ନେତାଜୀ ସେତୁ ନିକଟରେ ନିର୍ମାଣ ହେବ ଆଉ ଏକ ସେତୁ

Advertisment

ବିକଶିତ କଟକ ଦିଗରେ ଆଉ ଏକ ପଦକ୍ଷେପ, ସେତୁ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରଖିଲେ ଦେବାଶିଷ

ବିକଶିତ କଟକ ଦିଗରେ ଆଉ ଏକ ପଦକ୍ଷେପ, ସେତୁ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରଖିଲେ ଦେବାଶିଷ

ନେତାଜୀ ସେତୁ ନିକଟରେ ନିର୍ମାଣ ହେବ ଆଉ ଏକ ସେତୁ

Worldorgs.com

କଟକ : କାଠଯୋଡ଼ୀ ନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ। ତ୍ରିଶୂଳିଆରୁ ବେଲ୍‌ଭ୍ୟୁକୁ ସଂଯୋଗ କରୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ସେତୁ ନିକଟରେ ଏହି ସେତୁ ନିର୍ମାଣ କରାଯିବ। ଏଥିପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯିବା ସହ ଏହାକୁ ବାସ୍ତବ ରୂପ ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନିଲେନ୍‌ ବିଶିଷ୍ଟ ନେତାଜୀ ସେତୁ ଉପରେ ବଢ଼ୁଥିବା ଟ୍ରାଫିକ ସମସ୍ୟା ଏଡ଼ାଇବାକୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି।

କାଠଯୋଡ଼ୀରେ ନେତାଜୀ ସେତୁ ଓ ମହାନଦୀରେ ମଧୁ ସେତୁ ନିର୍ମାଣ ପରେ ତାଳଚେର, ଢେଙ୍କାନାଳ, ଅନୁଗୁଳ ଓ ଆଠଗଡ଼ ଅଞ୍ଚଳର ଦୂରତ୍ବ ୨୦ରୁ ୪୦ କିମି ହ୍ରାସ ପାଇଛି। ଫଳରେ ଏହି ପୋଲ ଉପରେ ଏବେ ଟ୍ରାଫିକ୍‌ ଭାର ବଢ଼ିବାରେ ଲାଗିଛି। ତେଣୁ ଏହି ପୋଲ ଉପରୁ ଟ୍ରାଫିକ୍‌ ଭିଡ଼ ହ୍ରାସ କରିବା ପାଇଁ ଏହି ନେତାଜୀ ସେତୁ ସହ ଏକ ସମାନ୍ତରାଳ ସେତୁ ନିର୍ମାଣ ପାଇଁ ସରକାରୀସ୍ତରରେ ଯୋଜନା ଆରମ୍ଭ ହୋଇଯାଇଛି। ଦ୍ବିତୀୟ ସେତୁ ସମ୍ପୂର୍ଣ୍ଣ ହେବାପରେ ଏହା ପ୍ରତ୍ୟେକ ସେତୁକୁ ଏକପାଖିଆ ରାସ୍ତା ଭାବେ ବ୍ୟବହାର କରାଯିବ। ଅର୍ଥାତ୍‌ ଗୋଟିଏ ସେତୁରେ ଭୁବନେଶ୍ବର ଆଡ଼କୁ ଯାନବାହାନ ଯିବ ଏବଂ ଅନ୍ୟ ଏକ ସେତୁରେ ଭୁବନେଶ୍ବରରୁ କଟକ ଆଡ଼କୁ ଯାନବାହାନ ଆସିବ। କଟକରେ ବଡ଼ ଡାକ୍ତରଖାନାକୁ ଏମ୍‌ସ ପ୍ଲସ୍‌ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏଭଳି ସେତୁ ନିର୍ମାଣ କଟକର ବିକାଶ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

publive-image telegraphindia.com

ଏ ସମ୍ପର୍କରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ କଟକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଅନେକ କାର୍ଯ୍ୟ ହୋଇସାରିଥିବା ବେଳେ ଏଭଳି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ଆଗାମୀ ଦିନରେ ବାସ୍ତବ ରୂପ ନେବାକୁ ଯାଉଛି। ଏଭଳି ଯୋଜନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ; ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ଏହି ଦ୍ବିତୀୟ ସେତୁକୁ ବ୍ୟାରେଜ୍‌ ଭାବେ ନିର୍ମାଣ କରାଗଲେ ତାହା ଅଧିକ ଉପଯୋଗୀ ସାବ୍ୟସ୍ତ ହେବ। କାଠଯୋଡ଼ି ଉପରେ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପୂର୍ବରୁ ମତପ୍ରକାଶ ପାଇଆସିଛି। ତେଣୁ ପୋଲ ସହିତ ବ୍ୟାରେଜ୍‌ ରହିଲେ କାଠଯୋଡ଼ିର ଜଳ ସଂରକ୍ଷଣ ସହ ଗମନାଗମନା ପ୍ରକ୍ରିୟା ସହଜ କରିବାରେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ, କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଭିଡ଼ ହ୍ରାସ ପାଇଁ ୨୦୦୯ରେ ନେତାଜୀ ସେତୁର ପରିକଳ୍ପନା କରାଯାଇଥିଲା। ସେତେବେଳେ ବାରବାଟୀ-କଟକର ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିଜ ନିର୍ବାଚନୀ ଇସ୍ତାହାରରେ କାଠଯୋଡ଼ୀରେ ଦ୍ବିତୀୟ ସେତୁ ନିର୍ମାଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ୨୦୧୭ ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ୨.୮୮କିମି ଲମ୍ବା ନେତାଜୀ ସେତୁକୁ ଉଦ୍‌ଘାଟନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଉକ୍ତ ସେତୁ ପାଇଁ ପାଖାପାଖି ୧୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଦ୍ବିତୀୟ ସେତୁ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ବ୍ୟୟ ଅଟକଳ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe