କୋଟିଆ ଯୁବ ଗୋଷ୍ଠୀ ଉପରେ ପୁଣି ଆନ୍ଧ୍ରର ନଜର

Advertisment

ସ୍ପୋର୍ଟସ କ୍ଲବ ଗଠନ ଓ ନିଯୁକ୍ତିମେଳା ନାଁରେ ଚାଲିଛି ଯୋଜନା

ସ୍ପୋର୍ଟସ କ୍ଲବ ଗଠନ ଓ ନିଯୁକ୍ତିମେଳା ନାଁରେ ଚାଲିଛି ଯୋଜନା

କୋଟିଆ ଯୁବ ଗୋଷ୍ଠୀ ଉପରେ ପୁଣି ଆନ୍ଧ୍ରର ନଜର

କ‌ୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧୀନ କୋଟିଆର ଯୁବଗୋଷ୍ଠୀଙ୍କ ଉପରେ ପୁଣି ଟାର୍ଗେଟ କରିଛି ଆନ୍ଧ୍ରର ଜଗନ ସରକାର। କ୍ରୀଡ଼ା କ୍ଷେତ୍ରରେ ନୂଆ ଯୋଜନା ଆରମ୍ଭ କରି ଯୁବଗୋଷ୍ଠୀଙ୍କୁ ନିଜ ଆଡକୁ ଆଣିବାକୁ ଉଦ୍ୟମ ଚାଲିଛି। ଏଥି ସହିତ ନିଯୁକ୍ତି ମେଳାର ବି ଜାଲ ବିଛାଇଛି। ଜଗନ ଆନ୍ନା ସ୍ପ‌ୋର୍ଟସ କ୍ଲବ ଆପ୍‌ କରି ଆଥଲେଟ୍‌ଙ୍କୁ ନିଜର କରିବାକୁ କରିଛି ଯୋଜନା। ପାର୍ବତୀପୁରମ ମାନ୍ୟାମ ଜିଲ୍ଲାପାଳ ନିଶାନ୍ତ କୁମାର ଦୁଇଦିନ ତଳେ ଏନେଇ ଘୋଷଣା ବି କରିଛନ୍ତି। ଭଲ ଆଥଲ‌େଟ୍‌ଙ୍କୁ ବିଶ୍ବସ୍ତରର ସୁବିଧା ଯୋଗାଇଦେବାକୁ ବି ପ୍ରତିଶ୍ରୁତି ମିଳିଛି।  ବିଭିନ୍ନ କ୍ରୀଡାକୁ ନେଇ ଏହି କ୍ଲବ ଗଠନ କରାଯାଇଛି। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁ ଓ ୮ଟି ପଡାଗାଁକୁ ନେଇ ଜଗନ ସରକାରର ଏଭଳି ନୂଆ ଚାଲ ପଦାକୁ ଆସିଛି।

ଜଗନ ସରକାର ମାନ୍ୟାମ ଜିଲ୍ଲାପାଳ ନିଶାନ୍ତ କୁମାରଙ୍କ ପୃଷ୍ଟପୋଷକତାରେ କ୍ଲବ ଗଠନ କରିବା ସହିତ ଏଠାରେ ଫୁଟବଲ, ଭଲିବଲ ଓ ଆଥଲେଟ୍‌ ପ୍ରଶିକ୍ଷଣ ଦେବାକୁ ଯୋଜନା କରିଛି। ସ୍ପନ୍ଦନା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ସ୍ପୋର୍ଟସ କ୍ଲବ ଆପ୍‌ ମାଧ୍ୟମରେ ଆଥଲେଟ୍‌ମାନେ ନିଜର ସଂପୂର୍ଣ୍ଣ ତଥ୍ୟ ସରକାରଙ୍କୁ ‌ଦେବେ। ସରକାର ଆଥଲେଟ୍‌ଙ୍କ ପ୍ରଦର୍ଶନକୁ ଦେଖି ସେମାନଙ୍କୁ ଆର୍ଥିକ ସହଯୋଗ ସହ ପ୍ରଶିକ୍ଷଣ ଦେବା ଏହି ଯୋଜନାର ମୁଖ୍ୟାଂଶରେ ରହିଛି।

publive-image

ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଗ୍ରାମପୁଞ୍ଜର କୋଟିଆ, ଧୂଳିପଦର, ମାଡକାର, ଫଗୁଣ ସିନେରୀ, ଫାଟୁସିନେରୀ ସହ ୭ଟି ପଡା ଗାଁରେ ସ୍ପୋର୍ଟସ କିଟ ବଣ୍ଟନ କରିଥିଲା। କିଟରେ ଫୁଟବଲ, ଭଲିବଲ ସାମଗ୍ରୀ ପ୍ରଦାନ କରାଯାଇଥିଲା। ୨୧ଟି ଗାଁ ଓ ୮ଟି ପଡାରେ କ୍ଲବ ରହିଥିବାବେଳେ ଏହି କ୍ଲବକୁ ଟାର୍ଗେଟ କରି ଜଗନ ସରକାର ଆଉ ପାଦେ ଆଗକୁ ଯାଇ ରାଜନୀତିକୁ ସରଗରମ କରିଛି। ସୀମା ବିବାଦକୁ ନେଇ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିବାବେଳେ ମାମଲା ବିଚାରଧୀନ ରହିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିଥିଲେ। ଏହାପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏଥିରେ ଆନ୍ଧ୍ର ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସହ ଉଭୟ ରାଜ୍ୟର ବରିଷ୍ଠ କର୍ମଚାରୀ ରହିଥିଲେ।

ଅନ୍ୟପକ୍ଷରେ ମାନ୍ୟମ ଜିଲ୍ଲା ଶ୍ରୀ ଭେଙ୍କଟଶ୍ବର ସରକାରୀ ଡିଗ୍ରୀ କଲେଜରେ ୧୬ ତାରିଖ ହେବ ନିଯୁକ୍ତି ମେଳା। ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ ସଂସ୍ଥାନ ପକ୍ଷରୁ ସିନର୍ଜି କାଷ୍ଟିଂ ଲିମିଟେଡ୍, ଆପୋଲେ ଫାର୍ମାସୀ, ସିନାପାଟିକ୍‌ ଲାବ୍ସ, ଏଚଡିଏଫସି ବ୍ୟାଙ୍କ, ଏସବିଆଇ କାର୍ଡସ, ବ୍ୟାଙ୍କ ଅଫ ବରୋଦା, ଆଭାନ୍ତାଟେଲ୍‌ ଲିମିଟେଡ୍‌, ଓସିମାମ୍‌ ଲାବ୍ସ, ଶ୍ରୀରଙ୍ଗା ମୋଟର୍ସ, ହେଟିରୋ ସହ ବହୁ କମ୍ପାନୀ ଚାକିରି ଦେବାକୁ ଜିଲ୍ଲା ସହ ଅନୁବନ୍ଧିତ ହୋଇଥିବା ଜଣାପଡିଛି। କୋଟିଆରେ ରହିଥିବା ଯୁବଗୋଷ୍ଠୀଙ୍କୁ ସେଠାକୁ ନେଇ ଓଡ଼ିଶା ବିରୋଧରେ ଉସୁକାଇବାକୁ ଜଗନ ସରକାର ଏହି ନିଯୁକ୍ତିମେଳା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe