କୋରାପୁଟରେ ପୁଣି ଲଜ୍ଜା : ଆଉ ଜଣେ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ

ଥାନାରେ ଏତଲା ଦେଲେ ଜିଲ୍ଲା ମଙ୍ଗଳ ଅଧିକାରୀ

ଭୁବନେଶ୍ୱରରୁ ଅପହୃତ ନାବାଳିକା ଛାତ୍ରୀ ରମ୍ଭାରୁ ଉଦ୍ଧାର

shutterstock.com

ଲକ୍ଷ୍ମୀପୁର : କୋରାପୁଟରେ ପୁଣି ଲଜ୍ଜା। ‌ଜୟପୁର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଗତକାଲି ପୁଲିସ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କରିଥିବାବେ‌ଳେ ଆଜି ଆଉ ଜଣେ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ବର୍ତ୍ତମାନ ସେ ୭ମାସର ଗର୍ଭବତୀ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନି। ଚକିତ କଲା ଭଳି ଘଟଣା ହେଲା ଛାତ୍ରୀଙ୍କ ଜଣେ ସଂପର୍କୀୟ ସେବାଶ୍ରମ କର୍ମଚାରୀ ହୋଇଥିବାରୁ ହଷ୍ଟେଲ ପରିସରରେ ଥିବା କ୍ବାର୍ଟର୍ସରେ ରହୁଥିଲେ। ତେଣୁ ହଷ୍ଟେଲ ବଦଳରେ ଛାତ୍ରୀ ଜଣକ ଉକ୍ତ ସଂପର୍କୀୟଙ୍କ କ୍ବାର୍ଟର୍ସରେ ରହୁଥିଲେ। ପୁଣି ୭ମାସ ହେଲା ଗର୍ଭବତୀ ହୋଇଥିଲେ ସୁଦ୍ଧା ଏଯାଏ ଏ ନେଇ କେହି କିଛି ଜାଣିପାରି ନ ଥିଲେ।

ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ କୋରାପୁଟରୁ ଗୋଟିଏ ସ୍ବତନ୍ତ୍ର ଟିମ୍ ଆଶ୍ରମ ବିଦ୍ୟାଳୟର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲା। ଏହି ସମୟରେ ଛାତ୍ରୀ ଜଣକ ଗର୍ଭବତୀ ରହିଥିବା ଜଣାପଡ଼ିଥିଲା। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଏବଂ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ସୂଚନା ଦିଆଯାଇଥିଲା। ଆଜି ଉଭୟ ପହଞ୍ଚିବା ପରେ ଛାତ୍ରୀଙ୍କ ଅଭିଭାବକ, ପ୍ରଧାନ ଶିକ୍ଷକ ବାସୁଦେବ ମହାଙ୍କୁଡ଼ ଏବଂ ବ୍ଲକ ସଂପ୍ରସାରଣ ଅଧିକାରୀ ପ୍ରଦୀପ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପୁଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥର ପରୀକ୍ଷା ରିପୋର୍ଟରେ ବି ଡାକ୍ତର ଗର୍ଭବତୀ ରହିଥିବା ଏବଂ ୭ମାସ ହୋଇ ସାରିଥିବା ସ୍ପଷ୍ଟ କରିଥିଲେ। ସମ୍ଭେଦନଶୀଳ ଘଟଣା ହୋଇଥିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମହାପାତ୍ର ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ଛାତ୍ରୀ ଜଣକ ଗର୍ଭବତୀ ରହିଥିବା ନେଇ କିଛି ଜାଣିନଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ହଷ୍ଟେଲ ଦାୟିତ୍ବରେ ଥିବା ଏଏନଏମ୍ ଖୁସୁବୁ ରାଓ କହିଛନ୍ତି ଯେ, ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ଦିନ ଅନ୍ୟ ଛାତ୍ରୀଙ୍କ ସହ ସଂପୃକ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଏପରିକି ନିୟମିତ ଭାବେ ଛାତ୍ରୀ ଜଣକ ସାନିଟାରି ନାପକିନ୍ ନେଉଥିଲେ। ଦଶହରା ଛୁଟି ପରେ ମାତ୍ର ଗୋଟିଏ ମାସରୁ କିଛି ଅଧିକ ଦିନ ବିତିଥିବାରୁ ଛାତ୍ରୀ ଗର୍ଭବତୀ ଥିବା ସଂପର୍କରେ ସେ ଜାଣିପାରି ନଥିଲେ। ଛାତ୍ରୀ ଜଣକ ହଷ୍ଟେଲରେ ରହିବା ପାଇଁ ପଞ୍ଜୀକରଣ କରିଥିଲେ ମଧ୍ୟ ସେଠାରେ ରହୁନଥିଲେ। ବିଦ୍ୟାଳୟ ପରିସରରେ ହିଁ ଥିବା କ୍ବାର୍ଟର୍ସରେ ତାଙ୍କର ଜଣେ ସଂପର୍କୀୟ ରହୁଛନ୍ତି। ସେଠାରେ ଛାତ୍ରୀ ରହୁଥିଲେ ଏବଂ ହଷ୍ଟେଲରେ ଯାହା ସବୁ ସୁବିଧା ମିଳୁଛି ତାଙ୍କୁ ଦିଆଯାଉଥିଲା। ସେହିପରି ଗର୍ଭବତୀ ହୋଇ ଏତେଦିନ ହୋଇ ସାରିଥିଲେ ବି ମା କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଲିଖିତ ଅଭିଯୋଗ ମିଳିବା ପରେ ପୁଲିସ ମାମଲା ରୁଜୁ କରିଛି। କେଉଁ ପରିସ୍ଥିତିରେ ଏବଂ କିଏ ଛାତ୍ରୀଙ୍କୁ ଗର୍ଭବତୀ କଲା ତାହାର ଖୋଳତାଡ଼ ଆରମ୍ଭ କରିଛି। ଠୋସ୍ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ଗିରଫ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ସେହିପରି ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ ବି କିଛି ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe