୧୬ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ

Advertisment
୧୬ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ବର : ୧୬ ଦଫା ଦାବି ନେଇ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି ଅଙ୍ଗନବାଡ଼ି କର୍ମୀ। ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଦାବି ହାସଲ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରାଜ୍ୟ ସରକାରଙ୍କ ସହିତ ସଂଘର ଆଲୋଚନା ହୋଇଥିବା ଜଣାପଡ଼ିଛି।

ସଂଘର ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ଦରମା, ସହାୟିକାଙ୍କୁ ୯ହଜାର, ଗତବର୍ଷ ଆନ୍ଦୋଳନ ସମୟରେ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ବଜାର ଦର ଅନୁସାରେ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି, ସହରାଞ୍ଚଳରେ ଟିଏ/ଡିଏ ଲାଗୁ କରାଯିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା ପାଇଁ ପ୍ରତି ମାସରେ ଘରଭଡ଼ା ପ୍ରଦାନ କରାଯାଉ। ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୫ଶହ ଟଙ୍କା ତୁରନ୍ତ ପ୍ରଦାନ, ଖରାଦିନେ ୧ମାସ ଗ୍ରୀଷ୍ମ ଛୁଟି ପ୍ରଦାନ, ପ୍ରୋଜେକ୍ଟର ମିଟିଂକୁ ପ୍ରତିମାସ ନିୟମିତ କରାଯିବା ସହିତ ମମତା ଯୋଜନାର ସଫଳତା ପାଇଁ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ଭଳି ଦାବି ରହିଛି। ପରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଏହି ବିକ୍ଷୋଭରେ ଅଖିଳ ଭାରତୀୟ ଅଙ୍ଗନବାଡ଼ି କର୍ମଚାରୀ ମହାସଂଘର ସାଧାରଣ ସଂପାଦିକା ଅଞ୍ଜଳି ପଟେଲ, ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍‌ର ରାଜ୍ୟ ସଭାନେତ୍ରୀ ସୌଦାମିନୀ ଦାସ, ସାଧାରଣ ସଂପାଦିକା ସୁମିତା ମହାପାତ୍ର, ଗୀତାରାଣି ମହାନ୍ତି, ସବିତା ନାୟକ, ଅମିତା ସାହୁ, ସୁଷମାରାଣୀ ମହାପାତ୍ର, ବନିତାଞ୍ଜଳି ଦାସ, ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଂପାଦକ ଗୋକୁଳାନନ୍ଦ ଜେନା, ରାଜ୍ୟ ଉପସଭାପତି ଏ. ଶ୍ରୀନିବାସ ରାଓ, ରାଜ୍ୟ ସାଧାରଣ ସଂପାଦକ ବିନୟ କୁମାର ତ୍ରିପାଠୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe