ତେଲେଙ୍ଗାନାରୁ ଆଉ ଜଣେ ଦାଦନ ଶବ ହୋଇ ଫେରିଲେ, ୧୫ ଦିନରେ ୩ ଶ୍ରମିକ ମୃତ

Advertisment

୯୦ ହଜାର ଦେଇ ଘଟଣା ଚାପି ଦେବାକୁ ଚାପ

୯୦ ହଜାର ଦେଇ ଘଟଣା ଚାପି ଦେବାକୁ ଚାପ

ତେଲେଙ୍ଗାନାରୁ ଆଉ ଜଣେ ଦାଦନ ଶବ ହୋଇ ଫେରିଲେ, ୧୫ ଦିନରେ ୩ ଶ୍ରମିକ ମୃତ

ବେଲପଡ଼ା/ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ରେ ଥମୁନି ଦାଦନ ଯାତନା। ବୁଧବାର ସନ୍ଧ୍ୟାରେ ଆଉ ଜଣେ ଦାଦନ ଶ୍ରମିକ ତେଲେଙ୍ଗାନାରୁ ଶବ ହୋଇ ଫେରିଛନ୍ତି। ଏହାକୁ ମିଶାଇ ଗତ ୧୫ ଦିନ ମଧ୍ୟରେ ବ୍ଲକ୍‌ ଅଞ୍ଚଳକୁ ୩ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି। ବୁଧବାରର ଘଟଣାରେ ସଂପୃକ୍ତ ଦଲାଲ ୯୦ ହଜାର ଟଙ୍କା ମୃତକଙ୍କ ପରିବାର‌ ଲୋକଙ୍କୁ ଦେଇ ଘଟଣା ଚାପି ଦେବାକୁ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବେଲପଡ଼ା ବ୍ଲକ୍‌ ଧୂମାଭଟା ପଞ୍ଚାୟତ ଖଲଖଲି ଗାଁର ଜଗଦୀଶ ମାଝୀ (୪୦ବର୍ଷ) ତାଙ୍କ ପତ୍ନୀ ଗୀତା ମାଝୀ (୩୦ବର୍ଷ), ତିନି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତେଲେଙ୍ଗାନାର ୱାରଙ୍ଗଲକୁ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କୁ ଖଲିପଥର ଗ୍ରାମର ଦାଦନ ଦଲାଲ ମହିନ୍ଦ୍ର ସୁନା ୮୫ ହଜାର ଟଙ୍କା ବାଇନା ଦେଇ ୬ ମାସ ତଳେ ସେଠାକୁ ପଠାଇଥିଲା। ସେଠାରେ କାମ କରୁଥିବା ବେଳେ କିଛି ମାସ ହେଲା ଜଗଦୀଶ ଅସୁସ୍ଥ ଅନୁଭବ କରିଥିଲେ। ତଥାପି ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିଲା। ଏନେଇ ସ୍ତ୍ରୀ ଅଭିଯୋଗ କଲେ ବି କେହି ଶୁଣିଲେ ନାହିଁ। ଶେଷରେ ଚିକିତ୍ସା ନକରାଇ ଘରକୁ ପଠାଇ ଦେଇଥିଲେ। ପରିବାର ସହ ରେଳ ଷ୍ଟେସନକୁ ଆସିବା ପରେ ସେଠାରେ ଜଗଦୀଶଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏକ ଆମ୍ବୁଲାନ୍ସରେ ଶବ ଧରି ଘରକୁ ଫେରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ମୂଲଚାଲ। ଦାଦନ ଦଲାଲ ଘଟଣାକୁ ଚାପି ଦେବା ଓ ଥାନାରେ ଅଭିଯୋଗ ନକରିବାକୁ ପରିବାର ଲୋକଙ୍କୁ ୯୦ ହାଜର ଟଙ୍କା ଦେଇ ଶବଦାହ କରିବାକୁ ଚାପ ଦେଉଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ ଗତ ୧୫ ଦିନ ମଧ୍ୟରେ ବେଲପଡ଼ା ଥାନା ସୁଲେକେଲା ଏବଂ ଯୁବା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ ଶବ ରାଜ୍ୟ ବାହାରୁ ଆସିଥିଲା। ଅଞ୍ଚଳରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଏହାକୁ ନେଇ ଅଞ୍ଚଳର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ସହ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe