ଅଙ୍ଗନବାଡ଼ିରେ ଭୂତ ହିତାଧିକାରୀ! ବାର୍ଷିକ ସର୍ଭେ ରେଜିଷ୍ଟାର ଯାଞ୍ଚ ନିର୍ଦ୍ଦେଶ

ସ୍କାନର୍‌ରେ ୩୦ରୁ ଅଧିକ ହିତାଧିକାରୀ ଥିବା ୧୦୦୪ ଅଙ୍ଗନବାଡ଼ି

ଅଙ୍ଗନବାଡ଼ିରେ ଭୂତ ହିତାଧିକାରୀ! ବାର୍ଷିକ ସର୍ଭେ ରେଜିଷ୍ଟାର ଯାଞ୍ଚ ନିର୍ଦ୍ଦେଶ

YouTube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଣ୍ଡା କ୍ରୟ ଓ ଯୋଗାଣ ଦାୟିତ୍ବ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପରେ ବିବାଦ ମୁଣ୍ଡ ଟେକିଛି। ଅଙ୍ଗନବାଡ଼ି କର୍ମୀ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି। ଏହି ବିବାଦ ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରର ବାର୍ଷିକ ସର୍ଭେ ରେଜିଷ୍ଟାର୍‌ରେ ପଞ୍ଜୀକୃତ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ତାଲିକା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶନାମା ପରେ ପ୍ରାକ୍‌ ବିଦ୍ୟାଳୟ ଯୋଜନାରେ ଭୂତ ହିତାଧିକାରୀ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଯାଞ୍ଚ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

publive-image The Asian Age

ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍‌ ବିଦ୍ୟାଳୟ ଶିଶୁ ହିତାଧିକାରୀ ତାଲିକା ଯାଞ୍ଚ ଲାଗି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର ସାହୁ ତହସିଲଦାର ମାନଙ୍କୁ ୫୫ ପୃଷ୍ଠା ସମ୍ବଳିତ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଯାଞ୍ଚ ହେବାକୁ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଠିକଣା ସଂଲଗ୍ନ ରହିଛି। ସିଡିପିଓ ଏବଂ ତହସିଲଦାର ଯୁଗ୍ମ ଭାବେ ଯାଞ୍ଚ କରି ଏହାର ରିପୋର୍ଟ ଦେବେ। ତହସିଲଦାର ଚାହିଁଲେ ଅତିରିକ୍ତ ତହସିଲଦାର ଓ ରାଜସ୍ବ ସୁପରଭାଇଜରଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୩୦ରୁ ଅଧିକ ହିତାଧିକାରୀ ରହିଥିବା ୧୦୦୪ ଅଙ୍ଗନବାଡ଼ି କେନ୍ଦ୍ରର ବାର୍ଷିକ ସର୍ଭେ ରେଜିଷ୍ଟା‌ର୍ ଯାଞ୍ଚ ହେବ। ସେଥିରେ ପଞ୍ଜୀକୃତ ୫୬ହଜାର ୩୪୯ ପ୍ରାକ୍‌ ବିଦ୍ୟାଳୟର ଶିଶୁଙ୍କ ଉପସ୍ଥିତି ଯାଞ୍ଚ ହେବ ବୋଲି ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ମୋଟ ୫୧୪୧ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଜିଲ୍ଲାରେ ବର୍ତ୍ତମାନ ୩୯ହଜାର ୨୦୩ଜଣ ଗର୍ଭବତୀ, ୪୧ହଜାର ୩୧୯ ପ୍ରସୂତି ଏବଂ ୧ଲକ୍ଷ ୮୪ହଜାର ୧୨୪ଜଣ ୬ମାସରୁ ୩ ବର୍ଷ ବୟସ ମଧ୍ୟରେ ଶିଶୁ ରହିଛନ୍ତି। ଜିଲ୍ଲାରେ ୧ଲକ୍ଷ ୬୩ ହଜାର ୬୨୪ଜଣ ୩ରୁ ୬ବର୍ଷ ଶିଶୁ (ପ୍ରାକ୍‌ ବିଦ୍ୟାଳୟ) ରହିଛନ୍ତି। ପରିପୂରକ ପୁଷ୍ଟିକର ଯୋଜନା(ଏସ୍‌ଏନ୍‌ପି)ରେ ଗର୍ଭବତୀ, ପ୍ରସୂତି ଓ ୬ମାସରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe