ପ୍ରାଥମିକ ସ୍କୁଲ ପରିସରରେ ହିଁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର

ପ୍ରାଥମିକ ସ୍କୁଲ ପରିସରରେ ହିଁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ବର : ଏବେବି ରାଜ୍ୟର ବହୁ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ର ଭଡ଼ା ଘରେ, ‌ଗୋାଷ୍ଠୀ କେନ୍ଦ୍ରରେ ଚାଲିଛି। ଏହାଦ୍ବାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହି ସବୁ ସ୍ଥାନରେ ସମସ୍ତ ପ୍ରାଥମିକ ସ୍କୁଲରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଆଜି ମିଳିତ ଭାବେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ସମସ୍ତ ପ୍ରାଥମିକ ସ୍କୁଲରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ସରକାରୀ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ ଡିଇଓ/ ବିଇଓ/ ସ୍କୁଲ ପରିଚାଳନା କମିଟି/ପ୍ରଧାନ ଶିକ୍ଷକଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ ନାହିଁ। ତେଣୁ ବିଡିଓମାନେ ସ୍କୁଲ ପରିସରରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ନେଇ ଯଥା ସମ୍ଭବ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଏନେଇ ବିଡିଓଙ୍କ ଅଧ୍ୟକ୍ଷତାରେ ସ୍ଥାନ ଚିହ୍ନଟ କମିଟି ସ୍କୁଲ ପରିସରରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବ। ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ରହିପାରିବେ।

ସେହିପରି ବହୁ ପ୍ରାଥମିକ ସ୍କୁଲ ବନ୍ଦ ହୋଇଯାଇଥିବାବେଳେ ଆବଶ୍ୟକସ୍ଥଳେ ସେଠାକୁ ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତର କରିବାକୁ କୁହାଯାଇଛି। ସ୍କୁଲର ସମସ୍ତ ଭିତ୍ତିଭୂମି ଅଙ୍ଗନୱାଡି କର୍ତ୍ତୃପକ୍ଷ ବ୍ୟବହାର କରି‌ପାରିବେ। ଏନେଇ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ନିଷ୍ପତ୍ତି ନେବାକୁ କୁହାଯାଇଛି। ଯେଉଁ ଗାଁରେ ଭଡ଼ା ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି ‌େସଠାରେ ଥିବା ପ୍ରାଥମିକ ସ୍କୁଲର ଅତିରିକ୍ତ ଶ୍ରେଣୀରେ ଅଙ୍ଗନୱାଡି କେନ୍ଦ୍ର ଚଲାଇବାକୁ କୁହାଯାଇଛି। କେଉଁଠି ବି ପିଲା ସ୍କୁଲ ବାରଣ୍ଡାରେ ଯେପରି ବସିବେନି ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି। ସ୍କୁଲର ଶୌଚାଳୟଗୁଡ଼ିକୁ ଅଙ୍ଗନୱାଡି ପିଲାଙ୍କ ବ୍ୟବହାର ପାଇଁ ଖୋଲାଯିବ। ସ୍କୁଲରେ ଥିବା କିଚେନ୍ ଗାର୍ଡେନ୍‌ରୁ ପରିବା ଆଣି ଅଙ୍ଗନୱାଡି ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe