ବଙ୍ଗୋପସାଗର‌ରେ ଆଉ ଏକ ଲଘୁଚାପ: ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଅତିପ୍ରବଳ ବର୍ଷା

Advertisment
ବଙ୍ଗୋପସାଗର‌ରେ ଆଉ ଏକ ଲଘୁଚାପ: ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଅତିପ୍ରବଳ ବର୍ଷା

Image Courtesy of India Today

ଭୁବନେଶ୍ବର: ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବ। ଏହାଦ୍ବାରା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହାବ୍ୟତୀତ ଦେବଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ହେବ। ୩୦ ତାରିଖ ଦିନ ବି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୩୦ ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଆଜି ରାତି ସୁଦ୍ଧା ଲଘୁଚାପ କ୍ଷେତ୍ରଟି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଓଡ଼ିଶାରେ ତିନି ଦିନ ବର୍ଷା ହେବ। ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ମଙ୍ଗଳବାର ସଂଧ୍ୟାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ବୁଧବାର ସକାଳୁ ଗୁରୁବାର ସକାଳ ଯାଏ ବାଲେଶ୍ବର, ଭଦ୍ରକ ଓ ଦକ୍ଷିଣ ମୟୂରଭଞ୍ଜରେ ହାରାହାରି ୬୦ମିମି ଓ ସ୍ଥାନେସ୍ଥାନେ ତା’ଠାରୁ ଅଧିକ ବର୍ଷା ହୋଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଖୋର୍ଧ‌ାରେ ମଧ୍ୟମରୁ ପ୍ରବଳ (ହାରାହାରି ୪୫ରୁ ୫୦ ମିମି) ବର୍ଷା ହୋଇପାରେ। ଗୁରୁବାର ସକାଳୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ବଢ଼ିବ। ସାରା ରାଜ୍ୟରେ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ପୁରୀ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା (ହାରାହାରି ୬୦ ମିମି) ବର୍ଷା ହେବ। ଏହାସହ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବରଗଡ଼, ସମ୍ବଲପୁରରେ ମଧ୍ୟମଧରଣର ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe