ପୁଣି ଆନ୍ଧ୍ରର ଅନୁପ୍ରବେଶ : ଓଡ଼ିଶା ସୀମାରେ ବେଆଇନ ରାସ୍ତା ନିର୍ମାଣ

ନିର୍ମାଣ କାମକୁ ବନ୍ଦ କଲା ପ୍ରଶାସନ, ଟ୍ରାକ୍ଟର, ମିକ୍ସର ମେସିନ ଜବତ 

ପୁଣି ଆନ୍ଧ୍ରର ଅନୁପ୍ରବେଶ : ଓଡ଼ିଶା ସୀମାରେ ବେଆଇନ ରାସ୍ତା ନିର୍ମାଣ

କାଶୀନଗର :  ଓଡ଼ିଶାର ସୀମାନ୍ତରେ ପଡୋଶୀ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ ଜାରି ରଖିଛି। କୋରାପୁଟ ଜିଲ୍ଲାର କୋଟିଆ ଠାରୁ ଆରମ୍ଭ କରି ଗଜପତି ଓ ଗଂଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ କରି ନିଜର ସ୍ଥିତି ଜାହରି କରିବାକୁ ଉଦ୍ୟମ କରୁଛି। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ବେଆଇନ ଭାବେ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଏହି ଖବର ପାଇବା ପରେ ଆଜି ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାମକୁ ବନ୍ଦ ରଖିବା ସହ ରାସ୍ତା କାମରେ ବ୍ୟବହୃତ ଟ୍ରାକ୍ଟର, ମିକ୍ସର ମେସିନ୍ ସମେତ ସିମେଣ୍ଟ ଜବତ କରିଥିବା ଜଣାଯାଇଛି।

publive-image

ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ସୀତାପୁର ପଞ୍ଚାୟତ ଅଧୀନ ସିଙ୍ଗିପୁର ଗ୍ରାମର ଏଫ୍‌ସିଆଇ ଗୋଦାମ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତାରୁ ଆନ୍ଧ୍ରର ଆଳତିପୁର ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତାକୁ ପଡୋଶୀ ଆନ୍ଧ୍ର ପ୍ରଶାସନ ନିର୍ମାଣ କରୁଥିଲା। ଆନ୍ଧ୍ରପ୍ରଦେଶ  ଶ୍ରୀକାକୁଲମ ଜିଲ୍ଲା କତ୍ତୁରୁ ମଣ୍ଡଳ ସୀତାମପେଟା ଆଇଟିଡିଏ ପକ୍ଷରୁ ଏହି ବେଆଇନ ରାସ୍ତା ନିର୍ମାଣ କରାଯାଉଥିଲା। ଖବର ପାଇ କାଶୀନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଓ ଥାନାଧିକାରୀ ସୁଶାନ୍ତ କୁମାର ସାହୁ  ଘଟଣାସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣରେ ବ୍ୟବହୃତ ଟ୍ରାକ୍ଟର, ସିମେଣ୍ଟ ମିକ୍ସର ମେସିନ, ୩୦ରୁ୪୦ ବସ୍ତା ସିମେଣ୍ଟ, ଚିପ୍‌ସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି କାଶୀନଗର ଥାନାରେ ରଖାଯାଇଛି। ପୂର୍ବରୁ ଏଠାରେ ଏକ ବିଶ୍ରାମଗାର ନିର୍ମାଣ କରି ତେଲୁଗୁ ଭାଷାରେ ଆନ୍ଧ୍ର ଦ୍ଵାରା ନିର୍ମିତ ବୋଲି ବୋର୍ଡ ଲଗାଯାଇଥିଲା। ପଡୋଶୀ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏଭଳି ବେଆଇନ ନିର୍ମାଣ ସାଂଗକୁ ଅନୁପ୍ରବେଶକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଆନ୍ଧ୍ର ପ୍ରଶାସନ ଏକତରଫା ଭାବେ ଏଭଳି କାର୍ଯ୍ୟ ଜାରି ରଖୁଛି।

ଆନ୍ଧ୍ରର ଅନୁପ୍ରବେଶ ଏବେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଥିନେଇ ସ୍ଥାନୀୟ ତହସିଲଦାରଙ୍କୁ ଯୋଗ‌ାଯୋଗ କରାଯିବାରେ କରୋନା ସମୟରେ ଆନ୍ଧ୍ରରେ କରୋନାର ପ୍ରକୋପ ଅଧିକା ଥିବାରୁ ସେତେବେଳେ ଆନ୍ଧ୍ର ଲୋକଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଓଡିଶା ପ୍ରଶାସନ ତରଫରୁ ରାସ୍ତାକୁ ଖୋଳାଯାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ରାସ୍ତାକୁ ମରାମତି କରାଯାଇଥିଲା। ଆନ୍ଧ୍ରର ଏଭଳି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ନାପସନ୍ଦ କରିବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର ବୋଲି କୁହାଯାଇଛି।  ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ  ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe