ଅନୁଗୁଳକୁ ମିଳିବ ମନ୍ତ୍ରୀପଦ! ଚର୍ଚ୍ଚାରେ ପ୍ରତାପ, ଅଶୋକ

ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୧୧ ବର୍ଷ ହେଲା ମନ୍ତ୍ରୀ ମୁହଁ ଦେଖି ନ ଥିବା ଅନୁଗୁଳ ଏଥର ମନ୍ତ୍ରୀ ପଦ ପାଇବ ବୋଲି ବିଜେପି କରିଡର୍‌ରେ ଆଲୋଚନା ହେଉଛି।

Odisha was cursed during the previous government: Manmohan Samal

Odisha was cursed during the previous government: Manmohan Samal

ଅନୁଗୁଳ: ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୧୧ ବର୍ଷ ହେଲା ମନ୍ତ୍ରୀ ମୁହଁ ଦେଖି ନ ଥିବା ଅନୁଗୁଳ ଏଥର ମନ୍ତ୍ରୀ ପଦ ପାଇବ ବୋଲି ବିଜେପି କରିଡର୍‌ରେ ଆଲୋଚନା ହେଉଛି। ବିଜେପି ନେତାଙ୍କ ଘନଘନ ବୈଠକ ଏହି ଆଲୋଚନାକୁ ଅଧିକ ବଳ ଯୋଗାଉଛି। ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନି। ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ଭିତରୁ ୩ଟି ବିଜେପି ହାତରେ ରହିଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୁଳ, ପାଳଲହଡ଼ା ସମେତ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିବା ଛେଣ୍ଡିପଦା ବିଧାନସଭା ଆସନ ବିଜେପି ଜିତିଛି। ଏହି ୩ ଜଣଙ୍କ ଭିତରୁ ଜଣେ ଏଥର ମୋହନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି କୁହାଯାଉଛି। ଦଳ ଭିତରୁ ମିଳିଥିବା ସୂଚନା ଅନୁସାରେ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରିପୋର୍ଟ କାର୍ଡ ଉପରେ ଦଳ ସନ୍ତୁଷ୍ଟ ନାହିଁ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।

ଏହା ସତ ‌ହେଲେ, ଅନୁଗୁଳର ପ୍ରତାପ ପ୍ରଧାନ କିମ୍ବା ପାଳଲହଡ଼ାର ଅଶୋକ ମହାନ୍ତିଙ୍କ ଭିତରୁ ଜଣେ ମନ୍ତ୍ରୀ ହେବା ସମ୍ଭାବନା ଅଧିକ। କଂଗ୍ରେସରୁ ଆସି ବିଜେପିରେ ମିଶିବା ପରେ ପ୍ରଥମ ଥର ପାଇଁ ଦଳକୁ ଏଠାରେ ଜିତାଇଛନ୍ତି ପ୍ରତାପ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାନ୍ତ ଅନୁଗତ ପ୍ରତାପଙ୍କର ରାଜ୍ୟ ରାଜନୀତିରେ ମଧ୍ୟ ପ୍ରଭାବ ରହିଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନର ଆପେକ୍ସ କାଉନ୍‌ସିଲ ସଦସ୍ୟ ଥିବା ଏହି ଯୁବନେତା ଏଥର ତାଙ୍କ ପରିଶ୍ରମର ଫଳ ପାଇବେ ବୋଲି ତାଙ୍କ ସମର୍ଥକ ମହଲରେ ଆଲୋଚନା ହେଉଛି। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିବା ଅଶୋକ ମହାନ୍ତିଙ୍କ ନାମକୁ ବି ନେଇ ଚର୍ଚ୍ଚା ଚାଲିଛି। ବିଜେପିର ଜଣେ ପୁରୁଣା ସଂଗଠକ ଭାବେ ଦଳରେ ତାଙ୍କର ପତିଆରା ରହିଥିଲା ବେଳେ ଧର୍ମେନ୍ଦ୍ରଙ୍କ ପରିବାର ସହ ତାଙ୍କର ପୁରୁଣା ସଂପର୍କ ରହିଛି। ଏଣୁ ଅନୁଗୁଳ ଜିଲ୍ଲାରୁ ଏହି ଦୁଇ ନେତାଙ୍କ ଭିତରୁ ଜଣେ କେହି ମନ୍ତ୍ରୀ ହେବାର ସମ୍ଭାବନା ଅଧିକ। ଅପରପକ୍ଷରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଜଣେ ମନ୍ତ୍ରୀ ଥିବା ବେଳେ ଏବେ ପୁଣି ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ବ କରୁଥିବାରୁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ମୋହନ ନିଜ ମନ୍ତ୍ରିମଣ୍ଡଳରେ ନେଇ ପାରନ୍ତି ବୋଲି ତାଙ୍କ ସମର୍ଥକଙ୍କ ଯୁକ୍ତି। 

ଅନୁଗୁଳ ଜିଲ୍ଲାରୁ ୧୧ ବର୍ଷ ହେଲା କେହି ମନ୍ତ୍ରୀ ହୋଇନାହାନ୍ତି। ବିଜେଡି ସରକାରକୁ ଅନୁଗୁଳବାସୀ ବିପୁଳ ସମର୍ଥନ ଦେଇଥିଲେ ମଧ୍ୟ ଗତ ଦୁଇ ପାଳିରେ ନବୀନ ଜଣଙ୍କୁ ହେଲେ ବି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ନଥିଲେ। ଶେଷଥର ପାଇଁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମନ୍ତ୍ରୀ ହୋଇଥିଲେ। ଏ ସଂପର୍କରେ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ କହିଛନ୍ତି, ଏଥର ଜଣେ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଆମେ ଆଶା ରଖିଛୁ। ଏ ନେଇ ଦଳର ବରିଷ୍ଠ ନେତାଙ୍କୁ ଜଣାଇଛୁ। ମୁଖ୍ୟମନ୍ତ୍ରୀ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe