ପୁଣି ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଟଙ୍କାପାଇଁ ଶିଶୁକୁ ଅପହରଣ

ଅପହରଣ କରି ୪୦ ଲକ୍ଷ ଟଙ୍କା ମାଗିଲେ

TimesLIVE

ଝାରସୁଗୁଡ଼ା: ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକୁ ଘରୁ ଅପହରଣ କରିନେଲେ ୨ ମହିଳା। ଶିଶୁକୁ ନପାଇ ମା’ ରାତି ତମାମ ବ୍ୟସ୍ତବିବ୍ରତ ହେଉଥିବା ବେଳେ ବୁଧବାର ପୁଲିସ୍‌ ସହାୟତାରେ ଶିଶୁକୁ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ସହର ବୁରୋମାଲ୍‌ରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଝାରସୁଗୁଡ଼ା ପୁଲିସ୍‌ ଏକ ମାମଲା ରୁଜୁ କରି ସରବାହାଲର ସୁକାନ୍ତି ସେଠୀ ଓ ଅନସୂୟା କଲେତକୁ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଶିଶୁକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ, ସୁକାନ୍ତି ଓ ଅନସୂୟା ସହ ସହ ମିଶି ବୁରୋମାଲର ସ୍ମିତା ନାଏକ ଏକ ଗ୍ରୁପ୍‌ କରି ଟଙ୍କା କାରବାର କରୁଥିଲେ। ସ୍ମିତା ୩୫ ହଜାର ଟଙ୍କା ଦେବାର ଥିଲା। ମଙ୍ଗଳବାର ରାତିରେ ସେ ଘରେ ନଥିବା ବେଳେ ଅଭିଯୁକ୍ତ ମହିଳା ଦ୍ବୟ ତାଙ୍କ ଘରେ ପଶି ଅଢ଼େଇ ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଇଥିଲେ। ସୁକାନ୍ତି ଛୁଆକୁ ନେଇ ସରବାହାଲ ସ୍ଥିତ ନିଜ ଘରେ ରଖିଥିଲା। ସ୍ମିତା ଘରକୁ ଫେରି ପୁଅକୁ ନ ପାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ୩୫ ହଜାର ଟଙ୍କା ଦେଲେ ଯାଇ ପୁଅକୁ ଫେରସ୍ତ କରାଯିବ ବୋଲି କହିଥିଲେ। ସ୍ମିତା ଝାରସୁଗୁଡ଼ା ଥାନାର ଦ୍ବାରସ୍ଥ ହୋଇ ସମସ୍ତ ବିଷୟ ଜଣାଇଥିଲେ। ପୁଲିସ୍‌ ୨ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ସରବାହାଲରୁ ଶିଶୁକୁ ଉଦ୍ଧାର କରିଥିଲା। ପ୍ରକାଶଥାଉ କି, ଚଳିତବର୍ଷ ଏଯାଏ ଏହା ହେଉଛି ଜିଲ୍ଲାର ଚତୁର୍ଥ ଅପହରଣ ଘଟଣା। ପୂର୍ବରୁ ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା ଘଟିଥିବା ବେଳେ ବୁରୋମାଲରୁ ଜଣେ ୧୪ ବର୍ଷର ବାଳକ ଓ ବ୍ରଜରାଜନଗର ମଦଭାଟିର ଜଣେ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe