ଆଉ ‘ଜୀବନରେଖା’ ନୁ‌ହେଁ ବୈତରଣୀ

Advertisment

ଆହାର ଯୋଗାଉଥିଲା, ଏବେ ସାହାରା ଖୋଜୁଛି

ଆହାର ଯୋଗାଉଥିଲା, ଏବେ ସାହାରା ଖୋଜୁଛି

ଆଉ ‘ଜୀବନରେଖା’ ନୁ‌ହେଁ ବୈତରଣୀ

ବାରିକପୁର: ବୈତରଣୀ ନଦୀ ହେଉଛି ଭଦ୍ରକ ଜିଲ୍ଲାର ଜୀବନରେଖା। ଏହାର ଅଥଳ ଜଳରାଶି ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ୩ଟି ବ୍ଲକ୍‌ରେ କୃଷି କ୍ଷେତ୍ରକୁ ସମୃଦ୍ଧଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ଚିରସ୍ରୋତା ବୈତରଣୀ ଆଜି ବର୍ଷର ଅର୍ଦ୍ଧାଧିକ ଦିନ ଶୁଖିଲା। ପୂର୍ବପରି ଏ ନଦୀରେ ଆଉ ପ୍ରଖର ସ୍ରୋତ ନାହିଁ କି ନୀଳ ଜଳରାଶିରେ ସବୁଜିମା ଭରୁନି। ବରଂ ବାଲି ମାଫିଆଙ୍କ କବଜାରେ ରହି ଅସ୍ତିତ୍ବ ହରାଇବାକୁ ବସିଛି ଓଡ଼ିଶାର ଏହି ତୃତୀୟ ବୃହତ୍ତମ ନଦୀ।

କେନ୍ଦୁଝର ଜିଲ୍ଲା ଗୋନାସିକା ପାହାଡ଼ରୁ ବାହାରିଥିବା ବୈତରଣୀ ନଦୀ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଦେଇ ଧାମରାଠାରେ ସମୁଦ୍ରରେ ମିଶିଛି। ଦୀର୍ଘପଥ ଦେଇ ଅତିକ୍ରାନ୍ତ ହେବା ସମୟରେ କୋଚିଳା, ଗେଙ୍ଗୁଟି ଭଳି ଛୋଟ ନଦୀର ଉତ୍ପତ୍ତି ସ୍ଥଳ ହୋଇଛି ବୈତରଣୀ। ଏହାର ଜଳରାଶିକୁ ବ୍ୟବହାର କରି ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ ବହୁ ପଞ୍ଚାୟତର ଲୋକେ ଧାନ ସହିତ ପନିପରିବା, ତରଭୁଜ, ଆଖୁ, ସୂର୍ଯ୍ୟମୁଖୀ, ସୋରିଷ, ମୁଗ ବିରି ଆଦି ଚାଷ କରି ଜୀବିକା ନିର୍ବାହ କରିଥା’ନ୍ତି। ବିଡ଼ମ୍ବନା, ଏବେ ଚାଷ ପାଇଁ ‌ନଦୀକୂଳବର୍ତ୍ତୀ ‌ଲୋକେ ପାଣି ପାଉନାହାନ୍ତି। ଶୁଖିଲା ପଡୁଥିବାରୁ ନଦୀର ବିଭିନ୍ନ ସ୍ଥାନରେ ବାଲିସ୍ତର ଦେଖାଯାଉଥିବା ବେଳେ ବର୍ଷାଦିନେ ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଦୁଃଖ ବଢ଼ିଯାଉଛି।

ଯେଉଁ ବୈତରଣୀ ଦିନେ ଆହାର ଯୋଗାଉଥିଲା, ଆଜି ସେ ନିଜେ ସାହାରା ଖୋଜୁଛି। ବୈତରଣୀର ଜଳ ଚାଷୀଙ୍କ ଜମିକୁ ତ ମାଡୁନି, ଆଖୁଆପଦାଠାରେ ଯେଉଁ ଆନିକଟ ରହିଛି ତାହା ମଧ୍ୟ ସ୍ଥାନେ ସ୍ଥାନେ ଭାଙ୍ଗିଗଲାଣି। ଆନିକଟକୁ ଛାଡ଼ି ଦେଲେ ଖରାଦିନେ ନଦୀର ଅନ୍ୟ ଜାଗାରେ ପାଣି ରହୁନି। ନଦୀର ଡାହାଣପାର୍ଶ୍ବ ଯାଜପୁର ଜିଲ୍ଲାର ଚାଷୀମାନେ ଖରାଦିନେ ପାଣି ପାଉଥିବା ବେଳେ ବାମପାର୍ଶ୍ବ ଭଦ୍ରକ ଜିଲ୍ଲାର ଲୋକେ ଜଳସେଚନ ସୁବିଧାରୁ ବଞ୍ଚିତ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସ‌ାରେ, ବାଲିମାଫିଆମାନେ ବିଭିନ୍ନ ସ୍ଥାନରୁ ଦିନରାତି ବାଲି ଉଠାଇବା ଦ୍ବାରା କୂଳଖାଇ ନଦୀର ଗତିପଥ ପରିବର୍ତ୍ତନ ହେଉଛି। ବାଲିମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe