କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ପଞ୍ଚାୟତ ବେଲପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ଶିଶୁ, କିଶୋରୀମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀର ଚୋଲାଚାଲଣ ହେଉଥିବା ବେଳେ ରବିବାର ଗ୍ରାମବାସୀ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଓ ବେପାରୀଙ୍କୁ ଧରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାମତେ, ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ଓ କିଶୋରୀଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ ଚାଲାଣ ​ହେଉଥିବା ଗ୍ରାମବାସୀ ସନ୍ଦେହ କରି ଆସୁଥିଲେ। ତେବେ ରବିବାର ଏହି ଅଙ୍ଗନବାଡ଼ି କେନ୍ଦ୍ରରୁ ଛତୁଆ, ନାକଚଣା, ଖଜୁର ଆଦି ଶିରାବାହାଲ ଗ୍ରାମର ଟିକୁନୁ ସାହୁ ନିଜ ମୋପେଡ୍ (ଓଡି ୦୩ ଏକ୍ସ ୨୦୮୦)ରେ ନେଉଥିବା ବେଳେ ସେଠାରେ ଗ୍ରାମବାସୀ ପହଞ୍ଚି ଯାଇଥିଲେ। ଗ୍ରାମବାସୀ ଉଭୟ ଅଙ୍ଗନବାଡ଼ି କର୍ମୀ ଯଶୋବନ୍ତୀ ସାହୁ ଓ ବେପାରୀ ଟିକୁନୁଙ୍କୁ ଅଟକ ରଖିଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନେ ବାହରେ ଥିବା ଦର୍ଶାଇ ଆସି ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଗ୍ରାମବାସୀ ଉଭୟଙ୍କୁ ଛାଡ଼ି ଦେଇଥିଲେ। ଜବତ ସାମଗ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରଖାଯାଇଛି। ଏ ବାବଦରେ ଅଙ୍ଗନବାଡ଼ି ସୁପରଭାଇଜର ଗୀତା ହରିଜନଙ୍କୁ ଯୋଗାଯୋଗ କରିବାରୁ, ମୁଁ ଭବାନୀପାଟଣାରେ ଅଛି ଆସନ୍ତାକାଲି ଯାଇ ଷ୍ଟକ ଯାଞ୍ଚ କରି ହିତାଧିକାରୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବି ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ରବିବାର କର୍ଲାମୁଣ୍ଡା ସିଡିପିଓ ଗିରିଜା ଗୁଡ଼ଲା ଅବସର ନେଉଥିବା ହେତୁ ଭବାନୀପାଟଣାରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। ଏଣେ ରବିବାର ଛୁଟି ଥିବା ବେଳେ କର୍ମୀ ଜଣକ କାହିଁକି କେନ୍ଦ୍ର ଖୋଲିଥିଲେ ବୋଲି ଆଲୋଚନା ହେଉଛି।
Follow Us