ରଘୁନାଥପୁର: ଜଗତସିଂହପୁର ଜିଲ୍ଲାରେ ଆଉଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ସାମନାକୁ ଆସିଛି। ରଘୁନାଥପୁର ବ୍ଲକ୍ ତଅଁରା ବିଲସାହିର ଯୁବଚାଷୀ ଅଶୋକ ପରିଡ଼ା ଫସଲ ନଷ୍ଟ ସହ ଋଣ ବୋଝ ଚିନ୍ତାରେ ନିଜଘରେ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଅଶୋକ ନିଜ ଜମି ସହିତ ବିଜୟ କୁମାର ପରିଡ଼ା, ବାବୁଲାଲ ପରିଡ଼ା, ଦୟାନିଧି ରାଉତ, ନିଶାକର ମହାନ୍ତି ଓ ପ୍ରକାଶ ସାମଲଙ୍କ ଠାରୁ ୧୦ ଏକର ଜମି ଭାଗରେ ଆଣି ଚାଷ କରିଥିଲେ। ସେ ଆଜି ସକାଳେ ଧାନ କିଆରିକୁ ଯାଇଥିଲେ। ଉଜୁଡ଼ା ଜମିକୁ ଦେଖି ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ଧାନ ଫସଲ ନଷ୍ଟ ହୋଇଗଲା ଖାଇବା କ’ଣ ଓ କରଜ କେମିତି ଶୁଝିବା ବୋଲି ସ୍ତ୍ରୀ ମାମିନା ନାୟକଙ୍କୁ କହିଥିଲେ। ସ୍ୱାମୀଙ୍କୁ ବୁଝାସୁଝା କରି ସ୍ତ୍ରୀ ମାମିନା ଗାଧେଇବାକୁ ଯାଇଥିବା ବେଳେ ଅଶୋକ ବେକରେ ଗାମୁଛା ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ରେଢୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ରଘୁନାଥପୁର ଥାନା ଏସ୍ଆଇ ଯୋଗେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏ ସମ୍ପର୍କରେ ମୃତ ଅଶୋକଙ୍କ ସ୍ତ୍ରୀ ମାମିନା ନାୟକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଧାନ ଫସଲରେ ବ୍ୟାପକ କ୍ଷତି ଓ କରଜ ଶୁଝିବା ଚିନ୍ତାରେ ଗତ କିଛିଦିନ ହେବ ଅଶୋକ ଚାପଗ୍ରସ୍ତରେ ଥିଲେ ବୋଲି ମଝିଆ ଭାଇ ପ୍ରମୋଦ ପରିଡ଼ା କହିଛନ୍ତି। ଏହାଛଡ଼ା ସେ ସୋସାଇଟି, ଏସ୍ଏଚ୍ଜି ଓ ଅନ୍ୟାନ୍ୟ ହାତ ଉଧାରିରେ ୩ ଲକ୍ଷ ଟଙ୍କା ଋଣ କରି ଚାଷରେ ବିନିଯୋଗ କରିଥିଲେ ବୋଲି ଅଶୋକଙ୍କ ସ୍ତ୍ରୀ ମାମିନା କହିଛନ୍ତି। ଅଶୋକଙ୍କର ଏକ ୭ ବର୍ଷର ଝିଅ ଅଛି। ସରପଞ୍ଚ ବଟକୃଷ୍ଣ ନାୟକ ଓ ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ ମୃତକଙ୍କ ପରିବାରକୁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ଏହା ତୃତୀୟ ଚାଷୀ ଆତ୍ମହତ୍ୟା। ପୂର୍ବରୁ ବାଲିକୁଦା ଓ ନାଉଗାଁ ବ୍ଲକରେ ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି।
Follow Us