Mycitylinks
ପଟାଙ୍ଗି : ଓଡ଼ିଶାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପୁଣି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ ତତ୍ପରତା ପ୍ରକାଶ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଗତ ୧ତାରିଖ ଦିନ ସାଲୁର ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଆଜି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ୍ ଅଖତର ଏବଂ ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀ କୋଟିଆ ପହଞ୍ଚିଥିଲେ। ନେରେଡ଼ବାଲସା ଓ ଫାଟୁସିନେରୀ ଗ୍ରାମକୁ ଯାଇ ସରଜମିନ ତଦନ୍ତ କରି ଫେରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଓଡ଼ିଶାର ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏହିକ୍ରମରେ ଗତ ଫେବ୍ରୁଆରି ମାସରେ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ତିନୋଟି ଗାଁକୁ ପଞ୍ଚାୟତର ମାନ୍ୟତା ଦେଇ ସରପଞ୍ଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରାଇଥିଲେ। ଏହାପରେ ଦୁଇଟି ସମିତି ସଭ୍ୟ ପଦବି ସହ ଗୋଟିଏ ଜିଲ୍ଲା ପରିଷଦ ଆସନ ନିମନ୍ତେ କୋଟିଆରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୮ତାରିଖ ଦିନ ମତଦାନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ୧୦ ତାରିଖ ଦିନ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ଆନ୍ଧ୍ରର ତନାମ ଠାରେ ଫାଟୁସିନେରୀ ପଞ୍ଚୟତବାସୀଙ୍କ ନିମନ୍ତେ ମତଦାନ କେନ୍ଦ୍ର କରାଯିବ। ସେହିପରି ଆନ୍ଧ୍ରର କାଡ଼ମା ଠାରେ ଫଗୁଣସିନେରୀ ପଞ୍ଚାୟତ ନିମନ୍ତେ ମତଦାନ କେନ୍ଦ୍ର କରାଯାଇଥିବା ଜଣାପଡ଼ିଛି। ଗଞ୍ଜେଇପଦର ପଞ୍ଚାୟତବାସୀଙ୍କ ନିମନ୍ତେ ନେରେଡ଼ବାଲସା ଠାରେ ମତଦାନ କେନ୍ଦ୍ର କରାଯାଇଛି। ଅତି ଚତୁରତା ସହ ଏହି ବିଜ୍ଞପ୍ତିରେ ଓଡ଼ିଶାର ଉପରୋକ୍ତ ଗାଁ ଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି। ଗୋଟିଏ ପଟେ ପୂର୍ବ ନିର୍ବାଚନ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାବେଳେ ପୁଣି ନିର୍ବାଚନ ପାଇଁ ଘୋଷଣା କରିବା ପଛରେ ସୁଚିନ୍ତିତ ଷଡ଼୍ଯନ୍ତ୍ର ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ରୋକିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି, ଦେଖିବାକୁ ବାକି ରହିଲା।
Follow Us