ବଲାଙ୍ଗୀର/ସାଲେଭଟା: ଅସ୍ବାଭାବିକ ପାଣିପାଗ ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ପାରମ୍ପରିକ କୃଷି ଗୁରୁତର ଭାବେ ପ୍ରଭାବିତ ହେଉଛି। ଏବେ ବି ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଅନ୍ୟ ଅଞ୍ଚଳରେ ଉଠାଜଳସେଚନ କିମ୍ବା ନିଜସ୍ବ ଉଦ୍ୟମରେ ଚାଷୀ ବିଲକୁ ପାଣି ମଡ଼ାଇ ଫସଲ ବଞ୍ଚାଉଛି। କିନ୍ତୁ ଏଥିରେ ବି ଚାଷୀକୁ ଧୋକା ମିଳୁଛି। ନଦୀନାଳ ଆଗତୁରା ଶୁଖିବା କାରଣରୁ କ୍ଷେତକୁ ପାଣି ଯୋଗାଣ ପାଇଁ ଚାଷୀ ପାଖରେ ବିକଳ୍ପ ବ୍ୟବସ୍ଥା ରହୁନାହିଁ। ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ କୃଷି ପାଇଁ ପ୍ରସିଦ୍ଧ। ଏଠାକାର ପନିପରିବା ଜିଲ୍ଲାର ୫୦ ପ୍ରତିଶତ ଆବଶ୍ୟକତା ମେଣ୍ଟାଇଥାଏ।
ହେଲେ କିଛିବର୍ଷ ହେଲା ଆଗଲପୁର ବ୍ଲକ୍ରୁ ପର୍ଯ୍ୟାପ୍ତ ଧାନ କିମ୍ବା ଫସଲ ବାହାରୁ ନାହିଁ। କାରଣ, ଅଙ୍ଗନଦୀ ଖରାଦିନ ପୂର୍ବରୁ ଶୁଖିଯାଉଛି। ଏଥର ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ବ୍ଲକ୍ର ପାଖାପାଖି ୨୦ କିଲୋମିଟର ପରିସୀମା ଦେଇ ଅଙ୍ଗନଦୀ ପ୍ରବାହିତ। ଅଞ୍ଚଳବାସୀଙ୍କ ପାଇଁ ଅଙ୍ଗନଦୀ ଜୀବନଧାରା ସଦୃଶ। ନଦୀକୂଳରେ ଚାଷୀମାନେ ପାଣିପମ୍ପ କିମ୍ବା ପାରମ୍ପରିକ ଦେଶୀ ପଦ୍ଧତିରେ ଜଳସେଚନ ବ୍ୟବସ୍ଥା କରିଛନ୍ତି। ନଦୀ ପାଣିରୁ ସେମାନେ ଫସଲ ବଞ୍ଚାଇଥାନ୍ତି। କିନ୍ତୁ ଫେବ୍ରୁଆରି ମାସରୁ ନଦୀ ଶୁଖିଲା ପଡ଼ିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରବି ପନିପରିବା ଉଜୁଡ଼ିବାକୁ ବସିଲାଣି। ଏଠାରେ ଗତ ରବି ଋତୁରେ ୧୨୦୦ ହେକ୍ଟର ଜମିରେ ଧାନଚାଷ ହୋଇଥିଲା।
ହଜାରେ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥିଲା। କିନ୍ତୁ ଚଳିତ ବର୍ଷ ୧୦୫୦ ହେକ୍ଟର ଜମିରେ ଧାନ ଏବଂ ୮୦୦ ହେକ୍ଟରରେ ପରିବା ଚାଷ ହୋଇଛି। ନଦୀର ଧାର ପୂର୍ବରୁ ଯେଉଁ ବାଟରେ ଥିଲା ତାହା ଜଳାଭାବ ଯୋଗୁଁ ଶୁଖିଯାଇଛି। ତେଣୁ ଚାଷୀଙ୍କ ପାଖରେ ପାଣି ଉଠାଇବାକୁ ବିକଳ୍ପ ବ୍ୟବସ୍ଥା ନାହିଁ। ଗତବର୍ଷ ତୁଳନାରେ ନଦୀର ସ୍ରୋତ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇବା ଫଳରେ ବହୁ ଚାଷୀ ଏଥର ରବି ଚାଷରୁ ଦୂରେଇ ଯାଇଛନ୍ତି। ବ୍ଲକ୍ କୃଷି ଅଧିକାରୀ ଆଶିଷ ପାଣିଗ୍ରାହୀ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ନଦୀର ଧାର ପୂର୍ବବର୍ଷ ତୁଳନାରେ କମିବା ଏବଂ ଉତ୍କଟ ଜଳାଭାବ ଯୋଗୁଁ ବ୍ଲକ୍ରେ ଚାଷବାସ ସିଧାସଳଖ ପ୍ରଭାବିତ ହେଉଥିବା ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟାରେ କହିଛନ୍ତି।
Follow Us