ଆନାଟୋମି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବିବାଦ ; ସ୍ୟାଟ୍‌ଙ୍କ ଅଙ୍କୁଶ, ପକ୍ଷ ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ

Advertisment
ଆନାଟୋମି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବିବାଦ ; ସ୍ୟାଟ୍‌ଙ୍କ ଅଙ୍କୁଶ, ପକ୍ଷ ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ

sarkarinaukrisamachar.com

କଟକ : ଆନାଟୋମି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆନାଟୋମି ବିଭାଗରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ସଂପର୍କିତ ଓପିଏସସିର ୨୦୧୯, ଜୁନ୍ ୭ର ସୁପା‌ରିଶ ଆଧାରେ କୌଣସି ନିଯୁକ୍ତି ନିର୍ଦ୍ଦେଶ ପ୍ରତିପକ୍ଷ ନମ୍ବର-୩ଙ୍କ ସପକ୍ଷରେ ଦିଆଯାଇ ପାରିବ ନାହିଁ ବୋଲି ସ୍ୟାଟ୍ ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଛନ୍ତି। ସ୍ୟାଟ୍ କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସ୍ମିତା ପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ବିତୀୟ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଓପିଏସସି ସଚିବ,ଏସ୍.ପ୍ରଧାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ମେଡିକାଲ ଏଜୁକେସନ୍ ସର୍ଭିସର ଗ୍ରୁପ୍-ଏରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜୁନ୍ ୭ରେ ଆନାଟୋମି ଓ ଅନ୍ୟ କେତେକ ବିଭାଗ ପାଇଁ ଫଳାଫଳ ବାହାରିଥିଲା ଓ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ନାଁ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା। ଯୁକ୍ତ ତିନି ପରେ ଏମ୍‌ଏସସି ଆନାଟୋମି ପାସ୍ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଏମବିବିଏସ୍ ପାଠ୍ୟକ୍ରମ ଶେଷ କରିବା ପରେ ଏମଡି/ଏମଏସ୍ କରିଥିବା ପ୍ରାର୍ଥୀ ଉପଲବ୍ଧ ଥିବା ବେଳେ ମେଡିକାଲ ଡିଗ୍ରି ନଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ବେଆଇନ। ଯଦି ମେଡିକାଲ ଡିଗ୍ରି ନଥିବା ପ୍ରାର୍ଥୀ ନ ମିଳନ୍ତି ତେବେ କେବଳ ଅଣମେଡିକାଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାରିବ। ଓପିଏସସି ପକ୍ଷରୁ ଆନାଟୋମି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ କରାଯାଇଥିବା ସୁପାରିଶର ବୈଧତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe