ଅଙ୍ଗନବାଡ଼ି କେନ୍ଦ୍ର ପାଲଟିଛି ଛେଳି ଗୁହାଳ, ଉଦ୍‌ଘାଟନର ୫ ମାସ ପରେ ସ୍ଥାନାନ୍ତର ହେଉନି କେନ୍ଦ୍ର

ବିପଦସଂକୁଳ ଗୃହରେ ଚାଲିଛି ପାଠପଢ଼ା

ଅଙ୍ଗନବାଡ଼ି କେନ୍ଦ୍ର ପାଲଟିଛି ଛେଳି ଗୁହାଳ, ଉଦ୍‌ଘାଟନର ୫ ମାସ ପରେ ସ୍ଥାନାନ୍ତର ହେଉନି କେନ୍ଦ୍ର

କାକଟପୁର: କାକଟପୁର ବ୍ଲକ୍‌ ବାଜପୁର ପ୍ରାଥମିକ ବିଦ୍ୟାଳୟର ବିପଦପୂର୍ଣ୍ଣ ଗୃହରେ ଚାଲିଛି ଗ୍ରାମର ୩ ଗୋଟି ଅଙ୍ଗନବାଡି କେନ୍ଦ୍ର। ବାଜପୁର–୨, ବାଜପୁର–୩ ଏବଂ କୃଷ୍ଣନଗର ପାଟଣା ନାମରେ ଏହି ୩ଟି ଗୋଟି ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ବର୍ଷ ହେବ ବିଦ୍ୟାଳୟ ପରିସରରେ ଥିବା ଏକ ଆଜବେଷ୍ଟସ୍‌ ଗୃହରେ ଚାଲିଛି। ସାମୁଦ୍ରିକ ବାତ୍ୟା ‘ଫନି’ରେ ଏହି ଆଜବେଷ୍ଟସ୍‌ ଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ଏବଂ ପବନ ହେଲେ ଘର ଭିତରେ ବର୍ଷା ପାଣି ପଶୁଛି। ଗୃହର ଏଭଳି ଅବସ୍ଥାକୁ ବିଚାର କରି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗୃହକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି। କାନ୍ଥରେ ବଡ଼ ବଡ଼ ଅକ୍ଷରେ ଅନସେଫ୍ ଲେଖାଯାଇଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ୩ଟି କେନ୍ଦ୍ର ମଧ୍ୟରୁ ଦୁଇଟି କେନ୍ଦ୍ର ପାଇଁ ବିଦ୍ୟାଳୟଠାରୁ ମାତ୍ର ୨ ଶହ ମିଟର ଦୂରରେ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ପୃଥକ ପୃଥକ ଭାବେ ଦୁଇଟି ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ହୋଇଛି। ଗତ ୨୦୧୯ ମାର୍ଚ୍ଚ ୬ ତାରିଖରେ ଏହି ଗୃହ ଉଦ୍‌ଘାଟନ ସରିଥିଲେ ମଧ୍ୟ ଉକ୍ତ ନୂତନ ଗୃହକୁ କେଉଁ କାରଣ ପାଇଁ କେନ୍ଦ୍ର ସ୍ଥାନାନ୍ତର ହୋଇ ପାରୁନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ଏହି ଗୃହ ଦୀର୍ଘ ୫ ମାସ ଧରି ରକ୍ଷଣାବେକ୍ଷଣ ଅଭାବରୁ ପରତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ପରିବାର ଏଠାରେ ଛେଳି ବାନ୍ଧୁଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ କାକଟପୁର ବ୍ଲକ୍‌ ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ ମେରୀ ମାଇକେଲ୍‌ ଯେଶଙ୍କୁ ପଚାରିବାରେ ସେ କୁହନ୍ତି, ଆମେ ନବନିମିର୍ତ ନୂତନ ଗୃହକୁ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ଦାୟିତ୍ବରେ ଥିବା ୱାର୍କରଙ୍କୁ ନିର୍ଦ୍ଦେଶ ଦେଇଛୁ। ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ବାଧ୍ୟ ହୋଇ ୨ଥର କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। ‌ମାତ୍ର ୱାର୍କରମାନେ ଆମ କଥା ଶୁଣୁ ନାହାନ୍ତି। ଅନ୍ୟପକ୍ଷରେ ଏହି କେନ୍ଦ୍ରରେ ଅବସ୍ଥାପିତ ୱାର୍କରଙ୍କୁ ପଚାରିବାରେ ସେମାନେ କୁହନ୍ତି, ନୂତନ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ପିଲା ପଢିବା ପାଇଁ ଅନୁପଯୁକ୍ତ ଅଟେ। ଏହି କେନ୍ଦ୍ର ଦ୍ବୟର ପଛପଟେ ବିଦ୍ୟୁତ୍ ସବଷ୍ଟେସନ୍‌ ଥିବାବେଳେ ଆଗପଟେ ପୋଖରୀ। ପାନୀୟ ଜଳ ପାଇଁ ନଳକୂପର ବ୍ୟବସ୍ଥା କରାଯାଇ ନାହିଁ କି କେନ୍ଦ୍ର ଚତୁର୍ଦ୍ଦିଗରେ ପାଚେରି ବ୍ୟବସ୍ଥା ନାହିଁ। ଏଭଳି ପରିତ୍ୟକ୍ତ ଜାଗାରେ ଏହି କେନ୍ଦ୍ର ନିମିର୍ତ ହୋଇଛି, ଏଠାରେ ପଶୁପକ୍ଷୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ମଳମୁତ୍ର ତ୍ୟାଗ କରୁଥିବାରୁ ପିଲାମାନଙ୍କ ସ୍ବାସ୍ଥ୍ୟପକ୍ଷେ ଏହି ସ୍ଥାନ ଆଦୌ ଅନୁକୂଳ ନଥିବାରୁ ଅଭିଭାବକ କମିଟି ପକ୍ଷରୁ ଏ ସଂପର୍କରେ ବ୍ଲକ୍‌ ସିଡିପିଓଙ୍କ କାରଣ ଦର୍ଶାଅ ନୋଟିସ୍‌ର ଜବାବରେ ସୂଚନା ଦିଆଯାଇଛି। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଉକ୍ତ ନୂତନ କେନ୍ଦ୍ରକୁ ନେବା ପାଇଁ ଚାହୁଁ ନାହାନ୍ତି। ଆମେ କ’ଣ କରିବୁ ବୋଲି ସେମାନେ କହିଛନ୍ତି। ସେହିପରି ଏହି ନୂତନ କେନ୍ଦ୍ର ନିର୍ମାଣରେ ବହୁ ଅନିୟମିତତା କରାଯାଇଥିବାରୁ ଗୃହର ସ୍ଥାୟୀତ୍ବ ନେଇ ମଧ୍ୟ କିଛି ଗ୍ରାମବାସୀ ସନ୍ଦେହ ସୃଷ୍ଟି ପ୍ରକଟ କରିଛନ୍ତି। ପୁରୀ ଜିଲ୍ଲାପାଳ ଉପରୋକ୍ତ ସମସ୍ତ ଘଟଣାର ଅନୁଧ୍ୟାନ କରି ପିଲାମାନେ ଯେଭଳି ନିରାପଦ ସ୍ଥାନରେ ଅଧ୍ୟୟନ କରିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe