Law Corner
ବାରଙ୍ଗ : ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଶନିବାର ଦିନ ସିବିଆଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗାଁ ଓ ପଞ୍ଚାୟତରେ ଫଟୋ ପ୍ୟାରେଡ୍ କରିଛି। ପରିବାର ଲୋକଙ୍କୁ ଭେଟିବା ସହ ସିବିଆଇ ଅଧିକାରୀମାନେ ଆଜି ଉକ୍ତ ପଞ୍ଚାୟତର ଭିନ୍ନ ଭିନ୍ନ ସମୟର ୫ ଜଣ ଜନପ୍ରତିନିଧିଙ୍କୁ ଭେଟି ବିବନର ଫଟୋ ପ୍ୟାରେଡ୍ କରାଇଛନ୍ତି। ସେମାନେ ଫଟୋରୁ ବିବନକୁ ଚିହ୍ନଟ କରିବା ପରେ ଉକ୍ତ ଫଟୋରେ ସେମାନଙ୍କ ଦସ୍ତଖତ ନେଇଛନ୍ତି। କୋର୍ଟରେ ବିବନକୁ ଚିହ୍ନଟ କରାଇବା ଲାଗି ସିବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି। ଦୀର୍ଘ ୨୨ ବର୍ଷ ପରେ କମିସନରେଟ୍ ପୁଲିସ ହାତରେ ଗିରଫ ହୋଇଥିବାରୁ କୋର୍ଟରେ ସେ ନିଜକୁ ବିବନ ନୁହେଁ ବୋଲି ପ୍ରମାଣ କରିବା ଆଶଙ୍କା ଥିବାରୁ ସିବିଆଇ ପକ୍ଷରୁ ଏହି ସବୁ ଦୃଢ଼ ପଦକ୍ଷେପ ନିଆଯାଉଛି।
ଶନିବାର ଦିନ ସିବିଆଇର ଏକ ଟିମ୍ ବାରଙ୍ଗ ଥାନା ପୁଲିସ ସହ ବିବନ ଗାଁ ନରଣପୁରରେ ପହଞ୍ଚିଥିଲେ। ସେମାନେ ବିବନ ଘରେ ପହଞ୍ଚି ତା’ ସ୍ତ୍ରୀ ଓ ସାନ ପୁଅ ସହ ଆଲୋଚନା କରିଥିଲେ। ବିବନଙ୍କ ସ୍ତ୍ରୀ ଶ୍ଵାସଜନିତ ଅସୁସ୍ଥତାରେ ପୀଡ଼ିତ ଥିବାରୁ ତାଙ୍କୁ ଖୁବ୍ କମ୍ କଥା ପଚରା ଯାଇଥିଲା। ତେବେ ସାନ ପୁଅକୁ ସେମାନେ ଅଧିକ କିଛି ପଚାରି ବୁଝିଥିଲେ। ପରେ ସିବିଆଇ କାର୍ଯ୍ୟାଳୟକୁ ଆସି ସାକ୍ଷାତ କରିବାକୁ ସେମାନେ ସାନପୁଅକୁ କହିଥିଲେ। ଏହା ପରେ ସିବିଆଇ ଅଧିକାରୀମାନେ ଫଟୋ ପ୍ୟାରେଡ୍ ଆରମ୍ଭ କରିଥିଲେ। ତତ୍କାଳୀନ ବେଲଗଛିଆ ସରପଞ୍ଚ ବିଭୁତି ଭୂଷଣ ବେହେରାଙ୍କୁ ଭେଟିଥିଲେ। ତାଙ୍କୁ ରାଜନୀତି ବାବଦରେ ବିଭିନ୍ନ କଥା ପଚାରିବା ସହ ବିବନକୁ କେତେ ଜାଣନ୍ତି ବୋଲି ପଚାରିଥିଲେ। ଏହା ପରେ ତାଙ୍କୁ ୫ଟି ଫଟୋ ଦେଖାଇଥିଲେ। ବିଭୁତି ସେଥିରୁ ଗୋଟିଏ ଫଟୋକୁ ବିବନର ବୋଲି ଚିହ୍ନଟ କରିଥିଲେ। ସେହି ଫଟୋ ପଛରେ ବିଭୁତି ଦସ୍ତଖତ କରିଥିଲେ।
ଏହା ପରେ ସିବିଆଇ ଟିମ୍ ତତ୍କାଳୀନ ବେଲଗଛିଆ କୋ-ଅପରେଟିଭ୍ ସୋସାଇଟିର ସମ୍ପାଦକ ତଥା ବର୍ତ୍ତମାନର ଶ୍ରୀବନ୍ତପୁର ପଞ୍ଚାୟତ(ବେଲଗଛିଆରୁ ଅଲଗା ହୋଇଥିବା ନୂଆ ପଞ୍ଚାୟତ) ସରପଞ୍ଚଙ୍କ ସ୍ଵାମୀ ଅଭିମନ୍ୟୁ ବେହେରାଙ୍କୁ ତାଙ୍କ କଣ୍ଟାପାଟଣାସ୍ଥିତ ବାସଭବନକୁ ଯାଇଥିଲେ। କିନ୍ତୁ ସେ ଘରେ ନଥିବାରୁ ତାଙ୍କୁ ବାରଙ୍ଗ ଥାନାକୁ ଆସିବାକୁ କହି ଫେରିଥିଲେ। ପରେ ପରେ ଅଭିମନ୍ୟୁ ବାରଙ୍ଗ ଥାନାରେ ସିବିଆଇ ଟିମ୍କୁ ଭେଟିଥିଲେ। ସିବିଆଇ ଟିମ୍ ତାଙ୍କୁ ରାଜନୀତି ବାବଦରେ ପଚାରିବା ସହ ୫ଟି ଫଟୋ ଦେଖାଇଥିଲା। ଅଭିମନ୍ୟୁ ଗୋଟିଏ ଫଟୋକୁ ବିବନର ବୋଲି ଚିହ୍ନଟ କରିବା ପରେ ସିବିଆଇ ଅଧିକାରୀ ସେଥିରେ ତାଙ୍କ ଦସ୍ତଖତ ନେଇଥିଲେ। ଏହି ଧାରାରେ ସିବିଆଇ ଟିମ୍ ସ୍ଥାନୀୟ ଜନପ୍ରତିନିଧି ଲୁଲୁ ବେହେରା, ଦେବେନ୍ଦ୍ର ବେହେରା ଓ ଦୁଃଶାସନ ରାଉତଙ୍କୁ ଭେଟି ଫଟୋ ଚିହ୍ନଟ ପ୍ରକ୍ରିୟା ଶେଷ କରିଥିଲେ।
Follow Us