ୱେବ୍‌ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ: ବବିଙ୍କ ଲେଟରପ୍ୟାଡ୍‌ ଜାଲ୍‌ କରି ଠକିଥିଲେ ୨ଲକ୍ଷ

Advertisment
ୱେବ୍‌ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ: ବବିଙ୍କ ଲେଟରପ୍ୟାଡ୍‌ ଜାଲ୍‌ କରି ଠକିଥିଲେ ୨ଲକ୍ଷ

ଦଶରଥପୁର : ୱେବ୍‌ଚ୍ୟାନେଲ ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କ ଠକେଇର ତାଲିକା ଲମ୍ବିବାରେ ଲାଗିଛି। କେବେ ସିବିଆଇ ଅଫିସର ତ କାହାକୁ ସାମ୍ବାଦିକ କହି ସେ ଟଙ୍କା ଠକି ନେଇଛନ୍ତି। ଏବେ ଯାଜପୁର ବିଧାୟକ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ (ବବି)ଙ୍କ ଫଟୋ ଏବଂ ଲେଟରପ୍ୟାଡ୍‌ ଜାଲ୍‌ କରି ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ପଦାକୁ ଆସିଛି।

ଯାଜପୁର ଜିଲ୍ଲା ଅନ୍ତର୍ଗତ ମଂଗଳପୁର ଥାନା ଥାଲକୁଡି ଗ୍ରାମର ସରୋଜ ଜେନା(ବାବୁଲି) ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମଂଗଳପୁର ଗ୍ରାମର ସୁରେଶ ରାଉତଙ୍କ ପୁଅ ସୁଧାଂଶୁ ଶେଖର ରାଉତ(ବାବି) ନିଜକୁ ଜୟଶ୍ରୀ ସିଗ୍ନାଏଜ ଏଣ୍ଟରପ୍ରାଇଜର ସଂସ୍ଥାର ମୁଖ୍ୟ ବୋଲି କହିଥିଲେ। କହିଥିଲେ, ଯାଜପୁର ଟାଉନସ୍ଥ କୁସୁମା ପୋଖରୀର ମୁଖ୍ୟଗେଟ୍‌ ନିର୍ମାଣ ଦାୟିତ୍ୱ ତାଙ୍କ ସଂସ୍ଥାକୁ ମିଳିଛି। ଯାଜପୁର ବିଧାୟକ ଏହି କାମ ତାଙ୍କୁ ଦେଇଛନ୍ତି ବୋଲି କହି ବବିଙ୍କ ଲେଟରପ୍ୟାଡ ଏବଂ କାର୍ଯ୍ୟାଦେଶ ଦେଖାଇଥିଲେ। କୁସୁମା ଗେଟ ନିର୍ମାଣ କାର୍ଯ୍ୟ ପାଇଁ ୨୩ ଲକ୍ଷ ୨୬ ହଜାର ୬୭୧ ଟଙ୍କା ବ୍ୟୟ କରାଯିବ। କାର୍ଯ୍ୟ ପାଇଁ ବରାଦ କରାଯାଇଥିବା ସମ୍ପୂର୍ଣ୍ଣ ଟଙ୍କା ୧୫ ନଭେମ୍ବର ୨୦୧୯ରେ ମିଳିବ ବୋଲି ଅଗ୍ରୀମ ଚେକ୍‌ ବି ଦେଖାଇଥିଲେ। ସେଥିରେ ଅଧିକାରୀଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ ରହିଥିଲା। ଏହି ସମସ୍ତ କାଗଜପତ୍ର ଦେଖାଇ ସରୋଜ ଜେନା(ବାବୁଲି)ଙ୍କୁ ୨ ଲକ୍ଷ ଟଙ୍କା ଧାର ମାଗିଥିଲେ। ଏଥିରେ ବିଶ୍ବାସ କରି ସେ ଏହି ଅର୍ଥ ଦେଇଥିବା ସରୋଜ କହିଛନ୍ତି। ସୁଧାଂଶୁ ଦେଇଥିବା କାଗଜପତ୍ର ଉପରେ ପରେ ସନ୍ଦେହ ସୃଷ୍ଟି ହେବାରୁ ସେ ଯାଜପୁର ପୌର କାର୍ଯ୍ୟାଳୟକୁ ଯାଇ ଯାଞ୍ଚ କରିଥିଲେ। ହେଲେ ଏହି ସମସ୍ତ କାଗଜପତ୍ର ନକଲି ବୋଲି ଜଣାପଡିଥିଲା।

ଏଭଳି ଚିଠି କିମ୍ବା ଏହି କାର୍ଯ୍ୟ କୌଣସି ଜୟଶ୍ରୀ ସିଗ୍ନାଏଜ ଏଣ୍ଟରପ୍ରାଇଜକୁ ପ୍ରଦାନ କରାଯାଇନାହିଁ ବୋଲି ସରୋଜ ଜାଣିବାକୁ ପାଇଥିଲେ। ଏହାପରେ ସୁଧାଂଶୁଙ୍କୁ ବାକିଟଙ୍କା ମାଗିବାରୁ ସେ ସାମ୍ବାଦିକ କହି ଧମକଚମକ ଦେଇଥିଲେ ବୋଲି ସରୋଜ ଅଭିଯୋଗ କରିଛନ୍ତି।

ପୂର୍ବରୁ ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ କେନ୍ଦୁଆକୂଳ ଗ୍ରାମର ଭରତ ଚନ୍ଦ୍ର ମହାଳିକ ନାମକ ଜଣେ ୭୫ ବର୍ଷର ବୃଦ୍ଧଙ୍କଠାରୁ ସିବିଆଇ ଅଫିସର କହି ସେ ୨୫ ହଜାର ଟଙ୍କା ନେଇଯାଇଥିଲେ। ସୁଧାଂଶୁଙ୍କ ସହ ଅନ୍ୟ ଜଣେ ଯୁବକ ନିଜକୁ ସାମ୍ବାଦିକ କହି ଏଥିରେ ସାମିଲ ଥିଲେ। ଘଟଣାଟି ଜଣାପଡ଼ିବା ପରେ ଏଥିନେଇ ଭରତ ଗତ ୨୪ ନଭେମ୍ବର ୨୦୧୬ରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୧୭୩/୧୬ରେ ଦଫା ୩୯୨ ଏକ ମାମଲା ରୁଜୁ କରିଥିଲା। ସେହିପରି ୭ ବର୍ଷ ତଳେ ବିଂଝାରପୁର ଥାନା ଅଳକୁଣ୍ଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଟିଭି ସାମ୍ବାଦିକ କରାଇଦେବେ କହି ୧୫ ହଜାର ଟଙ୍କା ଠକି ନେଇଥିଲେ ସୁଧାଂଶୁ। ଟିଭିର ବୁମ୍‌ ମାଗିବାରୁ ସୁଧାଂଶୁ ଦିନ ଗଡ଼ାଇଥିଲେ। ବୁମ୍‌ ନମିଳିବାରୁ ସେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏଭଳି ଏକାଧିକ ଠକେଇ ମାମଲାରେ ସୁଧାଂଶୁ ସଂପୃକ୍ତ ଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe