ଶୈଶବ ଶିକ୍ଷାରେ ଡୋରି

Advertisment

୭୧ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା!

୭୧ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା!

ଶୈଶବ ଶିକ୍ଷାରେ ଡୋରି

ଭୁବନେଶ୍ୱର : ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ। ୨୫ ଦିନ ହେଲା ରାଜଧାନୀ ରାଜରାସ୍ତାରେ କର୍ମୀମାନେ ଦିନରାତି କାଟୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁ ଜାଣି ଚୁପ୍‌ ହୋଇ ବସିପଡ଼ିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୧୫ ଲକ୍ଷ ଶିଶୁଙ୍କ ଶୈଶବ ଶିକ୍ଷା ଠପ୍‌ ହୋଇଯାଇଛି। ରାଜ୍ୟର ୭୧,୭୭୨ଟି ଅଙ୍ଗନବାଡ଼ି କେନ୍ଦ୍ର ଏବେ ସମ୍ପୂର୍ଣ୍ଣ ଅଚଳ। ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ କେନ୍ଦ୍ରରେ ତାଲା ପଡ଼ିଛି। ୨୫ ଦିନ ହେଲା ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ବି ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଲାଣି। କୋମଳମତି ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯିବା ନେଇ ରାଜ୍ୟ ସରକାର ଯେଉଁ ସୁନେଲି ଚିତ୍ର ଦେଖାଉଥିଲେ ତାହା ଏବେ କିଭଳି ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ଯେ ଶିଶୁଙ୍କ ଶୈଶବ ଶିକ୍ଷା ପ୍ରଭାବିତ ହୋଇଛି ତାହା ନୁହେଁ। ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଲକ୍ଷାଧିକ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ଏଥିସହ ଏହି ଯୋଜନାରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମମତା ଯୋଜନା, ଛତୁଆ ତଥା ପୁଷ୍ଟିକର ଖାଦ୍ୟ ବଣ୍ଟନ ବି ପ୍ରଭାବିତ ହୋଇଛି। ୭୧,୭୭୧ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଲକ୍ଷ ୪୩ ହଜାର କର୍ମୀ ଏବଂ ସହାୟିକା ରହିଛନ୍ତି। ସେମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଅଙ୍ଗନବାଡ଼ିଗୁଡ଼ିକର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି।

ରାଜଧାନୀରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଜାରି ରହିଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ କିନ୍ତୁ ଏପର୍ଯ୍ୟନ୍ତ ଚୁପ୍‌ ବସିଛି। ବିଭାଗ ପକ୍ଷରୁ ଦୁଇ ଦିନ ତଳେ କୁହାଯାଇଥିଲା ଯେ ରାଜ୍ୟର ସମସ୍ତ କେନ୍ଦ୍ର ପ୍ରଭାବିତ ହୋଇନି। ମାତ୍ର ୫୮ ହଜାର କେନ୍ଦ୍ର ପ୍ରଭାବିତ ହୋଇଛି। ଆଉ ସବୁଠି ଠିକ୍‌ଠାକ୍‌ ଚାଲିଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। ମାତ୍ର ଇତିମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଦାବି ପୂରଣ ଦିଗରେ କାଣିଚାଏ ବି ପଦକ୍ଷେପ ନିଆଯାଇ ନାହିଁ। ବରଂ ବିଭାଗ ପକ୍ଷରୁ ଆଜି ତଥ୍ୟ ଦିଆଯାଇଛି ଯେ ଆଉ ୫ ହଜାର ଅଙ୍ଗନବାଡ଼ି କେନ୍ଦ୍ର ସ୍ୱାଭାବିକ ହୋଇଛି। ୫୩ ହଜାର କେନ୍ଦ୍ର ପ୍ରଭବିତ ହୋଇଛି। ବାକି ୧୯ ହଜାର କେନ୍ଦ୍ର ସ୍ୱାଭାବିକ ଭାବେ ଚାଲିଛି।

ଅଙ୍ଗନବାଡ଼ି କର୍ମୀମାନେ କିନ୍ତୁ ନିଜ ଜିଦିରେ ନଛୋଡ଼ବନ୍ଧା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଓଡ଼ିଶା ଅଙ୍ଗନବାଡ଼ି ଓ୍ଵାର୍କର୍ସ ଆଣ୍ଡ ହେଲପର୍ସ ଆସୋସିଏସନ୍‌(ସିଆଇଟିୟୁ) ସଭାପତି ରାଧାରମଣ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe