସ୍ପାତ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଆଲୋଚନାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଦୁଇ ପାଗଳ ଓ ପାଗଳୀ। ମନ୍ଦିର ଆଗରେ ଏହି ସ୍ଥାନକୁ ସଫାସୁତୁରା କରି ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ଓ ଫଟୋଚିତ୍ର ରଖି ସେମାନ ଯେଭଳି ଭାବେ ରହୁଛନ୍ତି ତାହା ନଜରକୁ ଆସିଲେ ନ ଅଟକି କେହି ଯାଇ ପାରୁନାହିଁ।

ତାରିଣୀ ମନ୍ଦିର ଓଭରବ୍ରିଜ୍‌ ତଳେ ଜଣେ ପାଗଳ ଓ ଜଣେ ପାଗଳୀ ଦୀର୍ଘ ଦିନ ହେଲା ରହୁଛନ୍ତି। ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ସେମାନଙ୍କ ନାମ, ପରିଚୟ କିମ୍ବା ଘର ଠିକଣା କାହାକୁ ଜଣାନାହିଁ। କେହି ବାଦାନ୍ୟ ବ୍ୟକ୍ତି ଖାଇବାକୁ ନ ଦେଲେ ଭୋକ ଉପାସରେ ରହୁଛନ୍ତି। ସମ୍ପ୍ରତି ରାଉରକେଲା ସହରରେ ଶୀତର ପ୍ରକୋପ ବଢି ଚାଲିଥିବା ବେଳେ ବିନା ଶୀତବସ୍ତ୍ରରେ ସେମାନଙ୍କ ରାତି କଟୁଛି। ଏହି ଦୁଇ ପାଗଳ ଓ ପାଗେଳିଙ୍କ ଭଳି ରାଉରକେଲା ସହରର ଅନେକ ଯାତ୍ରୀ ପ୍ରତୀକ୍ଷାଳୟ ଓ ପରିତ୍ୟକ୍ତ ଗୃହରେ ବହୁ ପାଗଳ ତଥା ମସ୍ତିଷ୍କ ବିକୃତ ରହୁଛନ୍ତି। କିନ୍ତୁ ସେମାନେ ଓ ତାରିଣୀ ମନ୍ଦିର ଓଭରବ୍ରିଜ୍‌ ପାଗଳ ପାଗଳୀଙ୍କ ମଧ୍ୟରେ ବହୁ ଫରକ ଦେଖିବାକୁ ମିଳୁଛି। ଅନ୍ୟସ୍ଥାନରେ ପାଗଳଙ୍କ ରହିବା ଶୈଳୀ ଠାରୁ ସାଧାରଣ ଲୋକଙ୍କ ପ୍ରତି ବ୍ୟବହାର ପର୍ଯ୍ୟନ୍ତ ଅନେକ ଫରକ ଦେଖିବାକୁ ମିଳୁଛି। ମନ୍ଦିରର ପୂଜା କପଡ଼ା, ଝଣ୍ଡା, ଦେବାଦେବୀଙ୍କ ଫଟୋ, ଛୋଟ ମାଟି ମୂର୍ତ୍ତୀକୁ ସଂଗ୍ରହ କରି ସେମାନେ ଏପରି ସୁସଜ୍ଜିତ କରି ରଖିଛନ୍ତି ତାହା ଯେ କୌଣସି ପାଗଳଙ୍କ କାମ ନ ଦେଖିଲେ କେହି ସହଜରେ ବିଶ୍ବାସ କରି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe