ଭୁବନେଶ୍ବର : ଆସନ୍ତା ୨୮ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଖୋଲା ରହିବ। ଯଦି କୌଣସି ଠାରେ ଅସୁବିଧା ଥାଏ କିମ୍ବା କୋଭିଡ୍ ମାମଲା ସାମ୍ନାକୁ ଆସେ ତେବେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ସମସ୍ତ ଅଙ୍ଗନବାଡ଼ି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନ ନିଅନ୍ତି, ତାହା ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ରୁ ୬ ବର୍ଷ ବୟସର ପିଲାଙ୍କୁ ସକାଳୁଆ ଜଳଖିଆ ଓ ରନ୍ଧା ଖାଦ୍ୟ ପ୍ରଦାନ ସମୟରେ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି। କୋଭିଡ୍ ସଂକ୍ରମଣ କିମ୍ବା ଅନ୍ୟ କାରଣରୁ ଯଦି କୌଣସି ପିଲା ଅଙ୍ଗନବାଡ଼ି ଆସି ନପାରନ୍ତି ସେଭଳି ସ୍ଥଳେ ପିଲାଙ୍କ ଘରେ ରନ୍ଧା ଖାଦ୍ୟ ଓ ଅଣ୍ଡା ପହଞ୍ଚାଇବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ଆଇସିଡିଏସ୍ ଆଣ୍ଡ୍ ଏସ୍ଡବ୍ଲୁର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏସମ୍ପର୍କରେ ଅବଗତ କରିଛନ୍ତି।
Civil Society Magazineଶ୍ରୀ ଅଗ୍ରୱାଲ ଆହୁରି କହିଛନ୍ତି ଯେ ନୂଆ ଅରୁଣିମା ପାଠ୍ୟକ୍ରମ ଅନୁଯାୟୀ ପ୍ରି-ସ୍କୁଲ ଶିକ୍ଷା ପ୍ରଦାନ ସହ ଆଉଟ୍ ଡୋର କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରେ। ତେବେ ଅଭିଭାବକ ‘ଘରେ ଘରେ ଅରୁଣିମା’ ଓ ‘କୁନି କ୍ୟାଲେଣ୍ଡର’ ମାଧ୍ୟମରେ ପିଲାଙ୍କୁ ଘରେ ଶିକ୍ଷା ପ୍ରଦାନ କରିବେ। ଇମ୍ୟୁନାଇଜେସନ, ହେଲଥ୍ ଚେକ୍ ଅପ୍, ନ୍ୟୁଟ୍ରିସନ ଓ ସ୍ବାସ୍ଥ୍ୟ ଶିକ୍ଷା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ଏହି ସବୁ କାର୍ଯ୍ୟକ୍ରମ କରାଯିବ। ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। ୨୦୨୧ରେ ଖୋଲିଥିଲେ ମଧ୍ୟ ଏପ୍ରିଲ ୧୯ରୁ ପୁଣିଥରେ ବନ୍ଦ କରିବାକୁ ପଡ଼ିଥିଲା।
Follow Us