The News Minute
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଡୁମେରପଡ଼ା ଗାଁର ଜଣେ ୧୬ବର୍ଷର ନାବାଳିକା କୁମୁଦିନୀ ମାଝୀ ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା ଜିଏମ୍ଏନ୍ ଇଟାଭାଟିକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମାନବାଧିକାର କମିସନ ହସ୍ତକ୍ଷେପ କରି ୪ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନେଲୋର ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ୨୦୨୧ ଡିସେମ୍ବର ମାସରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଜଣେ ସର୍ଦ୍ଦାରଙ୍କ ଜରିଆରେ ଡୁମେରପଡ଼ା ଗାଁର ଲୋଚନ ମାଝୀ, ପତ୍ନୀ ମିଥିଳା ମାଝୀ (୩୫) ଓ ଝିଅ କୁମୁଦୁନୀ ମାଝୀ (୧୬) ଆନ୍ଧ୍ରପ୍ରଦେଶର ନେଲୋରକୁ କାମ କରିବାକୁ ଯାଇଥିଲେ। ଗତ ଫେବ୍ରୁଆରି ମାସରେ ହଠାତ୍ କୁମୁଦିନୀ ଅସୁସ୍ଥ ହୋଇ ପଡ଼ିଥିଲା। ଇଟାଭାଟି ମାଲିକ ଚିକିତ୍ସା ନିମନ୍ତେ ତାକୁ ନେଲୋର ସରକାରୀ ଜିଲ୍ଲା ମୁ୍ଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରି ନିଜ ଗାଁକୁ ନେବାକୁ କହିଥିଲେ ମଧ୍ୟ ଇଟାଭାଟି ମାଲିକ ରାଜି ହୋଇ ନଥିଲା। ଏପରିକି ଶବ ନେବାକୁ ଚେଷ୍ଟା କଲେ ଜୀବନରୁ ମାରିଦେବି ବୋଲି ଇଟାଭାଟି ମାଲିକ ଧମକ ଦେଇଥିଲା।
ଫଳରେ ପରିବାର ଲୋକ ବାଧ୍ୟ ହୋଇ ଶବ ବ୍ୟବଚ୍ଛେଦ ନକରି ସେଠାରେ ନାବାଳିକାର ଶବ ସତ୍କାର କରିଥିଲେ। ପରେ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ କଳାହାଣ୍ଡିର ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ମାନବାଧିକାର କମିସନଠାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ମାନବାଧିକାର କମିସନର ହସ୍ତକ୍ଷେପ କରି ନେଲୋର ଜିଲ୍ଲାପାଳ ଓ ଏସ୍ପିଙ୍କୁ ରିପୋର୍ଟ ତଲବ କରିବା ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ନହେଲେ ମାନାବାଧିକାର ସୁରକ୍ଷା ଆଇନ ଅନୁଯାୟୀ ସଂପୃକ୍ତ ଅଧିକାରୀ ଦ୍ବୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନବାଧିକାର କମିସନ ଚେତାବନୀ ଦେଇଛନ୍ତି। ଆସନ୍ତା ଶୁଣାଣି ୨୩ ନଭେମ୍ବରରେ ହେବା ପାଇଁ ଦିନ ଦାର୍ଯ୍ୟ ହୋଇଛି।
Follow Us