ବିଭିନ୍ନ ଦାବି ନେଇ ଜରି ଡାକ୍ତରଖାନା ଆଗରେ ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଗଣଧାରଣା

ବିଭିନ୍ନ ଦାବି ନେଇ ଜରି ଡାକ୍ତରଖାନା ଆଗରେ ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଗଣଧାରଣା

ବିଂଝାରପୁର: ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନ ଜରୀ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବୁଧବାର ଦିନ ବିଭିନ୍ନ ଦାବି ନେଇ ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନିଯୁକ୍ତି ଆଦି ଦାବି ରହିଛି। ମଞ୍ଚର ସଂପାଦକ ବ୍ରହ୍ମାନନ୍ଦ ମଲିକଙ୍କ ନେତୃତ୍ଵରେ ଜରୀ, ଛନ୍ଦାମୁଣ୍ଡ, ବାଙ୍ଗରା ଅଞ୍ଚଳର ଶହଶହ ମହିଳା, ପୁରୁଷ, ଛାତ୍ର, ଯୁବକ ଏକଜୁଟ ହୋଇ ଆମରଣ ଅନଶନରେ ବସିଛନ୍ତି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ତଥା ବିଂଝାରପୁର ବ୍ଲକର ଶେଷସୀମାରେ ଜରୀ, ବାଙ୍ଗରା ପଞ୍ଚାୟତ ରହିଛି। ଏହି ୨ଟି ପଞ୍ଚାୟତକୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଲାଗିଛି। ଜରୀଠାରୁ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଦୂରତା ୨୦ କିଲୋମିଟର। ଆଖପାଖରେ ଆଉ କୌଣସି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ନାହିଁ। ୧୯୮୭ ରେ ଜରୀ ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ଏଠାରେ କୌଣସି ସ୍ଥାୟୀ ଡାକ୍ତର କି ଫାର୍ମାସିଷ୍ଟ ଓ ନର୍ସ ନାହାନ୍ତି। ରାତିଅଧିଆ ଏଠାକୁ ଆସୁଥିବା ପ୍ରସୂତି ମହିଳାଙ୍କୁ ୪୦ କିଲୋମିଟର ଦୂର ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ପଡୁଛି। ଅଧିକାଂଶ ସମୟରେ ପ୍ରସୂତି, ଝାଡ଼ାବାନ୍ତି ଓ ସାପକାମୁଡ଼ା ରୋଗୀ ଯାଜପୁର ଯାଉଯାଉ ସଂକଟାପନ୍ନ ହୋଇଥାନ୍ତି। ଅଖପାଖ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ଦଳିତ, ଅବହେଳିତ ଲୋକ ଜରୀ ଡାକ୍ତରଖାନା ଉପରେ ନିର୍ଭର କରୁଥିବାରୁ ଏହାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ଜରୁରି ହୋଇପଡ଼ିଛି। ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାକୁ ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚର ସଭାପତି ଜଗନ୍ନାଥ ସାମଲ, ଉପସଭାପତି ଅଶୋକ କୁମାର ସାମଲ, ସଂପାଦକ ବିରେନ୍ଦ୍ରନାଥ ସାମଲ, କିଶୋର ସାମଲ, ଯଦୁକୁଳ ସାମଲ, ସୁବାସଚନ୍ଦ୍ର ଘଡ଼ାଇ, କାମଦେବ ମଲିକ, ଶ୍ରୀଧର ମଲିକ, ହରେକୃଷ୍ଣ ବାରିକ, ଭାସ୍କର ଦାସ, ସନାତନ ମଲିକ, ଗଣନାଥ ବିଶ୍ଵାଳ, ନିରଂଜନ ଜେନା, ପ୍ରଦୀପ ଜେନା, ଅମର ମଲିକ, ନିତ୍ୟାନନ୍ଦ ପରିଡ଼ା ଦାବି କରିଛନ୍ତି। ନଚେତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe