ପଶୁମୁଖା ନୃତ୍ୟ କଳାକାର ଏବେ ଚାଷୀ, ମୂଲିଆ

Advertisment

କରୋନା ପାଇଁ ଜୀବିକା ହରାଇଲେ ଶତାଧିକ କଳାକାର

କରୋନା ପାଇଁ ଜୀବିକା ହରାଇଲେ ଶତାଧିକ କଳାକାର

ପଶୁମୁଖା ନୃତ୍ୟ କଳାକାର ଏବେ ଚାଷୀ, ମୂଲିଆ

ଭଞ୍ଜନଗର: ଦୀର୍ଘ ୬ ମାସ ହେଲା କରୋନା ମହାମାରୀର ପ୍ରାଦୁର୍ଭାବ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଜୀବିକାକୁ ଛଡ଼ାଇ ନେଇଥିବାବେଳେ ଏଥିରେ କଳାକାରମାନେ ବିଶେଷ ମାତ୍ରାରେ ପ୍ରଭାବିତ ହରାଇଛନ୍ତି। ଆଉ ଏଥିରୁ ବାଦ୍ ପଡ଼ିନାହାନ୍ତି ଭଞ୍ଜନଗର ବ୍ଲକ୍ ବଡ଼କୋଦଣ୍ଡା ଗ୍ରାମର ପଶୁମୁଖା ନୃତ୍ୟ କଳାକାର। ଗଞ୍ଜାମ ଜିଲ୍ଲାରେ ପଶୁମୁଖା ନୃତ୍ୟର ଏନ୍ତୁଡ଼ିଶାଳ ବୋଲାଉଥିବା ଏହି ଗ୍ରାମର ୪ଟି ଅନୁଷ୍ଠାନରେ ଏବେ ତାଲା ଝୁଲୁଛି। ଆଉ ୮ ମାସ ହେଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରା କଳାକାରମାନେ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି। ସେପ‌ଟେ ନୃତ୍ୟ ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। କେଉଁଠି ସାମଗ୍ରୀ ଭାଡ଼ିରେ ପଡ଼ିଛି ତ ଆଉ କେଉଁଠି କାନ୍ଥରେ ବାନ୍ଧି ରଖାଯାଇଛି।

ବଡ଼କୋଦଣ୍ଡା ପଶୁମୁଖା ନୃତ୍ୟର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଚାଙ୍ଗୁ, ଢୋଲ ଓ ଝାଞ୍ଜ ଶଦ୍ଦର ତାଳେ ତାଳେ ବାଘ, ଘୋଡ଼ା, କଳାଘୋଡ଼ା, ବୃଷଭ ଓ ରାଜାରାଣୀ ଆଦି ପଶୁମୁଖା ନୃତ୍ୟ ରାଜରାସ୍ତାରେ ଗଲେ ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ଗୋଟିଏ ଅନୁଷ୍ଠାନରେ ପ୍ରାୟ ୨୫ରୁ ୩୦ ଜଣଙ୍କ ଆବଶ୍ୟକତା ପଡିଥାଏ। ଏହି କଳାକାର ମାନେ ନିଜ ଅଞ୍ଚଳ ବ୍ୟତୀତ ଅନ୍ୟ କୌଣସି ଯାନିଯାତ୍ରାକୁ ସମସ୍ତ ସାମଗ୍ରୀ ଧରି ପହଞ୍ଚି କଳା ପ୍ରଦର୍ଶନ କରିଛନ୍ତି। କେବଳ ପରମ୍ପରା ଭିତରେ ଲୋକନୃତ୍ୟକୁ ସୀମିତ ନ ରଖି ହଇଜା, ମ୍ୟାଲେରିଆ, ଶିକ୍ଷା, ସ୍ବାସ୍ଥ୍ୟ ସମେତ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଏହା ମାଧ୍ୟମରେ ଲୋକଙ୍କୁ ସଚେତନ କରିଆସୁଥିଲେ। କିନ୍ତୁ କରେନା କଟକଣା ସେମାନଙ୍କ ଦୁନିଆକୁ ବଦଳାଇଦେଇଛି। ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଯୋଗୁଁ ଅର୍ଦ୍ଧାଧିକ କଳାକାର ଏବେ ପେଟପାଟଣା ପାଇଁ ବିକଳ୍ପ ପନ୍ଥା ଖୋଜିବା ଆରମ୍ଭ କରିଛନ୍ତି। କିଏ ଚାଷୀ ତ ଆଉ କିଏ ମୂଲିଆ ସାଜିଛି। କିଛି କାମଧନ୍ଦା ନପାଇ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ଫଳରେ ଏହି ପାରମ୍ପରିକ କଳାର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି। ଲକ୍ଷାଧିକ ଟଙ୍କା ବିନିଯୋଗ କରି ଅନୁଷ୍ଠାନ ଗଢ଼ିଥିବା ଗୁରୁ ମାନେ ଚାହିଁଲେ ମଧ୍ୟ ଏହି ଅନୁଷ୍ଠାନକୁ ଛାଡ଼ି ପାରୁନାହାନ୍ତି।‌

ସେହିପରି ଗୋଟିଏ ଦଳରେ ଅଧିକାଂଶ ଯୁବକ ଥିବା ବେଳ‌େ ଅନୁଷ୍ଠାନର ଗୁରୁ ବା ଦଳ ମୁଖିଆ ରହନ୍ତି। ଦଳଗତ ଭାବେ ସମସ୍ତେ ଏହି ନୃତ୍ୟକୁ ପରିବେଷଣ କରିଆସୁଛନ୍ତି। ହେଲେ କ୍ଷୋଭର ବିଷୟ ହେଉଛି, ଏମାନଙ୍କ ମଧ୍ୟରୁ ୫୦ ବର୍ଷରୁ ଅଧିକ ବୟସ କଳାକାରଙ୍କୁ ସରକାରୀ ଭତ୍ତା ମିଳୁଥିବା ବେଳେ ଅଧିକାଂଶ ଏଥିରୁ ବଞ୍ଚିତ ହୋଇଛନ୍ତି। ଅନୁଷ୍ଠାନ ଗୁଡ଼ିକର ଆୟ ପନ୍ଥା ନଥିବାରୁ କଳାକାର ମାନେ ଏବେ ଅନୁଷ୍ଠାନର ମୁଖିଆଙ୍କ ଉପରେ ନିର୍ଭର କରୁଛନ୍ତି। ଏଭଳି ସ୍ଥଳେ ପଶୁମୁଖା ନୃତ୍ୟ କଳାକୁ ଉଜ୍ଜୀବିତ କରିବା ପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ନଚେତ୍ ଏହି କଳା ଦିନେ ଇତିହାସ ପାଲଟିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe