ତ୍ରୁଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ବିରୋଧରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ତ୍ରୁଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ବିରୋଧରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର : ଅଙ୍ଗନବାଡ଼ି ସଂଯୁକ୍ତ ମୋର୍ଟ୍ଟା ପକ୍ଷରୁ ୧୨ ଦଫା ଦାବି ନେଇ ସ୍ଥାନୀୟ ଲୋୟର ପିଏମଜି ଛକରେ ଛାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

ଶିକ୍ଷାନୀତି ସଂଶୋଧନ, ଅଙ୍ଗନବାଡ଼ିରେ ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍ ସଂଯୋଗ, ଏସଏନସିର ସଂଶୋଧନ, ପେନସନ୍ ଗ୍ରାଚ୍ୟୁଟି, ସୁପରଭାଇଜର ଓ ସହାୟକ ପଦୋନ୍ନତି, କେନ୍ଦ୍ର ସରକାରଙ୍କ ସୁପାରିସ ଆଧାରରେ କାର୍ଯ୍ୟକାରୀ କରିବା ସମ୍ବଳିତ ୧୨ ଦଫା ଦାବି ନେଇ ସଂଘର ପ୍ରତିନିଧି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ, ସଂଘର ଦାବିଗୁଡ଼ିକ ପ୍ରତି ସରକାର ସକ୍ରିୟ ଭାବେ ବିଚାର କରୁଛନ୍ତି। ଅଙ୍ଗନବାଡ଼ି ସଂଯୁକ୍ତ ମୋର୍ଚ୍ଚା ସଂଘ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ କହିଥିଲେ, ମନ୍ତ୍ରୀଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ନ ହେଲେ ପୁଣି ଥରେ ରାଜରାସ୍ତାରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ।

ଅନ୍ୟପଟେ ଶୁକ୍ରବାର ସକାଳେ ପ୍ରାକ୍ ବିଦ୍ୟାଳୟ ଶିଶୁ, ଗର୍ଭବତୀ ଓ ଆଇସିଡିଏସ୍‌ ସ୍ବାର୍ଥ ବିରୋଧୀ ଜାତୀୟ ଶିକ୍ଷା ନୀତି ପ୍ରତିବାଦରେ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ ଓ ସଂଯୁକ୍ତ ମୋର୍ଚା ଆହ୍ବାନରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନବାଡ଼ି କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରାରେ ବାହାରିଥିଲେ। ଆସନ୍ତାବର୍ଷ ଜାନୁଆରି ୮ତାରିଖରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ବିକ୍ଷୋଭରେ ଆହ୍ବାନ କରାଯାଇଥିଲା।

ବିକ୍ଷୋଭ ସ୍ଥଳରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ସଭାପତି ଅଶୋକ ଦାସଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଅଙ୍ଗନବାଡ଼ି କର୍ମୀଙ୍କ ଦାବିଗୁଡିକ ମଧ୍ୟରେ ଆଇସିଡିଏସ୍‌କୁ ସ୍ଥାୟୀ ଭାବେ ପରିଚାଳନା କରାଯିବା, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା, ଅଙ୍ଗନବାଡ଼ି କର୍ମୀ ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରାଥମିକ ଶିକ୍ଷକ, ସହାୟିକାମାନଙ୍କୁ ସହକରୀ ଶିକ୍ଷକର ମାନ୍ୟତା ପ୍ରଦାନ ସହିତ ପ୍ରାଥମିକ ଶିକ୍ଷକ ପାଉଥିବା ଦରମା ହାରରେ ଦରମା ଦେବା, ଅଙ୍ଗନବାଡ଼ି କେନ୍ଦ୍ରକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା, ଅଙ୍ଗନବାଡ଼ିର ଅଧ୍ୟୟନ ଶେଷ କରିଥିବା ସାର୍ଟିଫିକେଟ୍ ଭିତ୍ତିରେ ସ୍କୁଲରେ ନାମ ଲେଖାଇବା ଆଦି ଅନ୍ତର୍ଭୁକ୍ତ।

ବିକ୍ଷୋଭରେ ସଂଯୁକ୍ତ ମୋର୍ଚାର ଆବାହକ ବିଜୟ ଜେନା, ଏଆଇଟିୟୁସିର ସୌରୀବନ୍ଧୁ କର, ସିଆଇଟିୟୁ ନେତା ରାଧାରମଣ ଷଡ଼ଙ୍ଗୀ, ଏନ୍‌ଏଫ୍‌ଆଇଟିୟୁ ସାଧାରଣ ସଂପାଦକ ଯୁଧିଷ୍ଠିର ମହାରଣା, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ସାଧାରଣ ସଂପାଦିକା ହରପ୍ରିୟା ସ୍ବାଇଁ, ମୀରାବତୀ ଦଳବେହେରା, ପ୍ରଭାସିନୀ ପାଢ଼ୀ, ମମତାଜ ଖୁଣ୍ଟିଆ, ବିଷ୍ଣୁପ୍ରିୟା ଜେନା, ପ୍ରତିଭା ପାଲ, ସୁର ଜେନା, ଜୟନ୍ତ ଦାସ, ସୌଦାମିନୀ ଦାସ, ପ୍ରତିଭା ପରିଡ଼ା, ନିର୍ଝରବାଳା ସାହୁ, ମଳୟମଞ୍ଜରୀ ଜେନା, ବାସନ୍ତୀ ସ୍ବାଇଁ, କଲ୍ୟାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe