The Express Tribune
ନୟାଗଡ଼ : ଚଳିତ ବର୍ଷ ନୟାଗଡ଼ ତଥା ରାଜ୍ୟର ଅଧିକାଂଶ ସ୍ଥାନରେ ଆମ୍ବ ଉତ୍ପାଦନ ହୋଇନଥିବା ବେଳେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦିରୁ ଆସୁଥିବା ଆମ୍ବ ନୟାଗଡ଼ ବଜାରକୁ କବ୍ଜା କରିନେଇଛି। ସାରା ଓଡ଼ିଶାରେ ପ୍ରାୟ ଏଇ ସ୍ଥିତି। କଲମୀ, ନିଲମ୍, ସୁନ୍ଦରୀ, ତୋଟାପଲାଇ ଆଦି କିସମର ଆମ୍ବ କେଜି ପ୍ରତି ଦର ଖୁଚୁରା ବଜାରରେ ଅଶୀରୁ ଶହେ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି। କିଛି ଦିନ ତଳେ ଏହା ନୟାଗଡ଼ରେ ୧୫୦ ଟଙ୍କା ଛୁଇଁଥିବା ମଧ୍ୟ ଦେଖାଯାଇଥିଲା। ଗତ ବର୍ଷ ଏହା ଚାଳିଶ କି ପଚାଶ, ଏପରିକି ତିରିଶ ଟଙ୍କା ଭିତରେ ରହିଥିଲା।
ସାଧାରଣ ଗ୍ରାହକଟିଏ ଏବେ ଆମ୍ବ ଦର ବୁଝି ଛାନିଆ। କେହି କେହି ଦର ବୁଝି ଚାଲି ଯାଉଥିବା ବେଳେ, ୨ କେଜି ନେବା ଲୋକ କେଜିଏ ନେବାକୁ ବାଧ୍ୟ ହେଉଛି। ନୟାଗଡ଼ର ଆମ୍ବ ଗୋଦାମ ତଥା ମା’ ତାରିଣୀ ସବ୍ଜି ଭଣ୍ଡାର ମାଲିକ ଗୁଣନିଧି ସାହୁ କହିଛନ୍ତି, ଚଳିତ ବର୍ଷ ସ୍ଥାନୀୟ ଚାଷୀଙ୍କ ନିକଟରୁ ଆମେ ଆଦୌ ଆମ୍ବ ପାଇନୁ। ଆନ୍ଧ୍ର, ପଶ୍ଚିମବଙ୍ଗ ଆଦିରୁ ମାଲ୍ ଆସୁଛି। କଲମୀ କ୍ବିଣ୍ଟାଲ୍ ପିଛା ଦର ୩୫୦୦ରୁ ୪୦୦୦ ହଜାର ଟଙ୍କା ମଧ୍ୟରେ ଆମ୍ବର କ୍ବାଲିଟି ଦେଖି ବିକ୍ରି କରାଯାଉଛି। ନିଲମ୍ ଦର କ୍ବିଣ୍ଟାଲ ପ୍ରତି ୨୫୦୦ରୁ ୩୦୦୦ ହଜାର ମଧ୍ୟରେ ବିକ୍ରି ହେଉଥିବା ବେଳେ, ବାଇଗଣ ପଲେଇ ୪୫୦୦ରୁ ୫୦୦୦ ଦର ରହିଛି। ଗତ ବର୍ଷ ଦର ଅପେକ୍ଷା ଚଳିତ ବର୍ଷ ପ୍ରାୟ ୧୫୦୦ରୁ ୨୦୦୦ ଟଙ୍କା ଅଧିକରେ ଆମ୍ବ ବିକ୍ରି କରାଯାଉଥିବା ଶ୍ରୀ ସାହୁ କହିଛନ୍ତି। ଆମ୍ବ ଦର ସହ କରୋନା କଟକଣାର ସେଭଳି ପ୍ରଭାବ ନଥିବା ବ୍ୟବସାୟୀମାନେ କହିଥିବା ବେଳେ, ଅନ୍ୟ ରାଜ୍ୟରୁ ଆମ୍ବ ଆସି ପହଞ୍ଚିବାରେ କିଛି ସମସ୍ୟା ନଥିବା କହିଛନ୍ତି। ନୟାଗଡ଼ ଜିଲ୍ଲାରେ ସାପ୍ତାହିକ ଦୁଇଦିନିଆ ସଟ୍ଡାଉନ ବ୍ୟବସାୟକୁ ଟିକେ ପ୍ରଭାବିତ କରୁଥିବା କହିଛନ୍ତି। ସ୍ଥାନୀୟ ଉତ୍ପାଦନ ଚଳିତ ବର୍ଷ ଶୂନ୍ୟ ରହିବା ବଜାର ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି। ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ସ୍ଥାନୀୟ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ମାର୍ଚ୍ଚ ମାସରେ ଗଛରେ ଆମ୍ବ ବଉଳ ଆସିଲା, କିନ୍ତୁ ଏହା ଫଳରେ ରୂପାନ୍ତରିତ ହେବା ପୂର୍ବରୁ ବଉଳ ନଷ୍ଟ ହୋଇଯାଇଥିବା ଚାଷୀ କହିଛନ୍ତି। ଫଳରେ ଚଳିତ ବର୍ଷ ଦେଶୀ ଆମ୍ବ ଆଦୌ ଉତ୍ପାଦନ ହୋଇନାହିଁ। ଖୁଚୁରା ଦୋକାନୀଙ୍କଠାରୁ ଆରମ୍ଭ କରି ଗୋଦାମ ମାଲିକ ଚଳିତବର୍ଷ ପଡ଼ୋଶୀ ରାଜ୍ୟର ଆମ୍ବ ଆଣି ବ୍ୟବସାୟ କରୁଛନ୍ତି। ଖଣ୍ଡପଡ଼ା ବ୍ଲକ୍ରେ ଉଦ୍ୟାନ ବିଭାଗର ୧୬୫ ଏକର ପରିମିତ ଫାର୍ମରେ ପ୍ରାୟ ୧୫୦୦ରୁ ଅଧିକ ଆମ୍ବ ଗଛ ରହଛି। ଏଥିରେ ବିଭିନ୍ନ କିସମର ଆମ୍ବ ଉତ୍ପାଦନ ହୋଇଥାଏ। ସ୍ଥାନୀୟ ବ୍ୟକ୍ତିଙ୍କୁ ଏହା ନିଲାମ ଜରିଆରେ ଦିଆଯାଇଥାଏ। ଚଳିତ ବର୍ଷ ଏଭଳି ସ୍ଥିତି ପାଇଁ କାହାକୁ ଏହି ବଗିଚା ନିଲାମ ଦିଆଯାଇନଥିବା ଜଣାଯାଇଛି। ନୟାଗଡ଼ ବ୍ଲକ୍ କଣ୍ଟାବଣିଆ ଗ୍ରାମର ଆମ୍ବ ଚାଷୀ ଶଙ୍କର ନାୟକଙ୍କର ୩୫୦ ଗଛ ଥିବା ଆମ୍ବ ବଗିଚା ରହିଛି। ଚଳିତ ବର୍ଷ ଆମ୍ବ ବିକ୍ରି କରିବା ତ ଦୂର କଥା, ଘରେ ଖାଇବାକୁ ମଧ୍ୟ ଆମ୍ବ ନାହିଁ। ଚଳିତ ବର୍ଷ ଆମ୍ବ କାହିଁକି ଫଳିଲାନି, ସେଥିନେଇ ଚାଷୀ ଚିନ୍ତାରେ। ତାଙ୍କ ବଗିଚାରେ ବାଇଗଣ ପଲେଇ, ଆଲାମୁଣ୍ଡା, ଧଳାଗେଟା, ବେଲପତରିଆ ଆମ୍ବ ରହିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ଆମ୍ବ, ଶ୍ରୀ ନାୟକ ଓ ତାଙ୍କ ଭାଇମାନେ ବିକ୍ରି କରିଥାନ୍ତି। ଚଳିତ ବର୍ଷ ଆଦୌ ଆମ୍ବ ସେ ବଜାରକୁ ଯୋଗାଇନଥିବା କହିଛନ୍ତି।
Follow Us