ପ୍ରତାପୁର : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ହେଲା ପର ଘରର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ବିଭିନ୍ନ ପର୍ଯ୍ୟାୟରେ ଶିଶୁଙ୍କୁ ଗୋଟିଏରୁ ବାରଣ୍ଡାରୁ ଆଉ ଗୋଟିଏ ବାରଣ୍ଡାକୁ ଏପଟସେପଟ କରି ଅଙ୍ଗନବାଡ଼ି କର୍ମୀ ଥକିଗଲେଣି। ହେଲେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠାଟିଏ ତିଆରି ହୋଇପାରୁନି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତରେ।
ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ୨୦୦୯ ମସିହାରୁ ଅଙ୍ଗନବାଡ଼ି ଆରମ୍ଭ ହୋଇଛି। ପ୍ରାକ୍ ଶିକ୍ଷା ଅର୍ଥାତ କୋମଳମତି ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି। ହେଲେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ କଥାକୁ ଯେପରି ବିଭାଗୀୟ ଅଧିକାରୀ ମାନେ ଭୁଲିଯାଇଛନ୍ତି। ଉକ୍ତ କେନ୍ଦ୍ରରେ ଏବେ ୨୦ ଜଣ ଶିଶୁ ପଢ଼ୁଛନ୍ତି। ଆଉ ସେମାନେ ଏବେ ବାର ପିଣ୍ଡା ତେର ଦୁଆର ହେଉଛନ୍ତି। ପ୍ରଥମେ କର୍ମୀ ତାଙ୍କ ନିଜ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଉଥିବା ବେଳେ ଏବେ ଗାଁ କୋଠ ଘରେ କ୍ଲାସ୍ ଚାଲିଛି। ହେଲେ କୋଠ ଘରେ ଏବେ କାଠଗଦା ହେବା ସହ ପଛ ପାଖରେ ଏକ ବଡ଼ ଖାଲ ଥିବାରୁ ଏହା ଶିଶୁଙ୍କ ପ୍ରତି ବିପଦପୂର୍ଣ୍ଣ ପାଲଟିଛି। ସେହିପରି ସ୍ଥାନ ଅଭାବରୁ ପିଲାଙ୍କ ପାଇଁ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି। ଏହି କେନ୍ଦ୍ରର ନିଜସ୍ବ କୋଠାର କାମ ଅଧାପନ୍ତରିଆ ରହିଛି। କେବଳ କଲ୍ୟାଣପୁର ନୁହେଁ ସମସ୍ତ ପଞ୍ଚାୟତର ଅନେକ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦୟନୀୟ ସ୍ଥିତିରେ ଚାଲିଛି। ଏପରିକି କିଛି ସ୍ଥାନରେ ନିଜସ୍ବ କୋଠା ଥିଲେ ମଧ୍ୟ ଚାବି ହସ୍ତାନ୍ତର ହେଉ ନଥିବାରୁ କର୍ମୀମାନେ ସମସ୍ୟା ଭୋଗୁଛନ୍ତି।
Follow Us