ବନ୍ଦ ହେଉନି ଆନନ୍ଦବଜାର ବିଶୃଙ୍ଖଳା: କୋଇଲି ବୈକୁଣ୍ଠରେ ବିକ୍ରି ହେଉଛି ମହାପ୍ରସାଦ

Advertisment

ଭକ୍ତଙ୍କୁ ଶୋଷଣ ପାଇଁ ମାତିଛନ୍ତି ଦଲାଲ

ଭକ୍ତଙ୍କୁ ଶୋଷଣ ପାଇଁ ମାତିଛନ୍ତି ଦଲାଲ

ବନ୍ଦ ହେଉନି ଆନନ୍ଦବଜାର ବିଶୃଙ୍ଖଳା: କୋଇଲି ବୈକୁଣ୍ଠରେ ବିକ୍ରି ହେଉଛି ମହାପ୍ରସାଦ

Lord Jagannath

ପୁରୀ : ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ୨୦୧୮ ମସିହାରୁ ସୁପ୍ରିମକୋର୍ଟ ଆଦେଶ ଦେଲେଣି। କିନ୍ତୁ ଅଦ୍ୟାବଧି ଆନନ୍ଦବଜାରରେ ଶୃଙ୍ଖଳା ଫେରୁନି। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ଆନନ୍ଦବଜାର ବଦଳରେ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି। କିଛିଦିନ ହେବ କୋଇଲି ବୈକୁଣ୍ଠରେ କିଛି ସୁଆର ସେବକ କୋଇଲି ବୈକୁଣ୍ଠରେ ବସି ମହାପ୍ରସାଦ ବିକ୍ରି କରୁଛନ୍ତି। ଏହାକୁ ନେଇ ଅନ୍ୟ ସୁଆର ସେବକଙ୍କ ମହଲରେ ଅସନ୍ତୋଷ ‌ଦେଖା ଦେଇଥିଲେ ବି ପରିଚୟ ଆଗରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ଏକ ବଡ଼ ଘଟଣା ହେଉଛି, କିଛିଦିନ ହେବ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ ଦଲାଲଙ୍କ ସଂଖ୍ୟା ବଢ଼ିଯାଇଛି। ଯେଉଁମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣି ଏହାକୁ ଦୁଇଗୁଣା ତିନିଗୁଣା ଦରରେ ବିକ୍ରି କରୁଛନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସ୍ବତ୍ତ୍ବଲିପି ଆଧାରରେ ଯେଉଁମାନେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ଯୋଗ୍ୟ ସେହିମାନଙ୍କୁ ବି ମହାପ୍ରସାଦ ବିକ୍ରିର ‌ସୁଯୋଗ ଦେଇ ଅନ୍ୟମାନଙ୍କୁ ବିତାଡ଼ିତ କରିବାକୁ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଏକ ତାଲିକା ବି ପ୍ରସ୍ତୁତ ହୋଇଥିଲା। ଏମାନଙ୍କ ସହ କେତେ ଲୋକ ରହିବେ ତାର ବି ତାଲିକା ତିଆରି ହୋଇଥିଲା। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍‌ ତିଆରି କରାଗଲା। କୋଡୁଆ ଆଦି ରଖିବାକୁ ଏଥିରେ ବ୍ୟବସ୍ଥା ରହିଲା। ଆନନ୍ଦବଜାର ବାହାରେ ମହାପ୍ରସାଦ ଖାଇବା କି ବିକ୍ରି କରିବାରେ କଟକଣା ଲଗାଗଲା। ଏହାସତ୍ତ୍ବେ କିଏ ବାଇଶି ପାହାଚ ପାଖରେ ମହାପ୍ରସାଦ ବିକ୍ରି ଓ ସେବନ କଲେଣି ତ' କିଏ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି ଓ ସେବନ କଲେଣି। ଏହା ପ୍ରଶାସନିକ ଅଧିକାରୀ, ଜେଟିପିମାନେ ଦେଖୁଥିଲେ ବି ନିରବ ରହିବା ସାଧାରଣରେ ପ୍ରଶ୍ନ ଉଠିଛି।

ସେପଟେ କିଛି ବ୍ୟକ୍ତି ଏବେ ଉତ୍ତର ଓ ଦକ୍ଷିଣଦ୍ବାରରେ ରହୁଥିବା ପୁଲିସ, ଜେଟିପିଙ୍କୁ ହାତ କରି ଧୋତି, ଗାମୁଛା ପିନ୍ଧି ବୋଝିଆ, ସୁଆର ସେବକ ବେଶରେ ଭକ୍ତଙ୍କୁ ଲୁଟିବା ଆରମ୍ଭ କରି ଦେଇଛନ୍ତି। ଜନୈକ ବରିଷ୍ଠ ସୁଆର ସେବକଙ୍କ କହିବା ଅନୁସାରେ, ଏହି ଦଲାଲମାନେ ବାହାର ଭକ୍ତଙ୍କୁ ଦେଖି ଆନନ୍ଦବଜାରରୁ ଯଦି ୩ଶହ ଟଙ୍କା ମହାପ୍ରସାଦ ନେଉଛନ୍ତି, ଏହାକୁ ୬ଶହରୁ ୭ଶହରୁ ୯ଶହ ଟଙ୍କାରେ ବିକ୍ରି କରୁଛନ୍ତି। କିଛି ନିର୍ଦ୍ଧିଷ୍ଟ ସୁଆର ସେବକଙ୍କୁ ହାତ କରି ଏମାନେ ଏଭଳି ଦୌରାତ୍ମ୍ୟ କରୁଛନ୍ତି। କିଛି ଜେଟିପି, ପୁଲିସଙ୍କୁ ବି ମହାପ୍ରସାଦ ଦେଇ ଶ୍ରୀମନ୍ଦିରରେ ଅବାଧ ପ୍ରବେଶର ବାଟ ଖୋଲି ଦେଇଛନ୍ତି। ଏଣୁ ଏମାନେ ପରିଚୟପତ୍ର ନ ପିନ୍ଧିଲେ ବି ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ମନ୍ଦିରକୁ ଛାଡ଼ି ଦିଆଯାଉଛି। ଯଦ୍ବାରା ଅନ୍ୟ ସୁଆର ସେବକମାନେ ବଦନାମ ହେଉଛନ୍ତି। ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବରିଷ୍ଠ ସୁଆର ସେବକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe