ବାଲେଶ୍ବର: ବାଲେଶ୍ବରରେ ଗଛମୂଳେ କିମ୍ବା ପାଲତଳେ ଚାଲୁଛି ଅଙ୍ଗନବା‌ଡ଼ି କେନ୍ଦ୍ର। ବାଲେଶ୍ବର ଜିଲ୍ଲା‌ର ୪୨୨୦ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୬୯୩ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ରାଜ୍ୟରେ ପ୍ରାୟ ୧୯ ହଜାର ଅଙ୍ଗନବାଡ଼ିର ନିଜସ୍ବ ଗୃହ ନ ଥିବାବେଳେ ବାଲେଶ୍ବର ଜିଲ୍ଲା‌ରେ ସର୍ବାଧିକ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ।  ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ପାଇଁ ଆହୁରି ୩୦୦ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ମଞ୍ଜୁର କରାଯାଇଛି। ହେଲେ, ଏହା କେଉଁଠି ନିର୍ମାଣ ହେବ ତାକୁ ନେଇ ଚିନ୍ତା ବଢ଼ିଲାଣି।

Advertisment

Anganwadi centre: ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛପଡ଼ି ୨ ଶିଶୁ ଆହତ

ନୀଳଗିରିଠାରୁ ଆରମ୍ଭ କରି ବାହାନଗା ଭଳି ବ୍ଲକ୍‌ରେ କେଉଁଠି ଗଛମୂଳେ ତ କେଉଁଠି ପାଲତଳେ ଅଙ୍ଗନବାଡ଼ି ଚାଲିଛି। ନୀଳଗିରି ବ୍ଲକ୍‌ର ଗରଡିହି ପଞ୍ଚାୟତର ବନ୍ଧସାହି ଗ୍ରାମରେ ଗଛମୂଳେ ଅଙ୍ଗନବାଡ଼ି ଚାଲୁଥିବା ଦେଖାଯାଇଛି। ବାହାନଗାର ସାହସପୁରା ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳରେ, ସୋର ବ୍ଲକର ଅଷ୍ଟବାଙ୍କ, ଅଙ୍କୁରଖାର୍ଜି, ରହଣିଆ, ବେଲସାବିଦାରେ କେଉଁଠି ପରଘରେ ତ କେଉଁଠି ବାରଣ୍ଡା‌ରେ ଅଙ୍ଗନବାଡ଼ି ଚାଲିଛି। ଜିଲ୍ଲାର ୧୨ ବ୍ଲକରେ ଏଭଳି ସ୍ଥିତି ରହିଛି। ବାଲେଶ୍ବର ସଦର ବ୍ଲକ୍‌ରେ ୫୧୮ଟି ଅଙ୍ଗନବାଡ଼ି ମଧ୍ୟରୁ ୨୭୩ଟିର ନିଜସ୍ବ ଗୃହ ନାହିଁ।

ବାଲେଶ୍ବରରେ ୧୬୯୩ଟି ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ
ପ୍ରସ୍ତାବିତ ୩୦୦ ନୂତନ ଅଙ୍ଗନବାଡ଼ି ଚିନ୍ତା ବଢ଼ାଇଲାଣି

ସେହିପରି, ବାହାନଗାରେ ୨୪୯ ଅଙ୍ଗନବାଡ଼ିରୁ ୧୦୪ଟିର ନିଜସ୍ବ ଘର ନଥିବା ବେଳେ ବାଲିଆପାଳ‌ରେ ୩୮୭ଟି ଅଙ୍ଗନବାଡ଼ିରୁ ୧୯୯ଟି, ବସ୍ତାରେ ୩୨୯ ଅଙ୍ଗନବାଡ଼ିରୁ ୧୧୮ଟି, ‌ଭୋଗରାଇରେ ୫୪୨ ଅଙ୍ଗନବାଡ଼ିରୁ ୨୧୬ଟି,  ଜଳେଶ୍ବରରେ ୩୮୦ ଅଙ୍ଗନବାଡ଼ିରୁ ୧୨୦ଟି,  ଖଇରା‌ରେ ୩୪୮ ଅଙ୍ଗନବାଡ଼ିରୁ ୧୦୮ଟି, ନୀଳଗିରିରେ ୩୮୯ ଅଙ୍ଗନବାଡ଼ିରୁ ୧୬୩ଟି, ଔପଦାରେ ୧୭୨ ଅଙ୍ଗନବାଡ଼ିରୁ ୪୮ଟି, ରେମୁଣା‌ରେ ୩୫୯ ଅଙ୍ଗନବାଡ଼ିରୁ ୧୫୦ଟି, ସିମୁଳିଆରେ ୨୧୮ ଅଙ୍ଗନବାଡ଼ିରୁ ୬୬ଟି, ସୋରରେ ୩୨୯ ଅଙ୍ଗନବାଡ଼ିରୁ ୧୨୮ଟି ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। କେଉଁଠି ୫ ବର୍ଷ ତ କେଉଁଠି ୧୦ ବର୍ଷ ତଳେ ଅଙ୍ଗନବାଡ଼ି ଗୃହ ମଞ୍ଜୁର ହୋଇଥିବା ବେଳେ ଜମି ବିବାଦ, ଜାଗା ଅଭାବ ପାଇଁ ଗୃହ ନିର୍ମାଣ ହୋଇପାରି ନ ଥିବା ଜଣାପଡ଼ିଛି। ସର୍ବଶେଷ ତଥ୍ୟ ମୁତାବକ ଜିଲ୍ଲାରେ ମଞ୍ଜୁର ହୋଇଥିବା ୧୧୩୪ଟି ଅଙ୍ଗନବାଡ଼ିର ଗୃହ ନିର୍ମାଣ ହୋଇପାରି ନ ଥିବା ବେଳ ୨୯୩ଟି କେନ୍ଦ୍ରର ଜାଗା ଚିହ୍ନଟ ହୋଇପାରି ନାହିଁ। ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତିଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ସମୀକ୍ଷା ଚାଲିଛି। କୌଣସି ସ୍ଥାନରେ ଗଛମୂଳେ, ପାଲତଳେ ଅସୁରକ୍ଷିତ ଭାବେ ଅଙ୍ଗନବାଡ଼ି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Anganwadi centre