ଲୋୟର୍‌ ପିଏମ୍‌ଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ୧୩ ଦଫା ଦାବିରେ ଏକାଠି ହେ‌ଲେ ୩୦ ହଜାର

Advertisment
ଲୋୟର୍‌ ପିଏମ୍‌ଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ୧୩ ଦଫା ଦାବିରେ ଏକାଠି ହେ‌ଲେ ୩୦ ହଜାର

ଭୁବନେଶ୍ୱର : ସରକାରୀ କର୍ମଚାରୀ ମାନ୍ୟତା ସମେତ ୧୩ ଦଫା ଦାବିରେ ସୋମବାର ଲୋୟର୍‌ ପିଏମ୍‌ଜିରେ ୩୦ ହଜାର ଅଙ୍ଗନାବାଡ଼ି କର୍ମୀ ଏକାଠି ହୋଇଥିଲେ। ଭାରତୀୟ ମଜଦୁର୍‌ ସଂଘ ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ ତରଫରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ପାଇଁ ସେମାନେ ବିଭିନ୍ନ ନାରାବାଜି କରି ଗଗନପବନ ପ୍ରକମ୍ପିତ କରିଥିଲେ। ସରକାର ଦାବି ପୂରଣ ନକଲେ, ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଅଙ୍ଗନବାଡ଼ି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ସ୍କିମ୍ ପ୍ରଥା ଉଠାଇବା ସହ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ ବୋଲି ସେମାନେ ମୁଖ୍ୟ ଦାବି କରିଥିଲେ। ସରକାରୀ କର୍ମଚାରୀ ମାନ୍ୟତା ନଦେଲେ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିଭଳି ଅଙ୍ଗନବାଡ଼ି ସହାୟିକାମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି କରାଯାଇଛି। ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ କରାଯିବା, ସ୍ନାତ୍ତକୋତର ଶିକ୍ଷା ଲାଭ କରିଥିବା କର୍ମୀମାନଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯିବା, ଅବସର ନେଲେ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ ସହ ମାସିକ ୫ ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା କରିବା ଆଦି ସେମାନଙ୍କ ମୁଖ୍ୟ ଦାବି ଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ ଦୁଇ ବର୍ଷ ପୂର୍ବେ ହୋଇଥିବା ଆନ୍ଦୋଳନ ପାଇଁ ଆକ୍ରୋଶମୂଳକ ଭାବେ ୭ ଜଣ କର୍ମୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଛି। ବଡ଼ କଥା ହେଉଛି, ଏଥର ସରକାର ଯଦି ସେମାନଙ୍କ ଦାବିକୁ ଅଣଦେଖା କରନ୍ତି, ତେବେ ପଞ୍ଚା‌ୟତ ନିର୍ବାଚନରେ ଏହାର କଡ଼ା ଜବାବ ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ପଞ୍ଚାୟତ ଓ ବ୍ଲକ ସ୍ତରରେ ଆନ୍ଦୋଳନ କରି ସରକାରଙ୍କ ନିଦ ହଜେଇ ଦେ‌ବେ ବୋଲି କୁହାଯାଇଛି। ଏହି ଆନ୍ଦୋଳନରେ ଭାରତୀୟ ମଜଦୁର୍‌ ସଂଘର ରାଜ୍ୟ ସଭାପତି ପୃଥୀରାଜ ପଣ୍ଡା, ଉପସଭାପତି ଏ. ଶ୍ରୀନିବାସ ରାଓ, ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ ଓ ଅଖିଳ ଭାରତୀୟ ଅଙ୍ଗନବାଡ଼ି କର୍ମଚାରୀ ମହାସଂଘର ସାଧାରଣ ସଂପାଦିକା ଅଞ୍ଜଳି ପଟେଲ, ସଭାନେତ୍ରୀ ସୁମିତା ମହାପାତ୍ର, ବନିତାଞ୍ଜଳୀ ଦାସ, ସୁଷମା ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe