ବରଗଡ଼, (ଅଞ୍ଜନ ପ୍ରଧାନ): ଇଡ୍ଲି ପାଇଁ ଧାନ ବୋହୁଛି ଆନ୍ଧ୍ରପ୍ରଦେଶ। ଏହା ଅଜବ ଲାଗୁଲେ ବି ସତ! ଓଡ଼ିଶାରେ ଉତ୍ପାଦିତ ‘ଆକାଶ ଗଙ୍ଗା’ ଧାନ ଇଡ୍ଲି ଓ ଚକୁଳି ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଆନ୍ଧ୍ର ଏବେ ଏହାପଛରେ ପଡ଼ିଯାଇଛି। ଦଲାଲ ସହାୟତାରେ ବହୁ ପରିମାଣରେ ଉଠାଇ ନେଉଛି। ଏପେଟେ, ବିକ୍ରି ସହଜ ହୋଇଥିବାରୁ ଏବଂ କ୍ବିଣ୍ଟାଲ ପିଲା ୨୦୦୦ ଟଙ୍କା ପାଉଥିବାରୁ ବରଗଡ଼ ଜିଲ୍ଲାର ଚାଷୀ ବି ଏହି ପ୍ରକ୍ରିୟାରେ ଖୁସ୍। ତେବେ ଏହି ଘଟଣାରୁ ରାଜ୍ୟ ସରକାରଙ୍କ ଧାନ କ୍ରୟ ନୀତି ପୁଣି ଫେଲ୍ ହୋଇଥିବା ସ୍ପଷ୍ଟ ହୋଇଛି।
The Financial Expressରବି ଧାନ ସଂଗ୍ରହ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ଆଉ ଦୁଇ ସପ୍ତାହ ପରେ ଧାନକିଣା ବନ୍ଦ ହେବ। ବରଗଡ଼ ଜିଲ୍ଲାର ୭୭ହଜାର ଚାଷୀ ରବି ଧାନ ବିକିବା ପାଇଁ ପଞ୍ଜିକୃତ ହୋଇଥିଲେ। କିନ୍ତୁ ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏ ୬୭ହଜାର ଚାଷୀଙ୍କ ଠାରୁ ୪୭ ଲକ୍ଷ କ୍ବିଣ୍ଟାଲ ଧାନ କିଣାସରିଛି। ଅର୍ଥାତ୍ ୧୦ହଜାର ଚାଷୀଙ୍କ ଧାନ ଏଯାଏଁ ଉଠିନାହିଁ। ଆଗକୁ କମ୍ ସମୟ ଥିବାରୁ ଏତିକି ଚାଷୀଙ୍କ ଧାନ କିଣା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁନର୍ବାର ଜିଲ୍ଲାବ୍ୟାପୀ ଟୋକନ୍ ବିଭ୍ରାଟ ଲାଗିରହିଛି। ଯେତିକି ପରିମାଣର ଜମି ପଞ୍ଜିକୃତ ହୋଇଥିଲା, ସେତିକି ସଂଖ୍ୟାରେ ଚାଷୀଙ୍କ ପାଖରେ ଟୋକନ୍ ନାହିଁ। ଧାନ କିଣା ଆରମ୍ଭ ହେବାଦିନରୁ ଏହି ସମସ୍ୟା ଲାଗି ରହିଛି। ଏଥର ବମ୍ପର ଉତ୍ପାଦନ ହୋଇଥିବାରୁ ଧାନ କିଣା ଆରମ୍ଭ ହେବାପୂର୍ବରୁ ହିଁ ଧାନଖୋଲା ବଜାରକୁ ଆସିଛି। ଆଶ୍ଚର୍ଯ୍ୟର କଥା ଯେ ଓଡ଼ିଶାର ଧାନକିଣା ନୀତି ଉପରୁ ଚାଷୀଙ୍କ ଭରସା ତୁଟି ଯାଇଥିବା ‘ଗ୍ରାଉଣ୍ଡ ଜିରୋ’ରୁ ଜଣାପଡ଼ୁଛି। ମଣ୍ଡି ବ୍ୟବସ୍ଥା ବି ଚାଷୀଙ୍କୁ ଧୋକା ଦେଇଛି। ଫଳରେ ସେମାନେ ବାଧ୍ୟହୋଇ ସ୍ବଇଚ୍ଛାରେ ଆନ୍ଧ୍ରକୁ ଧାନ ପଠାଉଥିବା ଜିଲ୍ଲାର ଚାଷୀ ପ୍ରତିକ୍ରିୟାରେ କହିଛନ୍ତି। ହସ୍ତଗତ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୪ଲକ୍ଷ କ୍ବିଣ୍ଟାଲ ଧାନ ଆନ୍ଧ୍ରକୁ ଗଲାଣି। ଆଗକୁ ବଳକା ଧାନ ପୁଣି ଚାଲାଣ ହେବ। ବରଗଡ଼ ଜିଲ୍ଲାରେ ଏସନ ‘ଆକାଶ ଗଙ୍ଗା’ ଧାନ ଭଲ ଉତ୍ପାଦନ ହେଉଥିବାରୁ ଦଲାଲ ସହାୟତାର ଆନ୍ଧ୍ରକୁ ବିକ୍ରି କରିଦେଉଛନ୍ତି। ଏହି ଧାନ କ୍ବିଣ୍ଟାଲ ପିଛା ୧୯ ରୁ ୨୧ ଶହ ଟଙ୍କାରେ ବିକ୍ରି ହେଉଛି। ଦଲାଲ ତୁରନ୍ତ ଚାଷୀଙ୍କୁ ନଗଦ ଟଙ୍କା ଧରାଇ ଦେଉଛନ୍ତି। ଚାଷୀଙ୍କୁ ବସ୍ତା, ଲୋଡିଂ ଏବଂ ପରିବହନର ଝାମେଲାରେ ପଡ଼ିବାକୁ ହେଉନାହିଁ। ତେଣୁ ଚାଷୀ ଆନ୍ଧ୍ର ଦଲାଲଙ୍କୁ ପ୍ରଚୁର ମାତ୍ରାରେ ଧାନ ଦେଉଛନ୍ତି।
Agriculture Postଜଣେ ଚାଷୀଙ୍କ କହିବାନୁଯାୟୀ, ‘ଜିଲ୍ଲାରେ କଟ୍ନି ଛଟ୍ନିର ଶିକାର ହେଉଥିବା ଚାଷୀ ମାତ୍ର ୧୨ଶହରୁ ୧୪ ଶହ ଟଙ୍କାରେ ସ୍ଥାନୀୟ ମିଲର୍ସଙ୍କ ଦଲାଲକୁ ଧାନ ଦେବାକୁ ବାଧ୍ୟ ହେଉଛି। ତାହା ଉପରେ ପୁଣି ବସ୍ତା ଏବଂ ପରିବହନ ବାବଦକୁ ଚାଷୀ ଟଙ୍କା ଗଣୁଛି। ବର୍ଷା ହେଲେ ଧାନ ନଷ୍ଟ ହେଉଛି। ଏସବୁ ଶୋଷଣ ଏବଂ ଅସୁବିଧାରୁ ମୁକ୍ତି ପାଇବାକୁ ଜିଲ୍ଲାର ଚାଷୀ ଆନ୍ଧ୍ର ଉପରେ ଭରସା କରିଛି।’ ଚାଷୀଙ୍କ ଆକଳନ ହେଲା, ଏଥର ଖୋଲାବଜାରରେ ୧୦ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ହେବ। ସ୍ବାଭାବିକ କଥା, ଚାଷୀ ସ୍ଥାନୀୟ ଦଲାଲଙ୍କ ଦ୍ବାରା ଶୋଷିତ ହେବାପୂର୍ବରୁ ଚଢ଼ା ଦରରେ ଆନ୍ଧ୍ରକୁ ଧାନ ପଠାଇବାକୁ ବାଧ୍ୟ ହେଉଥିବା କୁହାଯାଉଛି।
ସାଧାରଣତଃ, ବରଗଡ଼ ଜିଲ୍ଲାରୁ ଛତିଶଗଡ଼କୁ ଧାନ ଯାଇଥାଏ। କିନ୍ତୁ ରବି ଋତୁରେ ଛତିଶଗଡ଼ର ବେପାରୀ ଧାନ ନେଇନଥାନ୍ତି। ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ରର ଦଲାଲମାନେ। ଚାଷୀ ନିଜ ମର୍ଜିରେ ଧାନ ପଠାଉଥିବା ଯୋଗୁଁ ପ୍ରଶାସନ ବି ନାଚାର!
Follow Us