ଡ୍ରେନ୍‌ ଭିତରୁ ଆଉ ଜଣଙ୍କ ଶବ ଉଦ୍ଧାର : କ୍ୟାମେରାରେ ଠାବ ହେଲା ଶବ, ଡ୍ରେନ୍‌ ଉପରୁ ସ୍ଲାଗ୍‌ ସଫେଇ ଜାରି

Advertisment
ଡ୍ରେନ୍‌ ଭିତରୁ ଆଉ ଜଣଙ୍କ ଶବ ଉଦ୍ଧାର : କ୍ୟାମେରାରେ ଠାବ ହେଲା ଶବ, ଡ୍ରେନ୍‌ ଉପରୁ ସ୍ଲାଗ୍‌ ସଫେଇ ଜାରି

ରାଉରକେଲା : ଶୀତଳପଡ଼ା ବସ୍ତିର ନିଖୋଜ ୪ ଯୁବକଙ୍କ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଯାନ୍ତ୍ରିକ ଓ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଲୁହାଛଡ଼ରେ କ୍ୟାମେରା ଖଞ୍ଜି ଶବକୁ ଠାବ କରିବା ପରେ କଣ୍ଟା ଲଗାଇ ତାହାକୁ ବାହାର କରିଛନ୍ତି। ଚିହ୍ନଟ ନହେବା କାରଣରୁ ଶବକୁ ରାଉରକେଲା ସରକାରୀ ହସ୍ପିଟାଲ୍‌ (ଆର୍‌ଜିଏଚ୍‌) ମର୍ଗ ହାଉସ୍‌ରେ ରଖାଯାଇଛି। ଆସନ୍ତାକାଲି ନିଖୋଜ ଯୁବକଙ୍କ ପରିବାରକୁ ଡକାଯାଇ ଶବ ଚିହ୍ନଟ କରାଯିବ ବୋଲି ରାଉରକେଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆର୍‌ଏସ୍‌ପି ୯ ନମ୍ବର ଆଉଟ୍‌ଫଲ୍‌ ଡ୍ରେନ୍‌ ଭିତରୁ ଯାଇ ଫେରିନଥିବା ୪ ଯୁବକଙ୍କ ଶବକୁ ବାହାର କରିବା ପାଇଁ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଆଜି ଅଭିନବ ଯୋଜନା ପ୍ରସ୍ତୁତ କରିଥିଲେ। ଡ୍ରେନ୍‌ରେ ଅଗ୍ରସର ହେବା ସମ୍ଭବ ହେଉନଥିବାରୁ ଓ ଟର୍ଚ ଲାଇଟ୍‌ରେ ମୃତ ଶରୀର ଠାବ କରିବା ଜଟିଳ ହେଉଥିବାରୁ କ୍ୟାମେରା ବ୍ୟବହାର କରି ଉଦ୍ଧାର କାର୍ଯ୍ୟରେ ଅଗ୍ରସର ହୋଇଥିଲେ। ଏକ ଲୁହା ରଡ୍‌ରେ କଣ୍ଟା ଏବଂ ଉପରେ କ୍ୟାମେରା ଲଗାଇ ତାହାକୁ ଡ୍ରେନ୍‌ ଭିତରକୁ ପ୍ରବେଶ କରାଯାଇଥିଲା। ବାହାରେ କମ୍ପ୍ୟୁଟର ମାଧ୍ୟମରେ କ୍ୟାମେରାର ଭିଡ଼ିଓ ଚିତ୍ର ନିରୀକ୍ଷଣ କରାଯାଇଥିଲା। ଏହି କୌଶଳରେ ପ୍ରାୟ ୫୦ ମିଟର ଦୂରରେ ଏକ ଶବ ଠାବ ହୋଇଥିଲା। ଶବଟି ପଚି ସଢି ସମ୍ପୂର୍ଣ୍ଣ ବିକୃତ ହୋଇଯାଇଥିବାରୁ ତା’ର ପୋଷାକରେ କଣ୍ଟାକୁ ଲଗାଇ ବାହାରକୁ ଅଣାଯାଇଥିଲା। ତେବେ ଶବକୁ ବାହାର କରିବା ବେଳେ କ୍ୟାମେରାଟି ପଙ୍କ ଭିତରେ ପଶିଯାଇ ଅଚଳ ହୋଇଯିବାରୁ ଆଉ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା।

ପ୍ରକାଶଥାଉକି, ଗତ ୩ ଓ ୪ ତାରିଖରେ ଶୀତଳପଡ଼ାର କ୍ରୀଷ୍ଣା ବଢ଼େଇ (୨୩), ସୁରେଶ ସିଂ (୨୫), ସୂରଜ କୁର୍‌ମି (୨୮), ରାଜୁ ନାଏକ (୨୭) ଓ ଗେହେନୁ ଲୋହାର ଡ୍ରେନ୍‌ ଭିତରକୁ ଯାଇ ଆଉ ଫେରିନଥିଲେ। ନିଖୋଜ ୫ ଯୁବକଙ୍କ ମଧ୍ୟରୁ ରାଜୁ ନାଏକଙ୍କ ମୃତ ଶରୀର ଚଳିତ ମାସ ୯ ତାରିଖ ଦିନ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe