ମହାପ୍ରଭୁଙ୍କୁ ଓଷ ଲାଗି: ଅଣସର ଘରେ ଚାଲିଛି ଗୁପ୍ତ ସେବା

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଅଣସର ପିଣ୍ଡିରେ ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି। ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର(ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି। ଗତକାଲି ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଲାଗି କରାଯାଇଥିବା ବେଳେ ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି। ଏହି ଓଷ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ। ତିନିଦିନ ଧରି ମହାପ୍ରଭୁଙ୍କ ଏହି ଓଷ ଉପଚାର ଚାଲିବ।

ପ୍ରତିଦିନ ଭଳି ଆଜି ପଟିଦିଅଁଙ୍କଠାରେ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଦ୍ୱାର ଫିଟାଯାଇ ଏହି ଗୁପ୍ତ ସେବା ଆରମ୍ଭ ହୋଇଥିଲା। ଅଣସର ଘରେ ଗୁପ୍ତ ସେବା ସରିବା ପରେ ପୁଣି ଅଣସର ଦ୍ୱାର ବନ୍ଦ ହୋଇଥିଲା। ପରେ ପଟିଦିଅଁଙ୍କ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ପ୍ରତିଦିନ ଏଭଳି ଚାଲିଆସୁଛି।

ସୂଚନାଯୋଗ୍ୟ, ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ମହାପ୍ରଭୁ ଚକାବିଜେ କରିବେ। ଫୁଲୁରି ତେଲ ଓ ଓଷ ମର୍ଦ୍ଦନ ହେବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି। ସାମାନ୍ୟ ସୁସ୍ଥତା ପରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ଚକା ବିଜେ ପରଦିନ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର, ଦଶମୂଳ ଓ ଖଳି ଲାଗି କରାଯିବ। ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ପରେ ପରେ ଘଣାଲାଗି ଓ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବେ। ଚକା ଅପସର ସହ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହି ଦିନ ବାହୁଟକଣ୍ଟ ଓ ସେନାପଟା ଲାଗି ହେବ। ଜୁନ ୨୦ରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe