ଅଣସର ଘରେ ଶ୍ରୀଜିଉଙ୍କୁ ଖଳି ଲାଗି

ଅଣସର ଘରେ ଶ୍ରୀଜିଉଙ୍କୁ ଖଳି ଲାଗି

ପୁରୀ : ଉପଚାର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ଅନବସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଖଳି ଲାଗି ଓ ଖଡ଼ି ଲାଗି କରାଯାଇଛି। ଶ୍ରୀଜିଉଙ୍କ ଶ୍ରୀମୁଖ ଓଷ ପାଇଁ ଶୁଦ୍ଧ ସୁଆରଙ୍କ ଘରୁ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଘଣ୍ଟ, ଓଲାର, ଛତାର, ବାଦ୍ୟ ଓ ବିଜେ କାହାଳୀ ବଜାଯାଇ ଶୁଦ୍ଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ରୁପାର ପିଙ୍ଗଣରେ ଖଳି ରଖି ଅଣସର ଘରେ ବିଗ୍ରହମାନଙ୍କ ପାଖରେ ଦଇତାଙ୍କ ଦ୍ବାରା ଖଳି ଲଗାଯାଇଛି।

ସ୍କନ୍ଦପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ଓ ଦେଉଳତୋଳା ଗ୍ରନ୍ଥ ଅନୁଯାୟୀ ବିଦ୍ୟାପତି ଓ ଲଳିତାଙ୍କ ବିବାହ ପରେ ଜନ୍ମଲାଭ କରିଥିବା ସନ୍ତାନ ଶୁଦ୍ଧ ସୁଆର ଭାବେ ବିଦିତ। ସେମାନେ ସ୍ବଗୃହରେ ଖଳି ପ୍ରସ୍ତୁତ କରି ଅଧିବାସ ପୂଜା କରାଇ ଶ୍ରୀଅଙ୍ଗରେ ଦିବ୍ୟ ଲେପନ ଦେଲେ ପ୍ରଭୁ ଆରୋଗ୍ୟ ଲାଭ କରିଥାଆନ୍ତି। ‌ଏନେଇ ଦେବସ୍ନାନ ପୂର୍ଣ୍ଣିମା ଦିନଠୁ ଶୁଦ୍ଧ ସୁଆରମାନେ ଶୋଧ ହୋଇଥାଆନ୍ତି। ଶୁଦ୍ଧ ସୁଆରଙ୍କ ଘରେ ଅଧିବାସ କରାଯାଇ ଖଳି ପ୍ରସ୍ତୁତ କରାଯିବାର ବିଧି ରହିଛି। ବିଶେଷକରି ଅଟା, କର୍ପୂର, ଚନ୍ଦନ ଓ କେଶରକୁ ମିଶାଇ ଖଳି ପ୍ରସ୍ତୁତ କରାଯାଏ। ତିନି ଠାକୁରଙ୍କ ପାଇଁ ତିନି ସୁଆରଙ୍କ ଘରୁ ଏହି ଖଳି ଯାଇଛି।

ଆଜି ବନକଲାଗି ନୀତି ଅନୁଷ୍ଠିତ ହେବା ସହ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହେବ। ଖଳିଲାଗି ପରେ ମହାପ୍ରଭୂ ସୁସ୍ଥ ହୋଇ ନବଯୌବନ ପାଇ ଭକ୍ତଙ୍କୁ ଦର୍ଶନ ଦେ‌ବେ। ମଧ୍ୟ ରାତ୍ରରେ ଦତ୍ତ ମହାପାତ୍ରଙ୍କ ଦ୍ଵାରା ଶ୍ରୀମନ୍ଦିରକୁ ଖଡି ବିଜେ ପରେ ଆଜି ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହେବାର ପରମ୍ପରା ରହିଛି ବୋଲି ଦତ୍ତ ମହାପାତ୍ର ସେବାୟତ କହିଛନ୍ତି। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଖଡ଼ି ପ୍ରସାଦ ଲାଗି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe