photo--asian age
ଭୁବନେଶ୍ବର : ଜଳ, ଜଙ୍ଗଲ ଓ ମାଟି ପ୍ରତି ବିଜେଡି ସରକାରର ଦରଦ ନାହିଁ। ତା ହୋଇଥିଲେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରିନଥାନ୍ତେ। ଯାହାକି ଓଡ଼ିଶା ପାଇଁ ସବୁଠୁ ଘୋର ଦୁଃଖର ବିଷୟ। କୋଟିଆ ଗ୍ରାମପୁଞ୍ଜର ସୀମାନ୍ତ ଗାଁରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନି଼ରଞ୍ଜନ ପଟ୍ଟନାୟକ। କହିଛନ୍ତି, ଦୀର୍ଘ ବର୍ଷ ତଳୁ ମହାନଦୀ ଜଳ ଉପରେ ଛତିଶଗଡ଼ କବଜା କଲା, ଅଥଚ ରାଜ୍ୟ ସରକାର ଶୋଇ ରହିଲେ। ଏବେ ଆନ୍ଧ୍ରପ୍ରଦେଶ ରାଜ୍ୟର ନିର୍ବାଚନ କମିସନ ବିଜ୍ଞପ୍ତି ୨ ମାସ ତଳୁ ବିଜ୍ଞପ୍ତି କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ। ତଥାପି ଆମ ସରକାରଙ୍କର ନିଦ ଭାଙ୍ଗିଲାନି। ଏବେ ଭୋଟବେଳକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରଠୁ କୋର୍ଟଙ୍କ ଆଶ୍ରୟ ନେବାର ଥିଲା। କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓଡ଼ିଶାର ସ୍ବାଭିମାନକୁ ନଷ୍ଟ କରିଦେଇଛି।
ଶ୍ରୀ ପଟ୍ଟନାୟକ ସମାଲୋଚନା କରି କହିଛନ୍ତି, କୋଟିଆ ବିବାଦ ଦୀର୍ଘ ଦିନ ଧରି ଲାଗି ରହିଛି। ରାଜ୍ୟ ସରକାର ନିଜ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବାରେ ଅହେତୁକ ଅବହେଳା କରିଛନ୍ତି। ଶନିବାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ସ୍ବତନ୍ତ୍ର ପୁଲିସ ବାହିନୀ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନିୟୋଜିତ କରି ପଞ୍ଚାୟତ ପାଇଁ ଭୋଟ ଗ୍ରହଣ କରାଇଛନ୍ତି। ଏହାସବୁଠୁ ଦୁର୍ଭାଗ୍ୟର କଥା। ୨୦୦୬ ମସିହାରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ଦାୟର ମାମଲାରେ ସ୍ଥଗିତାଦେଶ ଦେଇଥିଲେ। ଏହାପରେ ଉଭୟ ରାଜ୍ୟ ସରକାର ଆଲୋଚନା କରି ସମ୍ବିଧାନର ଧାରା ୩ ଓ ୪ ଅନୁଯାୟୀ ସଂସଦରେ ବିବାଦର ସମାଧାନ କରିପାରିଥାନ୍ତେ। ବିଜେଡି ସରକାର ରାଜ୍ୟରେ ୨୧ ବର୍ଷ ନିରନ୍ତର କ୍ଷମତାରେ ଥାଇ ବି ମୁଖ୍ୟମନ୍ତ୍ରୀ ଏ ଦିଗରେ ସମାଧାନ ପାଇଁ ଥରୁଟିଏ ଠୋସ୍ ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ବି ରାଜ୍ୟର ସୀମା ସୁରକ୍ଷା ପାଇଁ ଉଭୟ ରାଜ୍ୟଙ୍କ ସହ ଆଲୋଚନା କରି ଓଡ଼ିଶାର ସ୍ବାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। କାରଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସାର୍ବଭୌମତ୍ବକୁ ନେଇ ଆନ୍ତରିକତା ଦରଦ କି ଆନ୍ତରିକତା ଦେଖାଇନାହାନ୍ତି। ୨ ମାସ ତଳୁ କୋଟିଆ ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ରାଜ୍ୟ ସରକାର କିଭଳି ଜାଣିପାରିଲେନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାହିଁକି ରାଜ୍ୟର ମନ୍ତ୍ରୀ ଓ ବାବୁମାନେ ବିବାଦୀୟ ଅଞ୍ଚଳ ଗସ୍ତ କରି ତ୍ବରିତ୍ ପଦକ୍ଷେପ ନେଲେନାହିଁ? ରାଜ୍ୟର ପୁଲିସ ଓ ଅଧିକାରୀଙ୍କୁ ନିୟୋଜିତ କରି ନିର୍ବାଚନକୁ ବନ୍ଦ କରାଯାଇପାରିଥାନ୍ତା। ସାରା ଓଡ଼ିଶା 'ମୋ ପରିବାର' ବୋଲି ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ସେ କଥାର ଯଥାର୍ଥତା କେତେ ବୋଲି ପିସିସି ସଭାପତି କଟାକ୍ଷ କରିଛନ୍ତି।
Follow Us