ଆନ୍ଧ୍ର ଯାଉଛି ଚୋରା ବାଲି: ହ୍ବାଟ୍‌ସଆପ୍‌ରେ ନିୟନ୍ତ୍ରଣ ହେଉଛି, ବିନା ମଞ୍ଜୁରିରେ ଚାଲିଛି ୨୬ ବାଲିଘାଟ‌

କଟକ ଜିଲ୍ଲାର ନରସିଂହପୁର, ଟାଙ୍ଗୀ, ମାହାଙ୍ଗା, ତିଗିରିଆର ହାଟମାଳଠାରୁ ଆରମ୍ଭ କରି ବାଙ୍କୀର ଓସ୍ତିଆ, ସାଆଁପୁର, ହରିରାଜପୁର, ରଜିବ, ପାଥପୁର ଏପଟେ ନିଆଳିର ଶାସନପଦା, କିଶନନଗରର ଉତ୍ତରକୂଳ ପାଖରେ ଚାଲିଛି ଚୋରା ବାଲିଘାଟ।

sand

କଟକ: କଟକ ଜିଲ୍ଲାର ନରସିଂହପୁର, ଟାଙ୍ଗୀ, ମାହାଙ୍ଗା, ତିଗିରିଆର ହାଟମାଳଠାରୁ ଆରମ୍ଭ କରି ବାଙ୍କୀର ଓସ୍ତିଆ, ସାଆଁପୁର, ହରିରାଜପୁର, ରଜିବ, ପାଥପୁର ଏପଟେ ନିଆଳିର ଶାସନପଦା, କିଶନନଗରର ଉତ୍ତରକୂଳ ପାଖରେ ଚାଲିଛି ଚୋରା ବାଲିଘାଟ। ଖଣି ବିଭାଗ, ପୁଲିସ ମିଳିତ ଭାବେ ଚଢ଼ଉ କରି ବେଆଇନ ବାଲିଘାଟ ବନ୍ଦ କରୁଥିବାବେଳେ ରାତିରେ କିନ୍ତୁ ଶହ ଶହ ଟ୍ରିପ୍‌ ବାଲି ଚୋରା ଚାଲାଣ ହେଉଛି ବିଭିନ୍ନ ଘାଟରୁ। କଟକ, ପୁରୀ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଏପରିକି ଆନ୍ଧ୍ରପ୍ରଦେଶକୁ ଚୋରା ବାଲି ରୢାକେଟ୍‌ ଲମ୍ବିଛି। ପୂର୍ବରୁ ମଙ୍ଗୁଳିରେ ଡମ୍ପ୍‌ କରି  ସେଠାରୁ ବାଲି ଆନ୍ଧ୍ରପ୍ରଦେଶକୁ ପଠାଯାଉଥିଲା। ଏବେ କିନ୍ତୁ ସିଧାସଳଖ ଘାଟରୁ ଆନ୍ଧ୍ରପ୍ରଦେଶ ଚାଲାଣ କରି ଦିଆଯାଉଛି।

କଟକରେ ବାଲିଘାଟ ନିଲାମଧାରୀ ଓ ଚୋରା ଚାଲାଣ କରୁଥିବା ଲୋକଙ୍କର ଏକ ହ୍ବାଟ୍‌ସଆପ୍ ଗ୍ରୁପ୍‌ ରହିଛି। କେଉଁଆଡ଼େ କେତେ ବାଲି ଗାଡ଼ି ଗଲା, ଚଢ଼ଉ ପାଇଁ କିଏ ଆସିଛନ୍ତି, କେଉଁଠି ଚଢ଼ଉ ଚାଲିଛି ସେସବୁର ତଥ୍ୟ ସେହି ଗ୍ରୁପ୍‌ରେ ଆଦାନପ୍ରଦାନ ହେଉଛି। ଯଦି କେଉଁଠି ବି ଚଢ଼ଉ ଖବର ରହୁଛି, ସେଠାରେ ଘ‌ାଟ ସବୁକୁ ବନ୍ଦ କରି ଦିଆଯାଉଛି। କଟକ ଜିଲ୍ଲାରେ ସରକାରୀ ଭାବେ ୭୮ଟି ବାଲିଘାଟ ଥିବାବେଳେ ସେଥିରୁ ୫୨ଟି ଘାଟ ଚାଲିଛି। କିନ୍ତୁ ବିନା ପରିବେଶ ମଞ୍ଜୁରି, ବିନା ପ୍ରମାଣପତ୍ରରେ ବି ଅନେକ ଘାଟ ଚାଲୁଛି। ରାତି ହେଲେ ନିଆଳି, ବାଙ୍କୀ, ତ୍ରିଶୂଳିଆ, ତିଗିରିଆ ଭଳି ବିଭିନ୍ନ ଗାଁ ରାସ୍ତା ବାଲିଗାଡ଼ିରେ ଜାମ୍ ହୋଇଯାଉଛି। ଏପଟେ ଖଣି ବିଭାଗର ତଥ୍ୟ ଅନୁସାରେ ଦେଢ଼ମାସରେ ୪୦ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବେଳେ ୨୦ଟି ମାମଲା ରୁଜୁ ହୋଇଛି। 

ନୂଆ ବ୍ୟବସ୍ଥା ଅନୁଯାୟୀ ଉପଖଣ୍ଡରେ ଉପଜିଲ୍ଲାପାଳ ଓ ତହସିଲସ୍ତରରେ ତହସିଲଦାରଙ୍କ ନେତୃତ୍ବରେ ଗଠିତ କମିଟି ଲଘୁ ଖଣିଜ ଦ୍ରବ୍ୟ ପରିବହନ ବ୍ୟବସ୍ଥାର ଏନ୍‌ଫୋର୍ସମେଣ୍ଟ ବା ଯାଞ୍ଚ ଦାୟିତ୍ବରେ ରହିବେ। କିନ୍ତୁ ସେମାନେ ଯେଉଁମାନଙ୍କୁ ଧରିବେ ତାଙ୍କ ଉପରେ କୌଣସି ଜରିମାନା ପକାଇ ପାରିବେନି। ସେମାନେ ସନ୍ଦେହଜନକ ଥିବା ବାଲିଗାଡ଼ି, ପଥର, ମୋରମ୍‌ ସବୁକୁ ଧରିବେ। କିନ୍ତୁ ଖଣି ବିଭାଗ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଜରିମାନା ସଂପର୍କରେ ନିଷ୍ପତ୍ତି ନେଇପାରିବେନି। ଏପରିକି ସେହି ଗାଡ଼ିର ଟ୍ରାନ୍‌ଜିଟ୍‌ ପାସ୍‌ ରହିଛି ନା ନାହିଁ ସେସବୁ ଖଣି ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିବା ପରେ ସେମାନଙ୍କ ଉପରେ ଜରିମାନା ପକାଇବେ। ଖଣି ବିଭାଗରେ ଜଣେ ଦୁଇଜଣ ଅଧିକାରୀଙ୍କୁ ନେଇ ଜିଲ୍ଲାର ଶତାଧିକ ବାଲିଘାଟ ନିୟନ୍ତ୍ରିତ ହେଉଛି। କର୍ମଚାରୀ ଓ ଅଧିକାରୀ ଅଭାବ ଥିବାବେଳେ ଜଣେ ଦୁଇ ଜଣ ଚଢ଼ଉ ପାଇଁ ଘାଟ ସବୁକୁ ଯିବା ସମୟରେ ମାଫିଆଙ୍କ ଦ୍ବାରା ଆକ୍ରମଣର ଶିକାର ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ଉପଖଣ୍ଡସ୍ତରୀୟ କମିଟି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବାବେଳେ ଏସ୍‌ଡିପିଓ, ଏସିଏଫ୍‌ ଓ ରେଞ୍ଜର, ତହସିଲଦାର, ଥାନା ଅଧିକାରୀ, ମାଇନିଂ ଅଧିକାରୀ ବା ଜୁନିୟର ମାଇନିଂ ଅଧିକାରୀ ସଦସ୍ୟ ଅଛନ୍ତି। ସେହିପରି ତହସିଲସ୍ତରରେ ଗଠିତ କମିଟିରେ ଅଧ୍ୟକ୍ଷ ଭାବେ ତହସିଲଦାର ଓ ସଦସ୍ୟ ଭାବେ ସେହି ଅଞ୍ଚଳର ଥାନା ଅଧିକାରୀ, ରେଞ୍ଜ ଅଫିସର, ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ରହିବେ। ଏହି କମିଟି ମାସକୁ ଅତିକମ୍‌ରେ ଥରେ ଉପଖଣ୍ଡସ୍ତରରେ ଓ ତହସିଲସ୍ତରରେ ଯାଞ୍ଚ କରିବେ ବୋଲି ନିୟମ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe