କୋଟିଆରେ ଭୋଟରଙ୍କୁ ଉଠାଇନେଲା ଆନ୍ଧ୍ର

Advertisment

ଭୋଟର-ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି, ସୀମା ଜଗିଲେ ଓଡ଼ିଶାର ରାଜନେତା

ଭୋଟର-ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି, ସୀମା ଜଗିଲେ ଓଡ଼ିଶାର ରାଜନେତା

କୋଟିଆରେ ଭୋଟରଙ୍କୁ ଉଠାଇନେଲା ଆନ୍ଧ୍ର

କୋରପୁଟ/ପଟାଙ୍ଗି : କଳ ବଳ ସହ କୌଶଳ ଲଗାଇଥିଲା ଆନ୍ଧ୍ର। ସୀମା ଡେଇଁ ଭୋଟ ଦେଲେ କୋଟିଆବାସୀ। ପୁଲିସ ଓ ପ୍ରଶାସନକୁ ଲଗାଇ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନକୁ ସଫଳ କରିବାକୁ ପୂରା ଜୋର୍‌ ଲଗାଇ ଦେଇଥିଲା। ତଥାପି ଆଶାନୁଯାୟୀ ମତଦାନ ହୋଇପାରିଲା ନାହିଁ। କିନ୍ତୁ ମତଦାନ ପାଇଁ ଆଜି ଦିନତମାମ ଦୁଇ ରାଜ୍ୟରେ ସୀମାରେ ଲାଗି ରହିଥିଲା ଛକାପଞ୍ଝା ଓ ଟଣାଓଟରା ସହ ଧସ୍ତାଧସ୍ତି।

ଗତକାଲି ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେବାପରେ ରାତିରୁ ହିଁ ପୋଲିଂ ପାର୍ଟି ଓଡ଼ିଶା ସୀମାରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଅନ୍ୟପଟେ ମତଦାନକୁ ଚେକ୍ ଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲଗାଇଥିଲା। ଓଡ଼ିଶାର ରାଜନେତା ମଧ୍ୟ ରାତିରେ ଡେରା ପକାଇ ଆଜି ସକାଳେ ଓଡ଼ିଶା ପୁଲିସ ସହ ସୀମାକୁ ଜଗି ରହିଥିଲେ। କିନ୍ତୁ ନେରେଡ଼ିବାଲସା ମତଦାନ କେନ୍ଦ୍ରରେ ଆଜି ୯ଟି ଗ୍ରାମର ମୋଟ ୧୨୯୧ଜଣ ଭୋଟରଙ୍କ ମଧ୍ୟରୁ ପାଖାପାଖି ୩ଶହ ଜଣ ମତଦାନ କରିଥିବା ସୂଚନା ମିଳିଛି। ଧୂଳିପଦର, ତାଡ଼ିବାଲସା, ଅର୍ଜୁବାଲସା, ତଳସେମ୍ବି, ଉପରସେମ୍ବି ଗାଁରୁ ଆନ୍ଧ୍ର ସଶସ୍ତ୍ର ପୁଲିସ ଓ ବିଜୟନଗରମ ପୁଲିସ ଭୋଟରଙ୍କୁ ଟେକି ନେଇଥିବା ଦେଖିବାକୁ ମିଳିଥିଲା।

ବଡ଼କଥା ହେଲା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ବର୍ଗ ଏହି ମତଦାନ ପ୍ରକ୍ରିୟାରେ ଆଦୌ ଅଂଶଗ୍ରହଣ କରି ନଥିଲେ। କେବଳ ତେଲଗୁ ଭାଷାଭାଷୀ ମତଦାନ କରିଛନ୍ତି। ସକାଳ ୯ଟା ସୁଦ୍ଧା ମାତ୍ର ୯ଖଣ୍ଡ ଭୋଟ ପଡ଼ିଥିଲା। ମତଦାନ ହାର କମିବା ଦେଖି ଅପରାହ୍ନ ବେଳକୁ ପ୍ରତିଶତ ବଢ଼ାଇବା ପାଇଁ ଉଦ୍ୟମ କରିଥିଲା ଆନ୍ଧ୍ର ପ୍ରଶାସନ। ନିଜେ ପର୍ବତୀପୁରମ ଉପଜିଲ୍ଲାପାଳ ବେଦେହ ଖରେ, ପିଏ ଆଇଟିଡିଏ ଆର. କୁର୍ମନାଥ, ଆନ୍ଧ୍ର ପୁଲିସ ଓ ଆନ୍ଧ୍ର ସଶସ୍ତ୍ର ବାହିନୀ ଲାଗି ପଡ଼ିଥିଲେ। ଦିନ ୧୧ଟା ୪୦ ସୁଦ୍ଧା ୧୦୯ ଜଣ ଭୋଟ ଦେଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୩୦୩ ଜଣ ଭୋଟ ଦେଇଥିଲେ। ଥୋନମରେ ହୋଇଥିବା ବୁଥ୍‌କୁ ଯାଇପାରିନାହାନ୍ତି ଓଡ଼ିଶାର ଫାଟୁସେନେରୀ ଓ ଫଗୁଣ‌ସେନେରୀ ଭୋଟର। ସେଠାରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଓ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରିଥିବାରୁ ମତଦାନ ହୋଇପାରି ନଥିଲା।

publive-image

ଗତକାଲି ରାତିରୁ ହିଁ ମତଦାନ ପାଇଁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। କଣ୍ଟେନ୍‌ମେଣ୍ଟ ଜୋନ୍ ପାଇଁ କୋରାପୁଟ ପ୍ରଶାସନ ଲଗାଇଥିବା ଅବରୋଧକୁ ଆନ୍ଧ୍ର ପୁଲିସ ଏବଂ ସ୍ଥାନୀୟ ଲୋକ ଭାଙ୍ଗି ଦେଇଥିଲେ। ସକାଳୁ କିଛି ଲୋକ ଭୋଟ ଦେବାକୁ ଯିବା ସମୟରେ ଓଡ଼ିଶା ପୁଲିସ ଓ ରାଜନେତାଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ତଥାପି କିଛି ଲୋକ ଠେଲାପେଲା କରି ଭୋଟ ଦେବାକୁ ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାର୍ବତୀପୁରମ ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ପହଞ୍ଚିଥିଲେ। ମତଦାନ କମିଥିବା ଜାଣିବା ପରେ କୋଟିଆର ଗ୍ରାମପୁଞ୍ଜରେ ରହିଥିବା ୯ଟି ଗାଁରେ ଫୋର୍ସ ସହ ପଶିଥିଲେ। ଏହି ସମୟରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ପହଞ୍ଚି ଆଲୋଚନା କରିଥିଲେ। ସେହିପରି କିଛି ଲୋକ ଭୋଟ ଦେବାକୁ ସଫାସଫା ମନା କରିଦେଇଥିଲେ। ଏ ନେଇ ଆନ୍ଧ୍ରର କିଛି ଦଲାଲ ତୁରନ୍ତ ପାର୍ବତୀପୁରମ ପ୍ରଶାସନକୁ ଜଣାଇଥିଲେ। ଏହାପରେ ଏସ୍‌ପି ବି. ରାଜା କୁମାରୀ ସ୍ଥାନୀୟ ଲୋକଙ୍କୁ ଭେଟି କାଜୁ ବରଫି, ଛେନା ମିଠା‌, ବିସ୍କୁଟ ଓ ମାସ୍କ ବିତରଣ କରିଥିଲେ। ଲୋକଙ୍କୁ ପ୍ରଲୋଭିତ କରି ଭୋଟ ଦେବାକୁ ପ୍ରବର୍ତ୍ତାଇଥିଲେ। ସୀମା ସେତେବେଳେ ଟପିଥିଲା, ଆନ୍ଧ୍ରର ‌ଦଲାଲମାନେ ଯେତେବେଳେ ଓଡ଼ିଶା ପୁଲିସ ଏବଂ ଓଡ଼ିଶାର କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଆନ୍ଧ୍ର ପୁଲିସ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା।

ଏ ନେଇ ବିଜୟନଗର ଏସ୍‌ପି ବି. ରାଜା କୁମାରୀ କହିଛନ୍ତି ଯେ, ନରେଡିବାଲସା ଆନ୍ଧ୍ରପ୍ରଦେଶର। ପୂର୍ବରୁ ଏଠାରେ ଅନେକଥର ନିର୍ବାଚନ ହୋଇଛି। ତେବେ ଓଡ଼ିଶା ସରକାର କାହିଁକି ମତଦାତାଙ୍କୁ ଅଟକାଇ ରଖିଲେ ତାହା ଜଣାପଡୁନାହିଁ। ତେବେ ଓଡ଼ିଶା ସରକାରଙ୍କ କଣ୍ଟେନ୍‌ମେଣ୍ଟ ଜୋନ ସତ୍ତ୍ବେ ଆମ ପୁଲିସ ଓ ପ୍ରଶାସକଙ୍କ ସଫଳ ଉଦ୍ୟମ ହେତୁ ୧୨୯୧ରୁ ୩୦୦ ମତଦାତା ଭୋଟ‌ ‌ଦେଇଛନ୍ତି ବୋଲି କହିଛନ୍ତି।

କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ. ଅଖତର କହିଛନ୍ତି ଯେ, କୋରାପୁଟ ଜିଲ୍ଲାର ରାଜନେତାଙ୍କ ସଫଳ ପଦକ୍ଷେପ ହେତୁ ଆନ୍ଧ୍ର ସରକାରଙ୍କ ସବୁ ଚକ୍ରାନ୍ତ ଫେଲ ମାରିଛି। ମାତ୍ର ୧୭ ପ୍ରତିଶତ ମତଦାନ ହୋଇଛି। ବହୁ ବାଧାବିଘ୍ନ ସତ୍ତ୍ବେ ଆନ୍ଧ୍ରର ଉଦ୍ୟମକୁ ବିଫଳ କରିବାରେ ଆମେ ସଫଳ ହୋଇଛି ବୋଲି କହିଛନ୍ତି।

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗିଙ୍କ କହିବା ହେଲା ରାଜନେତାଙ୍କ ରାତ୍ରିଯାପନ ଯୋଗୁ ୯୦ପ୍ରତିଶତ ଭୋଟରଙ୍କୁ ଆମେ ଅଟକାଇବାରେ ସଫଳ ହୋଇଛୁ। କେବଳ ମୁକା ଏବଂ ନୁକା ଦୋରା ବର୍ଗର ଭୋଟର ମତଦାନ କରିଛନ୍ତି। କାରଣ ଆନ୍ଧ୍ରରେ ଏହି ବର୍ଗର ଲୋକଙ୍କୁ ଆଦିବାସୀ ମାନ୍ୟତା ମିଳିଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରି ନାହିଁ। ସେମାନେ ବାଧ୍ୟ ହୋଇ ଏମିତି କରିଥିବା କହିଛନ୍ତି। ସେହିପରି ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି, ଓଡ଼ିଶାରେ ରହୁଥିବା କିଛି ଆନ୍ଧ୍ରର ଦଲାଲ ଲୋକଙ୍କୁ ପ୍ରଭାବିତ କରି ମତଦାନ କରାଇଛନ୍ତି। ଯେତେ ପ୍ରୟାସ କଲେ ବି ଓଡ଼ିଶାରୁ କୋଟିଆକୁ ନେଇପାରିବେ ନାହିଁ। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ କହିଛନ୍ତି, ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଦଳର ନେତାଙ୍କ ପ୍ରୟାସ ସଫଳ ହୋଇଛି। ନଚେତ ଆନ୍ଧ୍ର ସରକାର ଏଠାରେ ଶତ ପ୍ରତିଶତ ମତଦାନ କରାଇଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe