ଓଡ଼ିଶା ସୀମାରେ ଆନ୍ଧ୍ରର ମାମଲତକାରୀ

ଗଙ୍ଗାବାଡ଼ରେ ପଡ଼ୋଶୀ ରାସ୍ତା କାମ ଆରମ୍ଭ, ୫୦ ପରିବାରଙ୍କୁ ନିଜ ଯୋଜନାରେ ସାମିଲ କରିସାରିଲାଣି

ଓଡ଼ିଶା ସୀମାରେ ଆନ୍ଧ୍ରର ମାମଲତକାରୀ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତକୁ ଦଖଲ ଅଭିଯାନ ବରାବର ଚଳାଇଛି ଆନ୍ଧ୍ର ପ୍ରଶାସନ। କଳେ ବଳେ କୌଶଳେ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତର ଦୁଇ ଗ୍ରାମ ମାଣିକପାଟଣା ଓ ଗୁଦୁଖୁଡ଼ିରେ ଅନଧିକାର ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି। ନିଜ ରାଜ୍ୟର ବିଭିନ୍ନ ଯୋଜନାରେ ହିତାଧିକାରୀ ସଜାଇ, ଭୋଟର ତାଲିକାରେ ସାମିଲ କରି ସାରିବା ପରେ ଏବେ ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଲୋଭିତ କରି ଅଧିକ ସୁବିଧା ସୁଯୋଗ ଦେବା ଉଦ୍ଦେଶ୍ୟରେ ଆଜିଠାରୁ ଶ୍ରୀକାକୁଲମ ଜିଲ୍ଲାର ସିଙ୍ଗିପୁର ଠାରୁ ମାଣିକପାଟଣାକୁ ଏକ ନୂତନ ପକ୍କା ସଂଯୋଗ ରାସ୍ତା ନିର୍ମାଣ କାମ ଆରମ୍ଭ କରିଛି।

ସୂଚନା ଅନୁସାରେ, ୧.୫ କିମି. ଲମ୍ବା ଏବ˚ ୧୦ ଫୁଟ ଚଉଡ଼ା ପିଚୁ ରାସ୍ତାକୁ ଆନ୍ଧ୍ର ସରକାରଙ୍କ ଆଇଟିଡିଏ ଯୋଜନାରେ ନିର୍ମାଣ ଆରମ୍ଭ ହୋଇଛି। ସିଙ୍ଗିପୁର ଠାରୁ ମଞ୍ଜୁଷା ମଣ୍ତଳ ମାତ୍ର ୫ କିମି ଦୂର ଏବ˚ ରାସ୍ତା କାମ ସମ୍ପୂର୍ଣ୍ଣ ହେଲେ ମାଣିକପାଟଣା ଓ ଗୁଦୁଖୁଡ଼ି ବାସିନ୍ଦାଙ୍କୁ ଓଡ଼ିଶାର ଚମ୍ପାପୁର ରାସ୍ତାକୁ ଆଉ ବ୍ୟବହାର କରିବା ଆବଶ୍ୟକ ପଡ଼ିବନାହିଁ। ଆଜି ରାସ୍ତା କାମ ଆରମ୍ଭ ହେବା ଘଟଣା‌ରେ ଗଙ୍ଗାବାଡ଼ ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶ ସରକାର ଚତୁରତାର ସହ ନକ୍ସା କାଟିଛନ୍ତି। ସ୍ଥାନୀୟ ଲୋକଙ୍କୁ ଜନହିତକର ଯୋଜନାରେ ସାମିଲ କରିଦେଲେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ମାଣିକପାଟଣା ଏବ˚ ଗୁଦୁଖୁଡ଼ି ଗ୍ରାମର ୫୦ରୁ ଅଧିକ ପରିବାର ଗଙ୍ଗାବାଡ଼ ପଞ୍ଚାୟତରେ ରହିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶରେ ହିଁ ଭୋଟ ଦେବେ ଏବଂ ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇବେ। ସବୁଠାରୁ ବଡ଼ କଥା ହେଲା, ଦୁଇଦିନ ପୂର୍ବେ ଗଜପତି ଆଇଟିଡିଏ ତରଫରୁ କିଛି ଅଧିକାରୀ ଗୁଦୁଖୁଡି ଏବ˚ ମାଣିକପାଟଣାରେ ଅନୁସୁଚିତ ଜନଜାତି ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସ୍ବତନ୍ତ୍ର ଯୋଜନା ବିଷୟରେ ବୁଝାଇ ଗ୍ରାମବାସୀଙ୍କୁ ଓଡ଼ିଶା ସରକାରଙ୍କ ଏହି ଜନହିତକର ଯୋଜନାରେ ପଞ୍ଜୀକୃତ ହେବା ପାଇଁ ନିବେଦନ କରିଥିଲେ। କିନ୍ତୁ କୌଣସି ପରିବାର ଓଡ଼ିଶା ସରକାରଙ୍କ ଯୋଜନାକୁ ଗ୍ରହଣ କରିନଥିଲେ। ପାଲଟା ସେମାନେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସପକ୍ଷରେ ଯୁକ୍ତି କରିଥିଲେ। ଗଜପତି ଜିଲ୍ଲା ପ୍ରାଶାସନିକ ଅଧିକାରୀ ବହୁ ବୁଝାସୁଝା ଉଦ୍ୟମ କରିବା ସତ୍ତ୍ବେ କିଛି ସୁଫଳ ମିଳିଲାନି।

ଅନ୍ୟପଟେ, ଆନ୍ଧ୍ର ସୀମାନ୍ତରେ ଥିବା ଏହି ଦୁଇ ଗ୍ରାମର ଭୌଗୋଳିକ ସ୍ଥିତିର ଫାଇଦା ଉଠାଇବା ପାଇଁ ଶ୍ରୀକାକୁଲମ ଜିଲ୍ଲା ପଲାସା ନିର୍ବାଚନମଣ୍ତଳୀର ବିଧାୟକ ଏବ˚ ଆନ୍ଧ୍ର ସରକାରଙ୍କ ପଶୁସମ୍ପଦ ମନ୍ତ୍ରୀ ଏସ୍‌.ଆପ୍ପାଲାରାଜୁ ଏବେ ସୁଚିନ୍ତିତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମ ମାଣିକପାଟଣା ଓ ଗୁଦୁଖୁଡ଼ିର ସମସ୍ତ ପରିବାର ମୁଖ୍ୟଙ୍କୁ ସେମାନଙ୍କ ଆଧାର କାର୍ଡ, ଭୋଟର୍‌ କାର୍ଡ଼, ବ୍ୟାଙ୍କ‌୍ ଜମାଖାତା ଓ ପାନ୍‌କାର୍ଡ଼ ଇତ୍ୟାଦି ମଞ୍ଜୁଷା ମଣ୍ତଳ କାର୍ଯ୍ୟାଳୟରେ କିମ୍ବା ନିକଟସ୍ଥ ଆନ୍ଧ୍ରର ଗୋପିଲି ଗ୍ରାମରେ ପ୍ରସ୍ତୁତ କରିବାକୁ ଘର ଘର ବୁଲି ସଚେତନ କରୁଛନ୍ତି। ଏହି ଦୁଇଟି ଗ୍ରାମର ୫୦ ପରିବାରକୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ପଞ୍ଜୀକରଣ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe