କୋରାପୁଟ: ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ସପକ୍ଷରେ ଜନ ସମର୍ଥନ ହାତେଇବା ପାଇଁ କୋଟିଆରେ ଅନୁପ୍ରବେଶ କରିଛି ଆନ୍ଧ୍ର। କୋଟିଆ ଗ୍ରାମପୁଞ୍ଜର ଉପରସେମ୍ବି, ତଳସେମ୍ବିରେ ୱାଇଏସ୍ଆର୍ କର୍ମୀ ଦଳୀୟ ପ୍ରଚାର କରିଛନ୍ତି। ସେହିପରି ଆନ୍ଧ୍ର ଅଧିକାରୀ ଗୁରୁବାର ଏକାଧିକ ସର୍ଭେ କରିଛନ୍ତି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସରକାରୀ ଛୁଟି ରହିଥିବାରୁ ଏହାର ସୁଯୋଗ ନେଇ ଘରକୁ ଘର ସର୍ଭେ କରୁଛନ୍ତି ଆନ୍ଧ୍ର ଅଧିକାରୀ। ବିଜୟନଗରମ ଓ ସାଲୁର ଅଞ୍ଚଳରୁ କୋଟିଆକୁ ଆସିଥିବା ୱାଇଏସ୍ଆର୍ର ଏକାଧିକ କର୍ମୀ କିଛି ଗାଁରେ ରାତ୍ରି ରହଣି କରିଛନ୍ତି। ସର୍ଭେ କରୁଥିବା ପ୍ରଶାସନିକ ଅଧିକାରୀ ସାଲୁର ମଣ୍ଡଳରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଆଗାମୀ ଦିନରେ ଜଙ୍ଗଲ ଜମି ପଟ୍ଟା, ଘର ପଟ୍ଟା, ରାସନକାର୍ଡ, ଆବାସ ଘର ବଣ୍ଟନ ସହ ସ୍ବାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ଜଗନ କାର୍ଡ ଦେବାକୁ ଆନ୍ଧ୍ର ଯୋଜନା କରୁଛି। ସେହିପରି ମୋବାଇଲ ଟାୱାର୍ ଓ ମନରେଗା କାର୍ଯ୍ୟର ସମୀକ୍ଷା କରୁଛି ଆନ୍ଧ୍ର। ସପ୍ତାହକ ମଧ୍ୟରେ ଚାରି ଥର ଆନ୍ଧ୍ର ଅନୁପ୍ରବେଶ କରି କୋଟିଆ ସୀମାନ୍ତବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଚଳାଇଛି ଚାଲ। ପ୍ରଥମ ପର୍ଯ୍ୟାୟରେ ନେରଡ଼ିୱାଲସାରେ ଆନ୍ଧ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଗତ ରବିବାର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ସହ ମଙ୍ଗଳବାର ଆନ୍ଧ୍ର ପକ୍ଷରୁ ପୁଲିସ କ୍ୟାମ୍ପ କରାଯାଇଥିଲା।
Follow Us