ପୁଣି ବୌଦ୍ଧ ଡିଷ୍ଟିଲାରିରେ ପଶିଲେ ଆୟକର ଅଧିକାରୀ

Advertisment
ପୁଣି ବୌଦ୍ଧ ଡିଷ୍ଟିଲାରିରେ ପଶିଲେ ଆୟକର ଅଧିକାରୀ

ବୌଦ୍ଧ : ଆଠ ଦିନର ବ୍ୟବଧାନ ପରେ ଆୟକର ବିଭାଗ ପୁଣି ଥରେ ବୌଦ୍ଧ ଡିଷ୍ଟିଲାରିରେ ପଶିଛନ୍ତି। ଗୁରୁବାର ଭୋର୍‌ରୁ ବିଭାଗୀୟ ଅଧିକାରୀମାନେ ଦୁଇଟି କାର୍‌ରେ ଏଠାରେ ପହଞ୍ଚି ଡିଷ୍ଟିଲାରି ଭିତରକୁ ଯାଇଛନ୍ତି। ଏହା ବିଭାଗୀୟ ଅଧିକାରୀଙ୍କ ଦ୍ବିତୀୟ ଚଢ଼ଉ। ଗତ ବୁଧବାର ହରଭଙ୍ଗା ବ୍ଲକ୍‌ ତିତିରିକଟା ମୌଜାରେ ଥିବା ଏହି ସ୍ପିରିଟ୍‌ କାରଖାନାରେ ଆୟକର ବିଭାଗର ଅଧିକାରୀ ଚଢ଼ଉ କରିଥିଲେ। ତିନି ଦିନ ମାରାଥନ୍‌ ଖୋଳତାଡ଼ ପରେ ଶୁକ୍ରବାର ଅଧିକାରୀମାନେ ଫେରି ଯାଇଥିଲେ। ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ ଜବତ କରିଥିଲେ।

ଯିବାବେଳେ ଜଣେ ମ୍ୟାନେଜର, ଜଣେ ଷ୍ଟୋର୍‌ କିପର୍‌ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଫାଇଲ୍‌ ଘାଣ୍ଟିବା ପରେ ପୁଣି ଫେରି ଥିବାରୁ କିଛି ଗୁଢ଼ ରହସ୍ୟ ଆୟକର ବିଭାଗ ହାତରେ ଲାଗିଥିବା ସ୍ପଷ୍ଟ ହୋଇଛି। ଭିତରେ ତଦନ୍ତ ଚାଲିଥିବା ବେଳେ କାରଖାନା ସ୍ବାଭାବିକ ଭାବରେ ଚାଲିଛି। ନିୟମିତ ଭାବେ କର୍ମଚାରୀ ଓ ଅଧିକାରୀ ଯାତାୟାତ କରୁଛନ୍ତି। କୌଣସି ବାହାର ଲୋକଙ୍କୁ ଭିତରକୁ ଯିବାକୁ ଦିଆଯାଉ ନାହିଁ। ଡିଷ୍ଟିଲାରିରେ ଚଢ଼ଉ ବିଷୟରେ ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ମୁହଁ ଖୋଲିନାହିଁ। ସେପଟେ ପ୍ରଥମ ଥର ଚଢ଼ଉ ଚାଲିଥିବା ବେଳେ ଡିଷ୍ଟିଲାରିର ପଛପଟ ପାଚେରି ଆରପଟେ ଥିବା ବୁଦାଳିଆ ଜଙ୍ଗଲରେ ବସ୍ତାବସ୍ତା ୫୦୦ ଟଙ୍କିଆ ଚିରା ନୋଟ ପଡ଼ିଥିବା ଦେଖାଯାଇଥିଲା। ଘଟଣା ପ୍ରଘଟ ହେବା କ୍ଷଣି ଲୋକେ ସେଗୁଡ଼ିକୁ ନେଇ ଯାଇଥିଲେ। ଆୟକର ବିଭାଗ ଚିରା ନୋଟ୍‌ର ରହସ୍ୟ ଏବେ ବି ଉନ୍ମୋଚନ କରିପାରିନାହିଁ। ସେହିପରି ବୌଦ୍ଧ ସହର ରାଜନପାଲିରେ ଥିବା କଂପାନିର ଦେଶୀ ମଦଭାଟିକୁ ମଧ୍ୟ ବିଭାଗ ହାତ ମାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe