ପୁଣି ପେଟ୍ରୋଲ୍‌ ବୋତଲକୁ ନେଇ ଚର୍ଚ୍ଚା: ଜଳିଗଲେ ପ୍ରେମୀଯୁଗଳ!

ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଅଞ୍ଚଳରେ ପ୍ରେମୀଯୁଗଳ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମଦାହ ଉଦ୍ୟମ କରିଛନ୍ତି। ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁରୁଷବନ୍ଧୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଉଭୟ ବିବାହିତ ଥିଲେ ଏବଂ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା।

sfsfxcxxc

ଶୁକୃଳି/ଖିଚିଂ: ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଅଞ୍ଚଳରେ ପ୍ରେମୀଯୁଗଳ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମଦାହ ଉଦ୍ୟମ କରିଛନ୍ତି। ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁରୁଷବନ୍ଧୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଉଭୟ ବିବାହିତ ଥିଲେ ଏବଂ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ କେଉଁ କାରଣରୁ ଆତ୍ମଦାହ ପାଇଁ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ପୁଣି ପେଟ୍ରୋଲ୍‌ ବୋତଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଖିଚିଂ ଅଞ୍ଚଳର ମହିଳା ଜଣକ ଯାଜପୁର ଅଞ୍ଚଳରେ ବିବାହ କରିଥିଲେ। ତେବେ ସେ ୭ବର୍ଷର ଝିଅକୁ ସାଙ୍ଗରେ ଧରି କିଛିଦିନ ହେଲା ବାପଘର ପଣସିରେ ଆସି ରହୁଥିଲେ। ବିଜାତଳା ପଞ୍ଚାୟତ ଛଣପାଳ ଗ୍ରାମର ହରିଶଙ୍କର ଆଚାର୍ଯ୍ୟ (୩୩)ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା। ହରିଶଙ୍କର ବିବାହିତ ଏବଂ ତାଙ୍କର ୮ବର୍ଷର ପୁଅଟିଏ ଅଛି। ସେ ନିଜ ପରିବାର ସହିତ ପଣସି‌ରେ ଥିବା ଶ୍ବଶୁରଘରେ ରହୁଥିଲେ। ହରିଶଙ୍କରଙ୍କ ପତ୍ନୀ ଓ ମୃତ ମହିଳା ଦୁଇସାଙ୍ଗ। ଏପରି ସ୍ଥିତିରେ ହରିଶଙ୍କର ଓ ଏହି ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ମହିଳା ମୃତ, ପୁରୁଷବନ୍ଧୁଙ୍କ ଅବସ୍ଥା ସଙ୍କଟାପନ୍ନ

ଆଜି ସକାଳେ ହରିଶଙ୍କର ଓ ସଂପୃକ୍ତ ମହିଳା କୌଣସି କାରଣରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳାଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଉଭୟ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ହରିଶଙ୍କରଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରରୁଆଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍‌, ପେଟ୍ରୋଲ ଆଣିଥିବା ୨ଟି ଖାଲି ବୋତଲ, ୨ଟି ପାଣି ବୋତଲ, ଦିଆସିଲି, ଗାମୁଛା ଆଦି ଜବତ କରିଛି। ଏନେଇ ରରୁଆଁ ଥାନାରେ କେସ୍‌ ନମ୍ବର ୧୪/୨୫ରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ, ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ପରେ ବୋତଲରେ ପେଟ୍ରୋଲ୍‌ ଅଣାଯିବାକୁ ନେଇ ଚର୍ଚ୍ଚା ହୋଇଥିଲା। ପେଟ୍ରୋଲ୍‌ ଟାଙ୍କିରେ ବୋତଲରେ ପେଟ୍ରୋଲ୍‌ ବିକିବା ଉପରେ କଟକଣା ଲାଗୁ କରାଯାଇଥିଲା। ବର୍ତ୍ତମାନ ଖିଚିଂ ଘଟଣାରେ ବୋତଲରେ ପେଟ୍ରୋଲ୍‌ ଅଣାଯାଇଥିବାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe